ସୁପ୍ରିମ୍‌ କୋର୍ଟରେ ନୂତନ ମହିଳା ବିଚାରପତି; ଇନ୍ଦୁ ମାଲହୋତ୍ରାଙ୍କ ନିଯୁକ୍ତି ପାଇଁ କେନ୍ଦ୍ର ସରକାରଙ୍କ ଅନୁମୋଦନ

ନୂଆଦିଲ୍ଲୀ: ସୁପ୍ରିମ୍‌ କୋର୍ଟରେ ନିଯୁକ୍ତି ପାଇବେ ଜଣେ ନୂତନ ମହିଳା ବିଚାରପତି। ଏଥି ପାଇଁ କେନ୍ଦ୍ର ସରକାର ବରିଷ୍ଠ ଆଡ୍‌ଭୋକେଟ୍‌ ଇନ୍ଦୁ ମାଲହୋତ୍ରାଙ୍କ ଫାଇଲ୍‌କୁ ଅନୁମୋଦନ କରିଛନ୍ତି।

ଆସନ୍ତା ଶୁକ୍ରବାର ଦିନ କିଂବା ଆଗାମୀ ସପ୍ତାହର ଆରମ୍ଭରେ ଇନ୍ଦୁ ମାଲହୋତ୍ରା ଶପଥ ଗ୍ରହଣ କରି ପାରନ୍ତି। ବାର୍‌ରୁ ପଦୋନ୍ନତି ପାଇ ସୁପ୍ରିମ୍‌ କୋର୍ଟର ବିଚାରପତି ହେବାରେ ସେ ହେଉଛନ୍ତି ପ୍ରଥମ ମହିଳା। ସୁପ୍ରିମ୍‌ କୋର୍ଟରେ ‘ବରିଷ୍ଠ’ ବିବେଚିତ ହେବାରେ ସେ ହେଉଛନ୍ତି ଦ୍ୱିତୀୟ ମହିଳା ଓକିଲ।

ସୁପ୍ରିମ୍‌ କୋର୍ଟର ବିଚାରପତି ଭାବେ ନିଯୁକ୍ତି ଦେବା ପାଇଁ ସୁପ୍ରିମ୍‌ କୋର୍ଟ କଲେଜିୟମ୍‌ ଗତ ଫେବ୍ରୁଆରି ମାସରେ ଇନ୍ଦୁ ମାଲହୋତ୍ରା ଏବଂ ସମ୍ପ୍ରତି ଉତ୍ତରାଖଣ୍ଡ ହାଇକୋର୍ଟର ମୁଖ୍ୟ ବିଚାରପତି ଥିବା ଜଷ୍ଟିସ୍‌ କେଏମ୍‌ ଯୋସେଫଙ୍କ ନାଁ ସୁପାରିଶ କରିଥିଲେ।

କେଏମ୍‌ ଯୋସେଫଙ୍କୁ ସୁପ୍ରିମ୍‌ କୋର୍ଟର ବିଚାରପତି ଭାବେ ନିଯୁକ୍ତି ଦିଆ ଯିବା ସୁପାରିଶରେ ବରିଷ୍ଠତା ଉଲ୍ଲଂଘନ କରାଯାଇଛି ବୋଲି ପୂର୍ବରୁ କେନ୍ଦ୍ର ସରକାର କହିଥିଲେ। କଲେଜିୟମ୍‌ ସୁପାରିଶକୁ ଅନୁମୋଦନ କରାଯାଉ ନାହିଁ ବୋଲି ଖୋଲାଖୋଲି ସମାଲୋଚନା କରାଯାଇଥିଲେ ମଧ୍ୟ କେଏମ୍‌ ଯୋସେଫଙ୍କ ଫାଇଲ୍‌କୁ ଅନୁମୋଦନ କରାଯାଇ ନାହିଁ।

ସମ୍ବନ୍ଧିତ ଖବର