ତାଜମହଲ୍‌ର ଉଚିତ୍‌ ରକ୍ଷଣାବେକ୍ଷଣ କର ନଚେତ୍‌ ଆମେ ଏହାକୁ ବନ୍ଦ କରିଦେବୁ : ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ପୂର୍ବରୁ ତାଜମହଲ୍‌କୁ ନେଇ ଅନେକ ବାଦ ବିବାଦ ଲାଗି ରହିଥିବା ବେଳେ ଏବେ ଏହାକୁ ନେଇ ଏକ କଠୋର ଅାଭିମୁଖ୍ୟ ଗ୍ରହଣ କରିଛନ୍ତି  ସୁପ୍ରିମକୋର୍ଟ । ଦେଶର ପ୍ରସିଦ୍ଧ ଐତିହ୍ୟ ଅାଗ୍ରାସ୍ଥିତ ତାଜମହଲ୍‌ର ସଠିକ୍‌ ରକ୍ଷଣାବେକ୍ଷଣ କରାଯାଉ ନଥିବାରୁ କେନ୍ଦ୍ରକୁ ସୁପ୍ରିମକୋର୍ଟ ତାଗିଦ୍‌ କରିଥିବା ଜଣାପଡ଼ିଛି । ଉଚିତ ରକ୍ଷଣାବେକ୍ଷଣ  କର ନଚେତ୍‌ ଆମେ  ତାଜମହଲ୍‌କୁ ବନ୍ଦ କରିଦେବୁ ବୋଲି ସୁପ୍ରିମକୋର୍ଟ କେନ୍ଦ୍ରକୁ କଡ଼ା .ଚେତାବନୀ ଦେଇଥିବା ସୂଚନା ମିଳିଛି । ପୂର୍ବରୁ ସର୍ବୋଚ୍ଚ ନ୍ୟାୟାଳୟ ଉତ୍ତରପ୍ରଦେଶ ସରକାରଙ୍କୁ ତାଜ୍‌ମହଲର ସୁରକ୍ଷା ଏବଂ ସଂରକ୍ଷଣ ପାଇଁ ଦସ୍ତାବିଜ ପ୍ରସ୍ତୁତ କରିବା ପାଇଁ କହିଥିଲେ । କିନ୍ତୁ ଏଥିରେ ୟୁପି ସରକାର  ବିଫଳ ହେବା ପରେ ଏବେ ଏହି କାମକୁ କେନ୍ଦ୍ର ଉପରେ ନ୍ୟସ୍ତ କରିଛନ୍ତି ସୁପ୍ରିମକୋର୍ଟ । ତାଜମହଲ୍‌ ସୁରକ୍ଷା ପାଇଁ ସଂସଦୀୟ ସ୍ଥାୟୀ ସମିତି ରିପୋର୍ଟ ଉପରେ ସରକାର କୌଣସି କଠୋର ପଦକ୍ଷେପ ନେଇ ନାହାନ୍ତି ବୋଲି ସୁପ୍ରିମକୋର୍ଟ ବିଚାରପତି ଏମ୍‌.ବି ଲୋକୁର ଏବଂ ଦୀପକ ଗୁପ୍ତାଙ୍କ ଖଣ୍ଡପୀଠ କହିଛନ୍ତି ।

The Hindu

ଅନ୍ୟ ପକ୍ଷରେ ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ ପରେ ଇଣ୍ଡିଆନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍‌ନୋଲୋଜି,କାନ୍‌ପୁର ତାଜ୍‌ମହଲର ବାୟୁମଣ୍ଡଳରେ ପ୍ରଦୂଷଣର ମାତ୍ରା କେତେ ରହିଛି ତାହା ଆକଳନ କରୁଥିବା ବେଳେ ୪ ମାସ ମଧ୍ୟରେ ତାହାର ରିପୋର୍ଟ ଦେବ ବୋଲି କେନ୍ଦ୍ର ସୁପ୍ରିମକୋର୍ଟଙ୍କୁ ଜଣାଇଛି । ଏହା ସହ ପ୍ରଦୂଷଣସ୍ତର  ଜାଣିବା ପାଇଁ ଏକ ବିଶେଷ ସମିତି ଗଢ଼ା ଯାଇଛି, ଯେଉଁ ସମିତି ପ୍ରଦୂଷଣକୁ କିପରି ରୋକା ଯାଇ ପାରିବ ସେ ନେଇ ପରାମର୍ଶ ଦେବ ବୋଲି କେନ୍ଦ୍ର ସୁପ୍ରିମକୋର୍ଟଙ୍କୁ ଜଣାଇଛି ।

ସମ୍ବନ୍ଧିତ ଖବର