ସୁପ୍ରିମକୋର୍ଟରେ ‘କେସ୍‌ ଫିକ୍ସିଂ’ ମାମଲାର ଏସ୍‌ଆଇଟି ତଦନ୍ତ ଆବେଦନ ଖାରଜ

ନୂଆଦିଲ୍ଲୀ: ମଙ୍ଗଳବାର ସୁପ୍ରିମକୋର୍ଟ ଆଇନଜୀବୀ କାମିନୀ ଜୟସ୍ୱାଲଙ୍କ ପକ୍ଷରୁ ଅଣାଯାଇଥିବା ସର୍ବୋଚ୍ଚ ଅଦାଲତରେ ‘କେସ୍‌ ଫିକ୍ସିଂ’ ଅଭିଯୋଗର ତଦନ୍ତ ଆବେଦନର ଶୁଣାଣି କରି ଏହାକୁ ଖାରଜ କରି ଦେଇଛନ୍ତି। ଆଇନଜୀବୀ ଜୟସ୍ୱାଲ ଏହି ମାମଲାର ତଦନ୍ତ କୋର୍ଟଙ୍କ ଦ୍ୱାରା ନିଯୁକ୍ତ ଏକ ସ୍ୱତନ୍ତ୍ର ଅନୁସନ୍ଧାନ ଦଳ (ସ୍ପେସାଲ ଇନ୍‌ଭେଷ୍ଟିଗେସନ୍‌ ଟିମ୍‌) ଦ୍ୱାରା କରାଯାଉ ବୋଲି ଆବେଦନ କରିଥିଲେ।

ପ୍ରକାଶ ଯେ ମେଡିକାଲ କଲେଜ ନାମଲେଖା ଦୁର୍ନୀତି ମାମଲାର ସିବିଆଇ ତଦନ୍ତ ସମୟରେ ଏଥିରେ ଜଣେ ପୂର୍ବତନ ସୁପ୍ରିମକୋର୍ଟ ବିଚାରପତିଙ୍କ ସଂପୃକ୍ତି ଥିବା ସାମ୍ନାକୁ ଆସିଥିଲା । ଏଥିସହ ଏଇ ମାମଲାରେ ଗିରଫ ଜଣେ ଅଭିଯୁକ୍ତ ସିବିଆଇକୁ କହିଥିଲେ ଯେ ସୁପ୍ରିମକୋର୍ଟରେ ‘କେସ୍‌ ଫିକ୍ସିଂ’ କରାଇବା ଲାଗି ତାଙ୍କଠାରୁ ଜଣେ ମଧ୍ୟସ୍ଥି ପ୍ରଚୁର ଅର୍ଥ ନେଇଥିଲେ। ସିବିଆଇ ଅଭିଯୁକ୍ତଙ୍କ ବୟାନକୁ ଭିତ୍ତି କରି ତଦନ୍ତ କରୁଥିଲା। ଜଣେ ବିଚାରପତିଙ୍କ ସଂପୃକ୍ତି ଓ ସର୍ବୋଚ୍ଚ ଅଦାଲତରେ ‘କେସ୍‌ ଫିକ୍ସିଂ’ ଭଳି ଅଭିଯୋଗ ସାମ୍ନାକୁ ଆସିବା ପରେ ଆଇନଜୀବୀ କାମିନୀ ଜୟସ୍ୱାଲ କୋର୍ଟଙ୍କୁ ଏହାର ତଦନ୍ତ କରିବାକୁ ଆବେଦନ କରିଥିଲେ।

ମଙ୍ଗଳବାର ଜଷ୍ଟିସ ଆର୍‌.କେ ଅଗ୍ରଓ୍ଵାଲ, ଅରୁଣ ମିଶ୍ର ଓ ଏ.ଏମ୍‌ ଖାନ୍‌ଓ୍ଵିଲକରଙ୍କୁ ନେଇ ଗଠିତ ତିନିଜଣିଆ ଖଣ୍ଡପୀଠ ଏହି ଆବେଦନକୁ ଖାରଜ କରି ଦେଇଛନ୍ତି। ଯେହେତୁ ଏହି ମାମଲାରେ କାହା ବିରୋଧରେ କୌଣସି ଠୋସ ପ୍ରମାଣ ନାହିଁ, ତେଣୁ ଏହାର ତଦନ୍ତ କରିବାର କୌଣସି ଆବଶ୍ୟକତା ନାହିଁ ବୋଲି ଖଣ୍ଡପୀଠ ମତ ଦେଇଥିଲେ।

ସମ୍ବନ୍ଧିତ ଖବର