ଘରକୁ ଫେରୁଥିବା ପ୍ରବାସୀ ଶ୍ରମିକଙ୍କଠାରୁ କୌଣସି ଭଡ଼ା ଆଦାୟ କରାଯାଇପାରିବ ନାହିଁ : ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ଦେଶରେ ଲକଡାଉନ ଘୋଷଣା ହେବା ପରେ ପ୍ରବାସୀ ଶ୍ରମିକଙ୍କ ଦୁର୍ଦ୍ଦଶା ସମଗ୍ର ଦେଶରେ ଚିନ୍ତା କାରଣ ହୋଇଛି । ଏହାକୁ ନେଇ ସୁପ୍ରିମ କୋର୍ଟ ଚିନ୍ତା ପ୍ରକଟ କରିବା ସହ  କେନ୍ଦ୍ର ଓ  ରାଜ୍ୟ ସରକାର  କେତେକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି । ପ୍ରବାସୀ ଶ୍ରମିକଙ୍କ ସଂପୂର୍ଣ୍ଣ ଟ୍ରେନ ବା ବସ ଭଡ଼ା ରାଜ୍ୟ ସରକାରମାନେ ବହନ କରିବେ । ସେମାନେ ବସ କିମ୍ବା ଟ୍ରେନରେ ଯାତ୍ରା କରୁଥିଲେ ସେମାନଙ୍କ ଭଡ଼ା ସେମାନଙ୍କ ରାଜ୍ୟ ସରକାର ବହନ କରିବେ । ସେମାନେ ଯେଉଁ ରାଜ୍ୟରୁ ଯାତ୍ରା ଆରମ୍ଭ କରୁଛନ୍ତି ସେହି ଷ୍ଟେସନର ସଂପୃକ୍ତ ରାଜ୍ୟ ସରକାର ସେମାନଙ୍କୁ ଖାଦ୍ୟ ଯୋଗାଇବେ ଅଥବା ଯେଉଁ ରାଜ୍ୟରେ ସେମାନେ ଫସି ରହିଛନ୍ତି ସେହି ରାଜ୍ୟ ସରକାର ଖାଦ୍ୟ ଓ ପାଣି ଯୋଗାଇବେ ।

ଏହି ମାମଲାର ବିଚାର କରି ସୁପ୍ରିମକୋର୍ଟ କହିଛନ୍ତି ଯେ ପ୍ରବାସୀ ଶ୍ରମିକଙ୍କ ପଂଜୀକରଣ ଓ ପରିବହନ ପାଇଁ ସରକାର କରିଥିବା ଆୟୋଜନ ରେ ତ୍ରୁଟି ରହୁଛି । ଏହି କାରଣରୁ ସେମାନେ ଚାଲି ଚାଲି ଅତି ବିପଦପୂର୍ଣ୍ଣ ଭାବେ ଘରକୁ ଫେରୁଛନ୍ତି । ଏଣୁ ଯେଉଁ ପ୍ରବାସୀମାନେ ଚାଲି ଚାଲି ଯାଉଛନ୍ତି ସେମାନଙ୍କୁ ତୁରନ୍ତ ଆଶ୍ରୟ ଦେବା ସହ ଖାଦ୍ୟ ଓ ମୌଳିକ ସୁବିଧା ଯୋଗାଇବାକୁ କୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

କେନ୍ଦ୍ର ସରକାରଙ୍କ ତରଫରୁ ସୋଲିସିଟର ଜେନେରାଲ ତୁଷାର ମେହେଟା କହିଥିଲେ ଯେ ଏହା ଏକ ଅଭୁତପୂର୍ବ ସଂକଟ ଓ ସରକାର ଏହାର ସମାଧାନ ଲାଗି ଅଭୁତପୂର୍ବ ପଦକ୍ଷେପ ନେଉଛନ୍ତି ।

ପ୍ରବାସୀ ଶ୍ରମିକଙ୍କ ଦୁର୍ଦ୍ଦଶା ସମ୍ପର୍କରେ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ସୁପ୍ରିମକୋର୍ଟ ଗତ ମଙ୍ଗଳବାରଦିନ ଏ କ୍ଷେତ୍ରରେ ହସ୍ତକ୍ଷେପ କରିଥିଲେ । ସୁପ୍ରିମକୋର୍ଟ ଏ ନେଇ ଚିନ୍ତା ପ୍ରକଟ କରିବା ସହ ନିଜ ଆଡ଼ୁ ମାମଲା ରୁଜୁ କରି କେନ୍ଦ୍ର ସରକାର ଓ ସମସ୍ତ ରାଜ୍ୟର ସରକାରଙ୍କୁ ନୋଟିସ୍ ଜାରି କରିଥିଲେ । ପ୍ରବାସୀ ଶ୍ରମିକଙ୍କ ସହାୟତା ପାଇଁ କଣ ପଦକ୍ଷେପ ନିଆଯାଉଛି ସେ ସଂପର୍କରେ ଜଣାଇବାକୁ ସୁପ୍ରିମକୋର୍ଟ କେନ୍ଦ୍ର ସରକାର ଓ ରାଜ୍ୟ ସରକାରମାନଙ୍କୁ ନୋଟିସ ଜାରି କରି ନିର୍ଦ୍ଦେଶ ଦେଇଥିଲେ ।

ସମ୍ବନ୍ଧିତ ଖବର