ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲା : ଚିଦମ୍ବରମଙ୍କ ଜାମିନ ସଂପର୍କିତ ନିଷ୍ପତ୍ତି ସଂରକ୍ଷିତ ରଖିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ସିବିଆଇ ଦ୍ୱାରା ଗିରଫ ହୋଇ ତିହାର ଜେଲରେ ଥିବା ପୂର୍ବତନ ଅର୍ଥମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପି.ଚିଦମ୍ବରମଙ୍କୁ ଜାମିନ ପ୍ରଦାନ ସଂପର୍କିତ ରାୟକୁ ସଂରକ୍ଷିତ ରଖିଛନ୍ତି ସୁପ୍ରିମ କୋର୍ଟ । ତାଙ୍କର ଜାମିନ ଆବେଦନକୁ ଦିଲ୍ଲୀ ହାଇକୋର୍ଟ ଖାରଜ କରିଥିବାରୁ ତାହା ବିରୋଧରେ ସେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଗତକାଲି ସ୍ୱତନ୍ତ୍ର ସିବିଆଇ କୋର୍ଟ ଚିଦମ୍ବରମଙ୍କ ବିଚାରବିଭାଗୀୟ ହାଜତ ମିଆଦ ଅକ୍ଟୋବର ୨୪ ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ । ଏହି ସମୟରେ ଇଡି ତାଙ୍କୁ ଜେରା କରିପାରିବ । 

ସୂଚନାଯୋଗ୍ୟ ଯେ ବହୁଚର୍ଚ୍ଚିତ ଆଇଏନଏକ୍ସ ମିଡିଆ ମାମଲାରେ ଗତ ଅଗଷ୍ଟ ୨୧ ତାରିଖରେ ସିବିଆଇ ଚିଦମ୍ବରମଙ୍କୁ ଗିରଫ କରିଥିଲା । ୨୦୦୭ରେ ଚିଦମ୍ବରମ ଅର୍ଥମନ୍ତ୍ରୀ ଥିବାବେଳେ ଆଇଏନଏକ୍ସ ମିଡିଆରେ ୩୦୫ କୋଟି ଟଙ୍କାର ବିଦେଶୀ ପୁଞ୍ଜି ନିବେଶକୁ ବିଦେଶୀ ନିବେଶ ପ୍ରୋତ୍ସାହନ ବୋର୍ଡ ବେଆଇନ ଭାବେ ଅନୁମତି ଦେଇଥିଲା । ଲାଞ୍ଚ ନେଇ ଚିଦମ୍ବରମ ଏହି ଅନୁମତି ଦେଇଥିଲେ ବୋଲି ସିବିଆଇ କହୁଛି ।

ସମ୍ବନ୍ଧିତ ଖବର