ସୁପ୍ରିମ କୋର୍ଟ ବିବାଦର ସମାଧାନ ଉଦ୍ୟମ : ଅଣ୍ଟା ଭିଡ଼ିଲା ବାର୍‌ କାଉନ୍‌ସିଲ

ମଧ୍ୟସ୍ଥତା ପାଇଁ ଗଠନ କଲା ୭ ଜଣିଆ କମିଟି

୪ ବିଚାରପତିଙ୍କୁ ଆଜି ଭେଟିପାରନ୍ତି ପ୍ରଧାନ ବିଚାରପତି
ଜଷ୍ଟିସ୍‌ ମିଶ୍ରଙ୍କ ବାସଭବନରେ ପ୍ରଧାନମନ୍ତ୍ରୀଙ୍କ ସଚିବ

ନୂଆଦିଲ୍ଲୀ : ଚାରି ଜଣ ବରିଷ୍ଠ ବିଚାରପତିଙ୍କ ବିଦ୍ରୋହକୁ ନେଇ ସୁପ୍ରିମ କୋର୍ଟରେ ସୃଷ୍ଟି ହୋଇଥିବା ସଙ୍କଟ ଆଜି ମଧ୍ୟ ଜାରି ରହିଛି। ତେବେ ଯଥାଶୀଘ୍ର ଏହାର ସମାଧାନ ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ର ଏବଂ ଅନ୍ୟ ଅସନ୍ତୁଷ୍ଟ ବିଚାରପତିମାନଙ୍କ ମଧ୍ୟରେ ଆଲୋଚନାରେ ମଧ୍ୟସ୍ଥତା କରିବାକୁ ପ୍ରସ୍ତାବ ଦେଇଛି ଭାରତୀୟ ବାର କାଉନସିଲ। ଏଥିପାଇଁ ଏକ ୭ ଜଣିଆ କମିଟି ଗଠନ କରାଯାଇଛି। ପ୍ରଧାନ ବିଚାରପତି ମଧ୍ୟ ଆସନ୍ତାକାଲି ଉପରୋକ୍ତ ବିଚାରପତିମାନଙ୍କ ସହିତ ଆଲୋଚନା କରିପାରନ୍ତି ବୋଲି ସୂଚନା ମିଳିଛି।

ଆଜି ସନ୍ଧ୍ୟାରେ ବାର୍‌ କାଉନ୍‌ସିଲର ବୈଠକ ବସିଥିଲା। ଏଥିରେ ପ୍ରଧାନ ବିଚାରପତିଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରିଥିବା ୪ ବିଚାରପତିଙ୍କ ମାମଲା ନେଇ ବିସ୍ତତ ଆଲୋଚନା ହୋଇଥିଲା। ମାମଲାର ସମାଧାନ ପାଇଁ ୭ ଜଣିଆ କମିଟି ଗଠନ କରାଯାଇଛି। ଏହି କମିଟି ବରିଷ୍ଠତମ ବିଚାରପତି ଜେ. ଚେଲମେଶ୍ୱର, ବିଚାରପତି ରଂଜନ ଗୋଗୋଇ, ବିଚାରପତି ମଦନ ବି ଲୋକୁର ଏବଂ ବିଚାରପତି କୁରିଏନ ଜୋସେଫ୍‌ଙ୍କୁ ପର୍ଯ୍ୟାୟକ୍ରମେ ଭେଟି ଆଲୋଚନା କରିବେ। ଏହି ପ୍ରକ୍ରିୟା ଆସନ୍ତାକାଲିଠାରୁ ଆରମ୍ଭ ହେବ ବୋଲି କୁହାଯାଇଛି। ଦେଶର ନ୍ୟାୟ ବ୍ୟବସ୍ଥାକୁ ବିପର୍ଯ୍ୟସ୍ତ ହେବାକୁ ଦିଆଯିବ ନାହିଁ ଏବଂ ଏଥିରେ ସୁଧାର ଆଣିବାକୁ ଯୁଦ୍ଧକାଳୀନ ଭିତ୍ତିରେ ପ୍ରୟାସ ହେବ ବୋଲି ବାର୍‌ କାଉନ୍‌ସିଲ କହିଛି ।

