ସୁପ୍ରିମକୋର୍ଟ ସ୍ତବ୍ଧ : ଶିଶୁ ଆଶ୍ରୟସ୍ଥଳରୁ ୨ ଲକ୍ଷ ପିଲା ‘ନିଖୋଜ’

ନୂଆଦିଲ୍ଲୀ: ଶିଶୁ ଆଶ୍ରୟସ୍ଥଳ ଗୁଡ଼ିକରେ ଦୁଷ୍କର୍ମ ଏବଂ ଶାରୀରିକ ନିର୍ଯାତନା ଭଳି ଘଟଣାକୁ ନେଇ ସାରା ଦେଶରେ ଉତ୍ତେଜନା ଲାଗି ରହିଥିବା ବେଳେ ସୁପ୍ରିମକୋର୍ଟ ମଧ୍ୟ ନିକଟରେ ଘୋର୍‌ ଉଦ୍‌ବେଗ ପ୍ରକାଶ କରିଥିଲେ। ତେବେ ଶିଶୁ ଆଶ୍ରୟସ୍ଥଳରୁ ପାଖାପାଖି ୨ ଲକ୍ଷ ପିଲା ନିଖୋଜ ହେବା ଘଟଣାକୁ ନେଇ ସୁପ୍ରିମକୋର୍ଟ ଆଜି ସ୍ତବ୍ଧ ହୋଇ ଯାଇଛନ୍ତି। ଦୁଇଟି ସର୍ବେକ୍ଷଣର ଭିନ୍ନ ଭିନ୍ନ ତଥ୍ୟ ଆଧାରରେ ସୁପ୍ରିମକୋର୍ଟ ଜାଣିବାକୁ ପାଇଛନ୍ତି ଯେ ପାଖାପାଖି ୨ ଲକ୍ଷ ଶିଶୁ ଆଶ୍ରୟସ୍ଥଳରୁ ନିଖୋଜ ଅଛନ୍ତି।
ଉଲ୍ଲେଖଯୋଗ୍ୟ, ୨୦୧୬-୧୭ରେ ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରାଳୟ ନିର୍ଦ୍ଦେଶରେ ସ୍ୱେଚ୍ଛାସେବୀ ସଂସ୍ଥା ଚାଇଲ୍ଡଲାଇନ୍‌ ଦ୍ୱାରା ହୋଇଥିବା ସର୍ବେକ୍ଷଣରୁ ଜଣାପଡ଼ିଥିଲା ଯେ ଦେଶରେ ୯,୫୦୦ରୁ ଊର୍ଦ୍ଧ୍ୱ ଆଶ୍ରୟସ୍ଥଳରେ ୪.୩ ଲକ୍ଷ ପିଲା ରହୁଛନ୍ତି। କିନ୍ତୁ ପରେ ରାଜ୍ୟମାନଙ୍କ ସୂଚନାକୁ ଆଧାର କରି କେନ୍ଦ୍ର ଦ୍ୱାରା ହୋଇଥିବା ପରିସଂଖ୍ୟାନରୁ ଜଣାପଡ଼ିଥିଲା ଯେ ୮୬୦୦ ଆଶ୍ରୟସ୍ଥଳରେ ୨.୬ ଲକ୍ଷ ପିଲା ରହୁଛନ୍ତି। ତେବେ ଦୁଇଟି ଯାକ ସର୍ବେକ୍ଷଣର ଭିନ୍ନ ଭିନ୍ନ ତଥ୍ୟ ଦର୍ଶାଯାଇଥିବାରୁ ଏବଂ ପାଖାପାଖି ୨ ଲକ୍ଷ ଶିଶୁଙ୍କ ସଂଖ୍ୟା କମୁଥିବାରୁ ସୁପ୍ରିମକୋର୍ଟ ଏଥିରେ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ୨ ଲକ୍ଷ ଶିଶୁ କୁଆଡ଼େ ଗଲେ, ସେମାନଙ୍କ ମଧ୍ୟରୁ କେତେଜଣ ନିଖୋଜ ହୋଇଛନ୍ତି ବୋଲି ସୁପ୍ରିମକୋର୍ଟରେ ବିଚାରପତି ମଦନ ବି ଲୋକୁରଙ୍କ ଖଣ୍ଡପୀଠ କେନ୍ଦ୍ରକୁ ପ୍ରଶ୍ନ କରିଛନ୍ତି।

ଶିଶୁମାନଙ୍କୁ କେବଳ ଏକ ସଂଖ୍ୟା ଭାବେ ବିବେଚନା କରାଯାଉଛି କହି ସୁପ୍ରିମକୋର୍ଟ ଘୋର୍‌ ଉଦ୍‌ବେଗ ପ୍ରକାଶ କରିଛନ୍ତି। ତେବେ ଦିଆଯାଇଥିବା ତଥ୍ୟରେ ଥିବା ବିଭିନ୍ନତାକୁ ନେଇ ସୁପ୍ରିମକୋର୍ଟ କେନ୍ଦ୍ରକୁ ପ୍ରଶ୍ନ କରିଥିଲେ ମଧ୍ୟ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଇନଜୀବୀ ଏନ୍‌ ବାଳସୁବ୍ରମଣ୍ୟମ୍‌ ଏନେଇ ସଠିକ୍‌ ଉତ୍ତର ଦେଇ ପାରିନଥିଲେ। ତେବେ ପରବର୍ତ୍ତୀ ଶୁଣାଣିରେ କେନ୍ଦ୍ର ଏନେଇ ଉତ୍ତର ରଖିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆଶ୍ରୟସ୍ଥଳ ଗୁଡ଼ିକର ଯାଞ୍ଚ୍‌ ପାଇଁ ଜାତୀୟ ସ୍ତରୀୟ ଏବଂ ରାଜ୍ୟ ସ୍ତରୀୟ କମିଟି ଗଠନ ପାଇଁ କୋର୍ଟ ପ୍ରସ୍ତାବ ଦେଇଛନ୍ତି। କମିଟି ଗଠନ ନେଇ ରାଜ୍ୟ ଗୁଡ଼ିକର କୌଣସି ଆପତ୍ତି ନାହିଁ ତେଣୁ ପରବର୍ତ୍ତୀ ଶୁଣାଣିରେ କେନ୍ଦ୍ର ଏନେଇ ସକାରାତ୍ମକ ଉତ୍ତର ରଖନ୍ତୁ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର