ୟୁପିରେ ସପା-ବସପା ମେଣ୍ଟ: ୩୮ ଲେଖାଏଁ ଆସନରେ ଲଢ଼ିବେ

ଲକ୍ଷ୍ନୌ: ୨୦୧୯ ଲୋକସଭା ନିର୍ବାଚନରେ ଉତ୍ତର ପ୍ରଦେଶରେ ବହୁଜନ ସମାଜ ପାର୍ଟି (ବସପା) ଏବଂ ସମାଜବାଦୀ ପାର୍ଟି (ସପା) ୩୮ଟି ଲେଖାଏଁ ଆସନରେ ଲଢ଼ିବାକୁ ନିଷ୍ପତ୍ତି ନେଇଛନ୍ତି। ଆଜି ଏ ବାବଦରେ ସପା ସୁପ୍ରିମୋ ଅଖିଳେଶ ଯାଦବ ଏବଂ ବସପା ସୁପ୍ରିମୋ ମାୟାବତୀ ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି। ରାଜ୍ୟର ୮୦ଟି ଲୋକସଭା ଆସନରୁ ଉଭୟ ଦଳ ମୋଟ ୭୬ ଆସନରେ ଲଢ଼ିବେ ଏବଂ ଆମେଥି ଏବଂ ରାୟବରେଲି ଆସନରେ ପ୍ରାର୍ଥୀ ଦେବେ ନାହିଁ ବୋଲି ଘୋଷଣା କରିଛନ୍ତି। କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ଏବଂ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏହି ଆସନରୁ ପ୍ରାର୍ଥୀ ହେବାକୁ ଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଥିବା ଅଖିଳେଶ କହିଛନ୍ତି। ଆଉ ୨ଟି ଆସନ କ୍ଷୁଦ୍ର ସହଯୋଗୀଙ୍କ ପାଇଁ ଛାଡ଼ିଦିଆଯିବ ବୋଲି ଘୋଷଣା କରାଯାଇଛି। ତେବେ ରାଷ୍ଟ୍ରୀୟ ଲୋକଦଳ (ଆରଏଲ୍‌ଡି) ୬ଟି ଆସନ ଦାବିରେ ଅଟଳ ରହିବା ସହ ଆଜି ସାମ୍ବାଦିକ ସମ୍ମିଳନୀକୁ ବର୍ଜନ କରିଥିଲା। ଏଭଳି ସ୍ଥିତିରେ ସପା-ବସପା ମେଣ୍ଟରେ ଆରଏଲ୍‌ଡିର ଆଉ ସ୍ଥାନ ନାହିଁ ବୋଲି କୁହାଯାଉଛି। ସାମ୍ବାଦିକ ସମ୍ମିଳନୀରେ ଅଖିଳେଶ କହିଥିଲେ ଯେ ବିଜେପି ରାଜ୍ୟରେ ଘୋର ବିପର୍ଯ୍ୟୟର ସମ୍ମୁଖୀନ ହେବ ଏବଂ ଏହାର ବିଜୟ ୪/୫ଟି ଆସନ ହିଁ ସୀମିତ ରହିଯିବ। ଅନ୍ୟପକ୍ଷରେ କଂଗ୍ରେସକୁ ମଧ୍ୟ ଅଖିଳେଶ ଟାର୍ଗେଟ୍‌ କରି କହିଥିଲେ ଯେ ଏହି ଦଳର ସ୍ଥିତି ରାଜ୍ୟରେ ଅତ୍ୟନ୍ତ ଦୁର୍ବଳ ରହିଛି ଏବଂ ଏହା ମେଣ୍ଟରେ ସାମିଲ ହେବା ଭଳି ସାମର୍ଥ୍ୟ ରଖୁନାହିଁ। ମାୟାବତୀ ମଧ୍ୟ କଂଗ୍ରେସକୁ କଡ଼ା ସମାଲୋଚନା କରି କହିଥିଲେ ଏହି ଦଳକୁ ଲୋକେ ପସନ୍ଦ କରୁନାହାନ୍ତି ଏବଂ ମେଣ୍ଟ କରିଥିଲେ ଆମ ଅଡ଼ୁଆ ବଢ଼ିଥାନ୍ତା। ଉଭୟ କଂଗ୍ରେସ ଏବଂ ବିଜେପି ଦେଶର ପ୍ରତିରକ୍ଷା ଦୁର୍ନୀତିରେ ସଂପୃକ୍ତ ଏବଂ ସେମାନଙ୍କୁ ରାଜ୍ୟବାସୀ ଉଚିତ ଶିକ୍ଷାଦେବେ ବୋଲି ମାୟାବତୀ କହିଛନ୍ତି। ସପା ଏବଂ ବସପାର ଭୋଟ୍‌ ପରସ୍ପରକୁ ମିଳିବ ଏବଂ ରାଜ୍ୟବାସୀ ଏହି ମେଣ୍ଟକୁ ସମର୍ଥନ କରୁଛନ୍ତି ବୋଲି ସେ କହିଛନ୍ତି।

ମାୟାବତୀ ପ୍ରଧାନମନ୍ତ୍ରୀ ହେଲେ ବହୁତ ଖୁସି ହେବି: ଅଖିଳେଶ
ଲକ୍ଷ୍ନୌ: ସପା-ବସପାର ମିଳିତ ସାମ୍ବାଦିକ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ପ୍ରଶ୍ନକୁ ନେଇ ଆଜି ଆଖିଳେଶ ଅଡ଼ୁଆରେ ପଡ଼ିଯାଇଥିଲେ। ମାୟାବତୀଙ୍କୁ ପ୍ରଧାନମନ୍ତ୍ରୀ ଭାବେ ଆପଣ ସମର୍ଥନ କରିବେ କି ବୋଲି ପ୍ରଶ୍ନରେ ଅଖିଳେଶ କହିଥିଲେ ଯେ ଉତ୍ତର ପ୍ରଦେଶରୁ ହିଁ କେହି ପ୍ରଧାନମନ୍ତ୍ରୀ ହେବା ସେ ଚାହୁଛନ୍ତି। ତେବେ ମାୟାବତୀ ପ୍ରଧାନମନ୍ତ୍ରୀ ହେଲେ ସେ ବହୁତ ଖୁସି ହେବେ ବୋଲି ଅଖିଳେଶ କହିଥିଲେ। ଏସ୍‌ପି-ବିଏସ୍‌ପି ମେଣ୍ଟ ଏକ ଅନୈତିକ ବୁଝାମଣା ବୋଲି ବିଜେପି କହିଥିବାରୁ ଏଥିରେ ପ୍ରତିକ୍ରିୟା ପ୍ରକାଶ କରି ଅଖିଳେଶ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଏବଂ ଅମିତ ଶାହଙ୍କ ନିଦ ଆଗକୁ ହଜିଯିବ। ମାୟାବତୀଙ୍କ ପ୍ରତି ଅପମାନ ମୋ ନିଜର ଅପମାନ ବୋଲି ସେ କହିଥିଲେ।

ସମ୍ବନ୍ଧିତ ଖବର