ପ୍ରଧାନ ବିଚାରପତିଙ୍କ ବିରୋଧରେ ଅସଦାଚରଣ ମାମଲା: ଷଡ଼ଯନ୍ତ୍ର ହୋଇଥିବା ଓକିଲ ଜଣାଇବା ପରେ ସିବିଆଇ ଓ ଗୁଇନ୍ଦା ମୁଖ୍ୟଙ୍କୁ ଡକାଇଲେ ସୁପ୍ରିମ୍‌ କୋର୍ଟ

ନୂଆଦିଲ୍ଲୀ: ଭାରତର ପ୍ରଧାନ ବିଚାରପତିଙ୍କ ବିରୋଧରେ ଆଗତ ଅସଦାଚରଣ ମାମାଲରେ ଷଡ଼ଯନ୍ତ୍ର କରାଯାଇଥିବାର ସବିଶେଷ ବିବରଣୀ ଜଣେ ଓକିଲ ଦେବା ପରେ ବୁଧବାର ଦିନ ସୁପ୍ରିମ୍‌ କୋର୍ଟ ସିବିଆଇ ଏବଂ ଗୁଇନ୍ଦା ମୁଖ୍ୟଙ୍କୁ ଚାମ୍ବର୍‌କୁ ଡକାଇଛନ୍ତି।

ଉତ୍ସବ ବୈନ୍‌ସ୍‌ ନାମକ ସେ ଓକିଲ ଦାବି କରିଥିଲେ ଯେ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ବିରୋଧରେ ଅସଦାଚରଣ ମାମଲା ଫ୍ରେମ୍‌ କରିବାକୁ ତାଙ୍କୁ ଅର୍ଥ ଯଚା ଯାଇଥିଲା। ଦେଶର ଅନ୍ୟତମ ଶ୍ରେଷ୍ଠ କର୍ପୋରେଟ୍‌ ଏହି ଷଡ଼ଯନ୍ତ୍ରର ମାଷ୍ଟର୍‌ମାଇଣ୍ଡ୍‌ ସେ କହିଥିଲେ।

ସିସିଟିଭି ଫୁଟେଜ୍‌ ଏବଂ ବୈନ୍‌ସ୍‌ ଦାଖଲ କରିଥିବା ପ୍ରମାଣକୁ ଦେଖି ତାଙ୍କ ଦାବିର ସତ୍ୟତା ଜାଣିବାକୁ ଅଦାଲତ ଦିଲ୍ଲୀ ପୁଲିସ ମୁଖ୍ୟ, ଆଇବି ଏବଂ ସିବିଆଇ ମୁଖ୍ୟଙ୍କୁ ଡକାଇଛନ୍ତି।

ଅତୀତରେ ସମ୍ପୃକ୍ତ କର୍ପୋରେଟ୍‌ ସାକ୍ଷୀମାନଙ୍କୁ ଲାଞ୍ଚ ଦେଇଥିଲେ ଓ ଭୟଭୀତ କରାଇଥିଲେ ବୋଲି ଉତ୍ସବ ବୈନ୍‌ସ୍‌ କହିଥିଲେ।

ବୁଧବାର ଦିନ ସେ ଅଦାଲତରେ ଗୋଟାଏ ମୁଦା ହୋଇଥିବା ଲଫାପା ଓ ସିସିଟିଭି ଫୁଟେଜ୍‌ ଦାଖଲ କରିଛନ୍ତି। ଏହାକୁ ଆଧାର କରି ସିବିଆଇ ମୁଖ୍ୟଙ୍କୁ ଡାକିବା ଲାଗି ଜଷ୍ଟିସ୍‌ ଅରୁଣ ମିଶ୍ର ଆଟର୍ଣ୍ଣି ଜେନେରାଲ୍‌ଙ୍କୁ କହିଛନ୍ତି।

ସିବିଆଇ, ଆଇବି ଏବଂ ଦିଲ୍ଲୀ ପୁଲିସ ମୁଖ୍ୟଙ୍କ ସହ ବୈଠକ ପରେ ଅପରାହ୍ଣ ୩ଟାରେ ଓକିଲ ଉତ୍ସବ ବୈନ୍‌ସ୍‌ଙ୍କ ଦାବିର ପୁଣି ଶୁଣାଣି କରାଯିବ ବୋଲି ସୁପ୍ରିମ୍‌ କୋର୍ଟଙ୍କ ଖଣ୍ଡପୀଠ କହିଛନ୍ତି।

ଏଇଟା ତଦନ୍ତ ନୁହେଁ, ଗୁପ୍ତରେ ଆମେ ସିବିଆଇ, ଆଇବି, ଦିଲ୍ଲୀ ପୁଲିସ ମୁଖ୍ୟଙ୍କ ସହ ବୈଠକ କରୁଛୁ, ଅପରାହ୍ଣ ୧୨: ୩୦ରେ ସେମାନେ ବିଚାରପତିମାନଙ୍କୁ ଚାମ୍ବରରେ ଭେଟିବେ ବୋଲି ସୁପ୍ରିମ୍‌ କୋର୍ଟ ସ୍ପଷ୍ଟ କରିଛନ୍ତି।

ସମ୍ବନ୍ଧିତ ଖବର