୧୯ତମ ହତ୍ୟା ମାମଲା: ସିରିଏଲ କିଲର ‘ସାଇନାଏଡ ମୋହନ’କୁ ଆଜୀବନ ଜେଲ୍‌

ମାଙ୍ଗା‌ଲୁରୁ: ସିରିଏଲ କିଲର ‘ସାଇନାଏଡ ମୋହନ’କୁ ମାଙ୍ଗାଲୁରୁ କୋର୍ଟ ଆଜୀବନ ଜେଲ୍‌ ଦଣ୍ଡ ଶୁଣାଇଛନ୍ତି। ୨୦୦୬ରେ କେରଳର କସରଗଡ଼ ଜିଲ୍ଲାର ଜଣେ ୨୩ ବର୍ଷୀୟା ମହିଳାଙ୍କୁ ସାଇନାଏଡ ବଟିକା ଦେଇ ହତ୍ୟା କରିବା ଅଭିଯୋଗରେ କୋର୍ଟ ତାକୁ ଆଜୀବନ ଜେଲ ଦଣ୍ଡାଦେଶ ଦେଇଛନ୍ତି। ମାଙ୍ଗାଲୁରୁ ଅତିରିକ୍ତ ଜିଲ୍ଲା ସେସନ୍‌ସ କୋର୍ଟ ଜଜ୍‌ ମୋହନକୁ ଆଜୀବନ କାରାଦଣ୍ଡ ସହ ୨୫ ହଜାର ଟଙ୍କା ଅର୍ଥଦଣ୍ଡ ଶୁଣାଣି କରିଛନ୍ତି। ମୋହନ ନାଁରେ ୨୦ଟି ହତ୍ୟା ମାମଲା ରହିଥିବା ବେଳେ ୧୯ତମ ହତ୍ୟା ମାମଲାର ଶୁଣାଣି କରି ବିଚାରପତି ତାଙ୍କୁ ଆଜୀବନ ଜେଲ ଦଣ୍ଡ ପ୍ରଦାନ କରିଛନ୍ତି। ଏହା ପୂର୍ବରୁ ୫ଟି ହତ୍ୟା ମାମଲାରେ ମୋହନକୁ ମୃତ୍ୟୁ ଦଣ୍ଡାଦେଶ ମିଳିଥିବା ବେଳେ ୩ଟି ମାମଲାରେ ଆଜୀବନ କାରାଦଣ୍ଡାଦେଶ ମିଳି ସାରିଛି। ମୋହନର ୧୯ତମ ହତ୍ୟା ମାମଲାର ଚାର୍ଜସିଟ୍‌ ଅନୁସାରେ, ମୋହନ ସମ୍ପୃକ୍ତ ମହିଳାଙ୍କୁ ବିବାହ ପ୍ରସ୍ତାବ ଦେଇଥିଲା। ୨୦୦୬ ଜାନୁଆରି ୩ରେ ମୋହନ ସମ୍ପୃକ୍ତ ମହିଳାଙ୍କୁ ମହୀଶୂରର ଏକ ଲଜ୍‌ରେ ରଖିଥିଲା। ସେମାନେ କର୍ଣ୍ଣାଟକ ରାଜ୍ୟ ସଡ଼କ ପରିବହନ ବସ୍‌ରେ ଯାଇଥିଲେ। ମୋହନ ସମ୍ପୃକ୍ତ ମହିଳାଙ୍କ ସହ ଲଜ୍‌ରେ ରହିଥିଲା ଏବଂ ତାଙ୍କୁ ଏକ ଗର୍ଭନିରୋଧ ବଟିକା ଖାଇବାକୁ ଦେଇଥିଲା। ମାତ୍ର, ‌‌ସେହି ବଟିକା ସାଇନାଏଡ ଥିଲା। ମହିଳାଜଣକ ବଟିକା ଖାଇବା ପରେ ୱାସ୍‌ ରୁମ୍‌ରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଏମିତି ଢଙ୍ଗରେ ସେ ଅନ୍ୟ ମହିଳାମାନଙ୍କୁ ହତ୍ୟା କରିଛି ବୋଲି ପୁଲିସ ଜାଣି ପାରିଥିଲା। ୨୦୦୯ରେ ମୋହନକୁ ପୁଲିସ ଗିରଫ କରିବା ପରେ ତା’ର ସୁଚିନ୍ତିତ ହତ୍ୟାକାଣ୍ଡ ଘଟଣା ସମ୍ପର୍କରେ ସୂଚନା ପାଇଥିଲା।

ସମ୍ବନ୍ଧିତ ଖବର