ତାଜମହଲର ପ୍ରକୃତ ରଙ୍ଗ ଜାଣିବାକୁ କରାଯିବ ବିଜ୍ଞାନଭିତ୍ତିକ ଅଧ୍ୟୟନ

ଆଗ୍ରା: ତାଜମହଲର ରଙ୍ଗ କେମିତକା? ଏ କଥା ଦେଶରେ ସଭିଏଁ ଜାଣିଥିଲେ ମଧ୍ୟ କେନ୍ଦ୍ର ସଂସ୍କୃତି ଓ ପରିବେଶ ମନ୍ତ୍ରାଳୟ ଏ ବାବଦରେ କୌଣସି ଅଡୁଆରେ ପଡ଼ିବାକୁ ଚାହୁଁ ନାହିଁ। ତାଜମହଲର ରଙ୍ଗ ବଦଳୁଛି ବୋଲି କିଛି ମାସ ତଳେ ସୁପ୍ରିମ୍‌ କୋର୍ଟ ଚିନ୍ତା ପ୍ରକଟ କରିବା ପରେ କେନ୍ଦ୍ର ସଂସ୍କୃତି ଓ ପରିବେଶ ମନ୍ତ୍ରୀ ମହେଶ ଶର୍ମା କହିଲେ ଯେ ତାଜମହଲରେ ବ୍ୟବହୃତ ଶଙ୍ଖମର୍ମର ପଥରର ବାସ୍ତବ ରଙ୍ଗ ଜାଣିବାକୁ ବିଜ୍ଞାନସମ୍ମତ ଅଧ୍ୟୟନ କରାଯିବ ଏବଂ ସେ ରିପୋର୍ଟ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଠାରେ ଦାଖଲ କରାଯିବ।

ତାଜମହଲର ରଙ୍ଗ ପରିବର୍ତ୍ତନ ସଂକ୍ରାନ୍ତରେ ପିଟିସନର୍‌ ଏମ୍‌ ସି ମେହେଟା ଦାଖଲ କରିଥିବା ଫଟୋଚିତ୍ର ଦେଖିବା ପରେ, ପ୍ରଥମେ ଏହା ଥିଲା ହଳଦିଆ। ଏବେ ବାଦାମୀ ଓ ସବୁଜ ପଡ଼ି ଗଲାଣି ବୋଲି ଜଷ୍ଟିସ୍‌ ଏମ୍‌ ବି ଲୋକୁର ଏବଂ ଦୀପକ ଗୁପ୍ତଙ୍କ ଖଣ୍ଡପୀଠ ମେ ପହିଲାରେ କହିଥିଲେ। ଏହାର ରଙ୍ଗ କାହିଁକି ବଦଳୁଛି ବୋଲି ସରକାରଙ୍କ ପକ୍ଷରୁ ହାଜର ହୋଇଥିବା ସଲିସିଟର୍‌ ଜେନେରାଲ୍‌ ଏ ଏନ୍‌ ଏସ୍‌ ନାଦକର୍ଣ୍ଣିଙ୍କୁ ପଚାରିଥିଲେ ଖଣ୍ଡପୀଠ।

ଆବଶ୍ୟକ ହେଲେ ଏଥିପାଇଁ ବିଦେଶରୁ ବିଶେଷଜ୍ଞ ଆଣି ପରୀକ୍ଷା କରିବାକୁ ମଧ୍ୟ ସୁପ୍ରିମ୍‌ କୋର୍ଟ ପରାମର୍ଶ କେନ୍ଦ୍ର ସରକାରଙ୍କୁ ଦେଇଥିଲେ।
ଶର୍ମା କହିଛନ୍ତି ଯେ ବିଜ୍ଞାନଭିତ୍ତିକ ଅଧ୍ୟୟନ ପରେ ଏକ ସଠିକ୍‌ ଦଲିଲ୍‌ ପ୍ରସ୍ତୁତି କରାଯିବ। ଫଳରେ ଆଉ ତାଜମହଲର ରଙ୍ଗ ବିଷୟରେ କେହି ପ୍ରଶ୍ନ ଉଠାଇବେ ନାହିଁ।

ସମ୍ବନ୍ଧିତ ଖବର