ଏହା ସହିତ ସୁପ୍ରିମ୍‌ କୋର୍ଟ ମାମଲାରେ ରାଜନୈତିକ ଦଳମାନେ ସଂଯମ ରକ୍ଷା କରି ବୟାନ ଦେବା ଆବଶ୍ୟକ ବୋଲି ବାର୍‌ କାଉନ୍‌ସିଲ ଚେତାଇ ଦେଇଛି। ବାର୍‌ କାଉନ୍‌ସିଲ ଅଧ୍ୟକ୍ଷ ମନନ କୁମାର ମିଶ୍ର କହିଛନ୍ତି ଯେ ବର୍ତ୍ତମାନର ସ୍ଥିତିରେ ଆମେ ରାଜନୈତିକ ଦଳଗୁଡ଼ିକୁ ନ୍ୟାୟପାଳିକାକୁ ନେଇ ବୟାନବାଜି କରିବାକୁ ସୁଯୋଗ ଯୋଗାଇ ଦେଇଛୁ, ଯାହାକି ଦୁର୍ଭାଗ୍ୟପୂର୍ଣ୍ଣ। ବିଚାରପତିମାନେ କେସ୍‌ ବଣ୍ଟନ ସଂକ୍ରାନ୍ତ ଯେଉଁ ଅଭିଯୋଗ ଆଣିଛନ୍ତି ତାହାର ସରଳ ସମାଧାନ ହୋଇପାରିଥାନ୍ତା, ସେମାନେ ଏଥିପାଇଁ ସର୍ବସାଧାରଣଙ୍କ ନିକଟକୁ ଯିବା ଆବଶ୍ୟକ ନଥିଲା ବୋଲି ବାର୍‌ କାଉନ୍‌ସିଲ କହିଛି।

ସୁପ୍ରିମ୍‌ କୋର୍ଟରେ ଦେଖାଦେଇଥିବା ସଙ୍କଟ ନେଇ ପୂର୍ବତନ ଅତିରିକ୍ତ ସଲିସିଟର ଜେନେରାଲ ଅମରେନ୍ଦ୍ର ଶରଣ କହିଛନ୍ତି ଯେ ମାମଲାର ସମାଧାନ ପାଇଁ ଏକ ଆଭ୍ୟନ୍ତରୀଣ ସମାଧାନ ପନ୍ଥା ବାହାରିବା ଆବଶ୍ୟକ ଏବଂ ଏହାର ନେତୃତ୍ୱ ପ୍ରଧାନ ବିଚାରପତି ହିଁ ନିଅନ୍ତୁ। ଭବିଷ୍ୟତରେ ଏଭଳି ସଙ୍କଟ ଯେଭଳି ନ ଉପୁଜିବ ସେ ଦିଗରେ ଅଧିକ ଯତ୍ନ ନିଆଯିବା ଜରୁରୀ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ଏହି ମାମଲାରେ ପ୍ରଧାନ ବିଚାରପତି ଦୀପକ ମିଶ୍ର ଆସନ୍ତାକାଲି ବିଦ୍ରୋହ କରିଥିବା ୪ ଜଣ ବିଚାରପତିଙ୍କୁ ଭେଟିବେ ବୋଲି ଜଣାପଡ଼ିଛି। ବିଚାରପତି ଚେଲମେଶ୍ୱର ହିଁ ଏବେ ଦିଲ୍ଲୀରେ ଥିବା ବେଳେ ଅନ୍ୟ ୩ ଜଣ ବିଚାରପତି ଦିଲ୍ଲୀ ବାହାରେ ଅଛନ୍ତି। ଆସନ୍ତାକାଲି ସନ୍ଧ୍ୟାରେ ସେମାନେ ଫେରିବା ପରେ ପ୍ରଧାନ ବିଚାରପତିଙ୍କ ସହ ଆଲୋଚନା ହେବା ସମ୍ଭାବନା ରହିଛି । ମାମଲାର ତୁରନ୍ତ ସମାଧାନ ପାଇଁ ଏଟର୍ଣ୍ଣି ଜେନେରାଲ କେ.କେ. ବେଣୁଗୋପାଳ ପ୍ରୟାସ ଜାରି ରଖିଛନ୍ତି ଏବଂ ୪ ବିଚାରପତିଙ୍କ ସହ ପ୍ରଧାନ ବିଚାରପତିଙ୍କ ବୈଠକ ପରେ ଏ ବାବଦ ସ୍ଥିତି ସ୍ପଷ୍ଟ ହେବ ବୋଲି ଜଣାପଡ଼ିଛି।

