ଥମୁନି ପାକ୍‌ ଗୁଳିବର୍ଷା: ୨ ବିଏସ୍‌ଏଫ୍‌ ଯବାନ ଆହତ

-ଜଣେ ପାକ୍‌ ଆତଙ୍କବାଦୀ ନିପାତ, ପୁଂଚ୍‌ ଓ ରାଜୌରିରେ ଶତାଧିକ ଘର କ୍ଷତିଗ୍ରସ୍ତ

ଶ୍ରୀନଗର : ଜମ୍ମୁ କଶ୍ମୀର ପୁଞ୍ଚ୍‌ ଏବଂ ରାଜୌରି ଜିଲ୍ଲା ନିୟନ୍ତ୍ରଣ ରେଖା ନିକଟରେ ପାକ୍‌ ସେନା ଆଜି ପୁଣିଥରେ ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ବିଗତ ସପ୍ତାହକ ମଧ୍ୟରେ ୧୪ଥର ଅସ୍ତ୍ର ବିରତି ଉଲ୍ଲଂଘନ ହୋଇଥିବା ବେଳେ ପାକ୍‌ ଗୁଳିବର୍ଷା ଯୋଗୁଁ ପୁଂଚ୍‌ ଓ ରାଜୌରି ଅଂଚଳରେ ଶତାଧିକ ଘର କ୍ଷତିଗ୍ରସ୍ତ ହୋଇଛି। ପୁଞ୍ଚ୍‌ ଜିଲ୍ଲା ନିୟନ୍ତ୍ରଣ ରେଖା ନିକଟସ୍ଥ ଭିମ୍ଭେର ଗଲି ସେକ୍ଟରରେ ଆଜି ପାକ୍‌ ରେଞ୍ଜର୍ସମାନେ ଭାରତୀୟ ଆଗୁଆ ପୋଷ୍ଟ୍‍ ଏବଂ ସୀମା ନିକଟସ୍ଥ ଗ୍ରାମ ଗୁଡ଼ିକୁ ଟାର୍ଗେଟ୍‌ କରି ଗୁଳିବର୍ଷା ସହ ମୋର୍ଟାର ମାଡ଼ କରିଥିଲେ । ତେବେ ଭାରତୀୟ ସେନା ମଧ୍ୟ ଏହାର କଡ଼ା ଜବାବ ଦେବାପରେ କିଛି ସମୟ ପାଇଁ ପାକିସ୍ତାନର ବନ୍ଧୁକ ନିରବ ହୋଇଯାଇଥିଲା। ପାକିସ୍ତାନ ପଟେ ମଧ୍ୟ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଜଣାପଡ଼ିଛି । ସେହିପରି ରାଜୌରି ଜିଲ୍ଲାର ମଞ୍ଜକୋଟ୍‌ ସେକ୍ଟରରେ ନିୟନ୍ତ୍ରଣ ରେଖା ନିକଟରେ ତାରକୁଣ୍ଡି ଗଲି, ଲାମ୍ବି ବରି, ଖୋରିନାର ଓ ଧାର୍‌ ଅଞ୍ଚଳରେ ମଧ୍ୟ ପାକ୍‌ ରେଞ୍ଜର୍ସମାନେ ପ୍ରବଳ ଗୁଳିଗୋଳା

ମାଡ଼ କରିଛନ୍ତି ବୋଲି ଜଣେ ପ୍ରତିରକ୍ଷା ମୁଖପାତ୍ର କହିଛନ୍ତି। ପାକ୍‌ ରେଞ୍ଜର୍ସଙ୍କ ଅସ୍ତ୍ରବିରତି ଉଲ୍ଲଂଘନରେ ଦୁଇଜଣ ବିଏସଏଫ ଯବାନ ଆହତ ହୋଇଥିବା ଜଣାଯାଇଛି। ସୁରକ୍ଷା ଦୃଷ୍ଟିରୁ ରାଜୌରି ଜିଲ୍ଲା ଏଲଓସି ନିକଟସ୍ଥ ପ୍ରଭାବିତ ଅଞ୍ଚଳରେ ସ୍କୁଲ୍‌ଗୁଡ଼ିକୁ ବନ୍ଦ ରଖାଯାଇଛି।
ଚଳିତବର୍ଷ ଜମ୍ମୁ କଶ୍ମୀର ନିୟନ୍ତ୍ରଣ ରେଖା ନିକଟରେ ପାକ୍‌ ସେନାର ଅସ୍ତ୍ରବିରତି ଉଲ୍ଲଂଘନ ଦ୍ୱାରା ୧୨ ଯବାନଙ୍କ ସହ ସମୁଦାୟ ୨୧ ଜଣଙ୍କର ମୃତ୍ୟୁ ହୋଇଛି। ପାକ୍‌ ଆକ୍ରମଣରେ ପ୍ରାୟ ୮୦ ଜଣ ଆହତ ହୋଇଥିବା ଜଣାଯାଇଛି। ଅନ୍ୟପକ୍ଷେ ଆଜି ବାନ୍ଦିପୁରା ଜିଲ୍ଲାର ହଜିନ୍‌ ଅଞ୍ଚଳରୁ ଜଣେ ସନ୍ଦିଗ୍ଧ ପାକିସ୍ତାନୀ ଆତଙ୍କବାଦୀର ମୃତଦେହ ଉଦ୍ଧାର ହୋଇଛି। ଉଭୟପଟୁ ଗୁଳିମାଡ଼ର ସୁଯୋଗ ନେଇ ଭାରତ ସୀମାରେ ପଶିବାକୁ ଏହି ଆତଙ୍କବାଦୀ ଉଦ୍ୟମ କରୁଥିବା ବେଳେ ସୁରକ୍ଷା ବାହିନୀ ଗୁଳିରେ ନିପାତ ହୋଇଥିବା ଜଣାପଡ଼ିଛି । ଉଲ୍ଲେଖଯୋଗ୍ୟ ଗୋଟିଏ ଦିନ ପୂର୍ବରୁ ସମ୍ପୃକ୍ତ ଅଞ୍ଚଳରେ ଆତଙ୍କବାଦୀମାଦେ ଲୁଚି ରହିଥିବା ଖବର ପାଇ ସୁରକ୍ଷା ବାହିନୀ ପକ୍ଷରୁ ତଲାସୀ ଅଭିଯାନ ମଧ୍ୟ ହୋଇଥିଲା। ଅସ୍ତ୍ରବିରତି ଉଲ୍ଲଂଘନକୁ ଆଳକରି ନିୟନ୍ତ୍ରଣ ରେଖା ଅଂଚଳରେ ଆତଙ୍କବାଦୀଙ୍କ ଅନୁପ୍ରବେଶ ପାଇଁ ଅହରହ ପ୍ରୟାସ କରୁଥିବା ପାକିସ୍ତାନକୁ ଏବେ ଝଟ୍‌୍‌କା ଲାଗିଛି। ବିଗତ ୪ ଦିନ ମଧ୍ୟରେ ୨ଟି ବଡ଼ ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କରିଦିଆଯାଇଛି।

ସମ୍ବନ୍ଧିତ ଖବର