ପାକ୍‌କୁ ପ୍ରତିରକ୍ଷା ମନ୍ତ୍ରୀଙ୍କ ଚେତାବନୀ, ସୀମାରେ କାର୍ଯ୍ୟାନୁଷ୍ଠାନ ଜାରି ରହିବ

ଚେନ୍ନାଇ: ଭାରତ ଓ ପାକିସ୍ତାନ ସୀମାରେ ଏଣିକି ଭାରତୀୟ ସେନାର କାର୍ଯ୍ୟାନୁଷ୍ଠାନ ଜାରି ରହିବ। ଆତଙ୍କବାଦୀ କିମ୍ବା ପାକିସ୍ତାନୀ ସେନାର ମନମୁଖି କାର୍ଯ୍ୟକୁ ଆଉ ବରଦାସ୍ତ କରାଯିବ ନାହିଁ। ସେମାନଙ୍କର ଦୃଢ଼ ମୁକାବିଲା କରାଯିବ। ଭାରତୀୟ ସେନାର ସର୍ଜିକାଲ୍ ଷ୍ଟ୍ରାଇକ୍‌ର ୨ ବର୍ଷ ପୂର୍ତ୍ତି ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଶନିବାର ପାକିସ୍ତାନକୁ ଏଭଳି ଚେତାବନୀ ଦେଇଛନ୍ତି। ସୀତାରମଣ କହିଛନ୍ତି, ପାକ୍ ସେନା ଏବଂ ଏହାର ଆତଙ୍କବାଦୀମାନେ ୨୦୧୬ରେ ଭାରତୀୟ ସୀମା ଅଞ୍ଚଳରେ ଉତ୍ପାତ କରୁଥିଲେ। ସରକାରଙ୍କ ପକ୍ଷରୁ ବାରମ୍ବାର ଚେତାବନୀ ଦିଆଗଲେ ହେଁ ସେମାନଙ୍କ ଉତ୍ପାତ କ୍ରମେ ବଢ଼ିବାରେ ଲାଗିଥିଲା। ଗୋଟିଏ ପଟେ ପାକ୍ ‌େସନା ବାରମ୍ବାର ଅସ୍ତ୍ରବିରତି ଉଲ୍ଲଂଘନ କରି ଭାରତୀୟ ସେନା ଉପରେ ଆକ୍ରମଣ ଘଟାଇ ଚାଲିଥିବା ବେଳେ ଆତଙ୍କବାଦୀମାନେ ମଧ୍ୟ ଆକ୍ରମଣ ଘଟାଇଥିଲେ। ଫଳରେ ଅନେକ ଯବାନ ସହିଦ ହୋଇଥିଲେ। ତାହାର ଜବାବ ଦେବାକୁ ଯାଇ ଭାରତୀୟ ସେନା ୨୦୧୬ ସେପ୍ଟେମ୍ବରରେ ସର୍ଜିକାଲ୍ ଷ୍ଟ୍ରାଇକ୍ କରିଥିଲା। ଏଥିରେ ଅନେକ ଆତଙ୍କବାଦୀ ପ୍ରାଣ ହରାଇଥିଲେ। ପାକିସ୍ତାନକୁ ଏହା ଉଚିତ ଶିକ୍ଷା ଥିଲା। କିନ୍ତୁ ଏବେ ପାକିସ୍ତାନ ପୁଣି ଉତ୍ପାତ ଆରମ୍ଭ କରିଦେଇଛି। ତେଣୁ ସୀମା ଅଞ୍ଚଳରେ କାର୍ଯ୍ୟାନୁଷ୍ଠାନ ଜାରି ରହିବ ବୋଲି ସୀତାରମଣ ଚେତାବନୀ ଦେଇଛନ୍ତି। ସର୍ଜିକାଲ୍ ଷ୍ଟ୍ରା‌ଇକକୁ ୨ବର୍ଷ ପୂରିବା ଅବସରରେ ଶୁକ୍ରବାର ଆୟୋଜିତ ଏକ କାର୍ଯ୍ୟକ୍ରମରେ ଗୃହମନ୍ତ୍ରୀ ରାଜନାଥ ସିଂହ କହିଥି‌େଲ, ପାକ୍‌ ସେନା ନିକଟରେ ଭାରତର ବିଏସଏଫ ଯବାନଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଥିଲେ। କିନ୍ତୁ ତାହାର ଜବାବ ମଧ୍ୟ ଦିଆଯାଇଛି। ସେ ସଂପର୍କ‌ରେ ମୁଁ ଏବେ କହିବାକୁ ଚାହିବି ନାହିଁ। କିନ୍ତୁ ପାକିସ୍ତାନ ଉପରେ କିଛି ବଡ଼ଧରଣର କାର୍ଯ୍ୟାନୁଷ୍ଠାନ ନିଆଯାଇଛି ବୋଲି ରାଜନାଥ କହିଛନ୍ତି।

ସମ୍ବନ୍ଧିତ ଖବର