ଅନ୍ୟପକ୍ଷରେ ସୁପ୍ରିମ୍‌ କୋର୍ଟର ସମସ୍ତ ବିଚାରପତି ଏକାଠି ବସି ବିବାଦର ସମାଧାନ କରନ୍ତୁ ବୋଲି ସୁପ୍ରିମ କୋର୍ଟ ବାର୍‌ ଆସୋସିଏସନ ପ୍ରସ୍ତାବ ଦେଇଛି। ସଂଘର ଅଧ୍ୟକ୍ଷ ବିକାଶ ସିଂହ କହିଛନ୍ତି ଯେ ୪ ବିଚାରପତିଙ୍କ ବିଦ୍ରୋହ ନେଇ ଆସୋସିଏସନ୍‌ର ଜରୁରୀ ବୈଠକ ବସି ଆାଲୋଚନା କରିଥିଲା। ନ୍ୟାୟର ସର୍ବୋଚ୍ଚ ସଂସ୍ଥାରେ ଦେଖାଦେଇଥିବା ସଙ୍କଟର ତୁରନ୍ତ ସମାଧାନ ନହେଲେ ନ୍ୟାୟ ବ୍ୟବସ୍ଥା ଉପରୁ ଦେଶବାସୀଙ୍କ ଆସ୍ଥା ତୁଟିଯିବ ବୋଲି ସେ କହିଛନ୍ତି। କେନ୍ଦ୍ର ସରକାର ଏହି ସଙ୍କଟର ସମାଧାନ ନ୍ୟାୟପାଳିକା ଉପରେ ହିଁ ଛାଡ଼ି ଦେଇଥିବାରୁ ନ୍ୟାୟ ବ୍ୟବସ୍ଥା ଏ ଦିଗରେ ସକ୍ରିୟ ହୋଇ କାର୍ଯ୍ୟ କରିବାକୁ ସୁପ୍ରିମ୍‌ କୋର୍ଟ ବାର୍‌ ଆସୋସିଏସନ କହିଛି।

ଇତିମଧ୍ୟରେ ଖବର ମିଳିଛି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରମୁଖ ସଚିବ ନୃପେନ୍ଦ୍ର ମିଶ୍ର ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ରଙ୍କୁ ଭେଟିଛନ୍ତି। କିନ୍ତୁ ନୃପେନ୍ଦ୍ର ଏହାକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି ଯେ ଏକ ବ୍ୟକ୍ତିଗତ କାମରେ ସେ ପ୍ରଧାନ ବିଚାରପତିଙ୍କ ବାସଭବନକୁ ଯାଇଥିଲେ। କିନ୍ତୁ ଜଷ୍ଟିସ ମିଶ୍ରଙ୍କ ସହ ସାକ୍ଷାତ ହୋଇପାରି ନାହିଁ। ତେବେ ଏହାକୁ ନେଇ କଂଗ୍ରେସ ଆପତ୍ତି ଉଠାଇଛି। କଂଗ୍ରେସ ନେତା ରଣଦୀପ ସୁର୍ଜେଓ୍ଵାଲା କହିଛନ୍ତି ଯେ ସୁପ୍ରିମ କୋର୍ଟ ବ୍ୟାପାରରେ ହସ୍ତକ୍ଷେପ କରିବାକୁ ପ୍ରଧାନମନ୍ତ୍ରୀ ଗତକାଲି ମନା କରିଥିବା ବେଳେ ଆଜି ତାଙ୍କର ଅଫିସର କିପରି ପ୍ରଧାନ ବିଚାରପତିଙ୍କୁ ଭେଟିଲେ? ପ୍ରଧାନମନ୍ତ୍ରୀ ଏହାର ଜବାବ ଦିଅନ୍ତୁ ବୋଲି ସେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର