ଟ୍ରେନ୍‌ ଧକ୍କାରେ ସ୍କୁଲ୍‌ ଭ୍ୟାନ୍‌ ଚୂର୍‌ମାର୍‌, ୧୩ ମୃତ

ଲକ୍ଷ୍ନୌ : ଉତ୍ତରପ୍ରଦେଶରେ ଆଜି ଏକ ମର୍ମନ୍ତୁଦ ଦୁର୍ଘଟଣାରେ ୧୩ ଜଣ ସ୍କୁଲ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ଘଟିଛି ଏବଂ ୮ ଜଣ ଗୁରୁତର ଆହତ ହୋଇଛନ୍ତି। ସମସ୍ତ ମୃତାହତଙ୍କ ବୟସ ୧୦ ବର୍ଷରୁ କମ୍‌ ବୋଲି ଜଣାପଡ଼ିଛି । କୁଶିନଗର ଜିଲ୍ଲାରେ ଏକ ମାନବ ରହିତ ଲେବଲ କ୍ରସିଂ ନିକଟ୍‌ରେ ଆଜି ଏକ ପାସେଞ୍ଜର ଟ୍ରେନ୍‌ ସ୍କୁଲ୍‌ ଭ୍ୟାନ୍‌କୁ ଧକ୍କା ଦେବାରୁ ଘଟଣାସ୍ଥଳରେ ହିଁ ୧୩ ଜଣ ଶିଶୁଙ୍କ ମୃତ୍ୟୁ ଘଟିଥିଲା। ସମସ୍ତ ଆହତଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଛି। ଭ୍ୟାନ୍‌ ଡ୍ରାଇଭର ମଧ୍ୟ ଗୁରୁତର ଆହତ ହୋଇଛନ୍ତି।

ଲକ୍ଷ୍ନୌ ଠାରୁ ୩୨୫ କିମି ଦୂର ଦୁଦହି ରେଳ ଷ୍ଟେସନ୍‌ ନିକଟସ୍ଥ ବାହପୁର୍ବା ରେଲେଓ୍ଵ କ୍ରସିଂ ନିକଟରେ ଘଟିଥିବା ଏହି ଦୁର୍ଘଟଣା ରାଜ୍ୟବାସୀଙ୍କୁ ସ୍ତବ୍ଧ କରିଦେଇଛି। ସୂଚନାନୁଯାୟୀ ଡିଭାଇନ୍‌ ପବ୍ଲିକ୍‌ ସ୍କୁଲ୍‌ର ଏହି ସ୍କୁଲ୍‌ ଭ୍ୟାନ୍‌ଟି ଆଜି ସକାଳ ପ୍ରାୟ ୭ଟା ସମୟରେ ୨୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ନେଇ ସ୍କୁଲ୍‌ରେ ଛାଡ଼ିବାକୁ ଯାଉଥିବା ସମୟରେ ବାଟରେ ରେଳ ଫାଟକ ନିକଟରେ ଥାେଓ୍ଵ-କପ୍ତାନଗଞ୍ଜ ପାସେଞ୍ଜର ଟ୍ରେନ୍‌ ସହ ଧକ୍କା ହୋଇଥିଲା। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ କେବଳ ସ୍କୁଲ୍‌ ଭ୍ୟାନ୍‌ ଡ୍ରାଇଭରଙ୍କ ଭୁଲ୍‌ ଯୋଗୁଁ ଏତେଗୁଡ଼ିଏ ଶିଶୁଙ୍କ ଜୀବନ ଚାଲିଯାଇଛି। ଦୁର୍ଘଟଣାରେ ଭ୍ୟାନ୍‌୍‌ଟି ସଂପୂର୍ଣ୍ଣ ଚୂର୍‌ମାର ହୋଇଯାଇଛି। ଡ୍ରାଇଭର ଜଣକ କାନରେ ଇୟରଫୋନ୍‌ ଦେଇ ଦ୍ରୁତ ଗତିରେ ଗାଡ଼ି ଚଲାଉଥିଲେ। ସେ ଫାଟକ ନିକଟରେ ସାଇରନ୍‌ ମଧ୍ୟ ଶୁଣିପାରିନଥିଲେ। ସେପଟେ ଟ୍ରେନ୍‌ ଡ୍ରାଇଭର ହର୍ନ ଦେଇଥିଲେ ମଧ୍ୟ ଏହା ତାଙ୍କ କର୍ଣ୍ଣପାତ ହୋଇନଥିଲା।

ଦୁର୍ଭାଗ୍ୟବଶତଃ ଟ୍ରାକ୍‌ ଉପରେ ହିଁ ଭ୍ୟାନ୍‌ଟି କୌଣସି କାରଣ ବଶତଃ ବନ୍ଦ ହୋଇଯିବାରୁ ଦ୍ରୁତ ବେଗରେ ଆସୁଥିବା ଟ୍ରେନ୍‌ଟି ଏହା ଉପରେ ମାଡ଼ି ଯାଇଥିଲା। ଟ୍ରେନ୍‌ଟି ବିହାରର ସିଓ୍ଵାନ୍‌ରୁ ଗୋରଖପୁରକୁ ଯାତ୍ରା କରୁଥିଲା।

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଜି ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ମୃତ ଶିଶୁଙ୍କ ପରିବାର ସଦସ୍ୟଙ୍କୁ ୨ ଲକ୍ଷ ଟଙ୍କାର କ୍ଷତିପୂରଣ ଘୋଷଣା କରିଛନ୍ତି ଏବଂ ଆହତମାନଙ୍କ ଚିକିତ୍ସାପାଇଁ ପୂର୍ଣ୍ଣ ସହଯୋଗ ଦିଆଯିବ ବୋଲି କହିଛନ୍ତି। ଯୋଗୀ ମଧ୍ୟ ଆଜି ଦୁର୍ଘଟଣାସ୍ଥଳକୁ ଯାଇଥିଲେ ଏବଂ କୁଶିନଗର ଜିଲ୍ଲା ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ପିଲାମାନଙ୍କୁ ଭେଟଥିଲେ। ଗୋରଖପୁର କମିସନରଙ୍କୁ ସେ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୃହମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ଏହି ଦୁର୍ଘଟଣା ନେଇ ଦୁଃଖ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର