ଜୁଲାଇରୁ ଖୋଲିପାରେ ସ୍କୁଲ, ଛୋଟ ପିଲାମାନେ ଘରେ ରହି ପାଠପଢିବେ : ରିପୋର୍ଟ

ନୂଆଦିଲ୍ଲୀ : ଆସନ୍ତା ଜୁଲାଇରୁ ପର୍ଯ୍ୟାୟକ୍ରମେ ସ୍କୁଲ ଖୋଲିବାକୁ କେନ୍ଦ୍ର ସରକାର ଯୋଜନା କରୁଛନ୍ତି । ପ୍ରଥମେ ଗ୍ରୀନ ଓ ଅରେଞ୍ଜ ଜୋନରେ ସ୍କୁଲ ଖୋଲିବାକୁ ଅନୁମତି ଦିଆଯିବ । ତେବେ କରୋନା ବିପଦ ଦୃଷ୍ଟିରୁ ୧ମ ରୁ ୭ମ ଶ୍ରେଣୀ ପିଲାଙ୍କ ପାଇଁ ସ୍କୁଲ ଖୋଲିବ ନାହିଁ । କେବଳ ୮ମ ଶ୍ରେଣୀରୁ ଉର୍ଦ୍ଧ୍ୱ ପିଲାମାନେ ସ୍କୁଲ ଯାଇପାରିବେ ବୋଲି ଗଣମାଧ୍ୟମ ରିପୋର୍ଟରୁ ଜଣାପଡ଼ିଛି ।

ଛୋଟ ପିଲାମାନେ କରୋନା ପାଇଁ ଜାରି ଗାଇଡଲାଇନ ଯଥା ସାମାଜିକ ଦୂରତ୍ୱ ଆଦି ମାନିବାର ସମ୍ଭାବନା ନଥିବାରୁ ସେମାନଙ୍କୁ ଘରେ ରହିବାକୁ କୁହାଯିବ । ସେମାନେ ଘରେ ରହି ପାଠପଢିବେ । ଗତ ୧୪ ତାରିଖରେ ସ୍କୁଲ ଶିକ୍ଷକମାନଙ୍କ ସହ ଆଲୋଚନା କଲାବେଳେ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ ୩୦ ପ୍ରତିଶତ ଛାତ୍ରଛାତ୍ରୀରେ ସ୍କୁଲ ଚଳାଇବା ସମ୍ପର୍କରେ ମତ ଦେଇଥିଲେ । ଛାତ୍ରଛାତ୍ରୀମାନେ ଗୋଟିଏ ଦିନ ଛାଡ଼ି ସ୍କୁଲ ଯାଇପାରିବେ । ସ୍କୁଲରେ ସାମାଜିକ ଦୂରତ୍ୱ ରଖିବାକୁ ଏପରି କରାଯିବ ।

ଅନ୍ୟପକ୍ଷରେ ସ୍କୁଲ ଶିକ୍ଷକମାନଙ୍କୁ କରୋନା ମୁକାବିଲାର ବିଭିନ୍ନ ଗାଇଡଲାଇନ ପାଳନ ଲାଗି ତାଲିମ ଦିଆଯିବ, ଯେପରିକି ସେମାନେ ସ୍କୁଲରେ ତାହା ପାଳନ କରିପାରିବେ । ଦେଶରେ କରୋନା ବ୍ୟାପିବା ପରେ ସରକାରୀ ନିର୍ଦ୍ଦେଶମତେ ଗତ ମାର୍ଚ୍ଚ ୨୩ରୁ ସ୍କୁଲ ଓ କଲେଜ ଆଜି ଶିକ୍ଷାନୁଷ୍ଠାନ ବନ୍ଦ ରହିଛି ।

ସମ୍ବନ୍ଧିତ ଖବର