ଏଚଆଇଭିର ଶିକାର ହୋଇ ସୁସ୍ଥ ହୋଇଥିବା ବିଶ୍ବର ଦ୍ବିତୀୟ ବ୍ୟକ୍ତି ଲୋକଲୋଚନକୁ ଆଣିଲେ ନିଜର ପରିଚୟ

ନୂଆଦିଲ୍ଲୀ: ମାର୍ଚ୍ଚ ୨୦୧୯ରେ ଲଣ୍ଡନର ଜଣେ  ରୋଗୀଙ୍କୁ ଏଚ୍.ଆଇ.ଭି ଜୀବାଣୁମୁକ୍ତ ଘୋଷଣା କରାଯାଇଥିଲା। ପୂର୍ବରୁ ତାଙ୍କ ପରିଚୟ ଲୋକଲୋଚନକୁ ଅଣାଯାଇ ନଥିବା ବେଳେ ଏବେ ସେ ନିଜେ ଆଗକୁ ଆସି ନିଜର ପରିଚୟ ପ୍ରକାଶ କରିଛନ୍ତି। ଗତବର୍ଷ ହାମରସ୍ମିଥ୍ ହସ୍ପିଟାଲରେ ତାଙ୍କର ଚିକିତ୍ସା କରାଯାଇଥିବା ବେଳେ ସେ ସଂପୂର୍ଣ୍ଣଭାବେ ସୁସ୍ଥ ହୋଇଯାଇଥିଲେ। କିନ୍ତୁ ସୁସ୍ଥ ହେବା ପ‌ରେ ସେ ନିଜର ନାଁକୁ ପ୍ରକାଶ କରିନଥିଲେ। ଏବେ ତାଙ୍କ ନାଁ ଆଡାମ୍ କାଷ୍ଟିଲେଜୋ ବୋଲି ଜଣା ପଡ଼ିଥିବା ବେଳେ ତାଙ୍କୁ ୪୦ବର୍ଷ ବୋଲି ସୂଚନା ମିଳିଛି। ଆଡାମ୍ ସୁସ୍ଥ ହେବା ପରେ ବିଶ୍ବର ଦ୍ବିତୀୟ ଏଭଳି ‌ବ୍ୟକ୍ତି ପାଲଟିଥିଲେ, ଯିଏ ଏଚ୍.ଆଇ.ଭି  ଭଳି ମାରାତ୍ମକ ରୋଗର ଶିକାର ହୋଇ ସୁସ୍ଥ ହେବାରେ ସଫଳତା ଲାଭ କରିଥିଲେ।

‌ସେ କହିଛନ୍ତି, ସର୍ବସାଧାରଣରେ ମୋର ପରିଚୟ ଏବଂ ମୋର କାହାଣୀ ପ୍ରକାଶ କରି, ମୁଁ ବିଜ୍ଞାନ ଏବଂ ଏଚ୍.ଆଇ.ଭି ବିଷୟରେ ଲୋକଙ୍କ ମନ‌ରେ ଥିବା ଧାରଣାକୁ ବଦଳାଇପାରିବି ବୋଲି ଆଶା କରୁଛି। ସେମାନଙ୍କ ମନରେ ଏଚ୍.ଆଇ.ଭିକୁ ନେଇ ଥିବା ଭୟ କେତେକାଂଶରେ ଦୂର ହେବ ନିଶ୍ଚୟ। ଏହି ଯାତ୍ରାରେ ମୋତେ ସମର୍ଥନ କରିଥିବା ସମସ୍ତଙ୍କୁ ମୁଁ ଅଶେଷ ଧନ୍ୟବାଦ ଦେବାକୁ ଚାହେଁ, ବିଶେଷକରି ହାମରସ୍ମିଥ୍ ହସ୍ପିଟାଲରେ ମୋର ଡାକ୍ତରୀ ଦଳକୁ ଧନ୍ୟବାଦ ଦେବାକୁ ଚାହେଁ ଯାହାଙ୍କ ବିନା ମୁଁ ଆଜି ଏଠାରେ ନ ଥା’ନ୍ତି ବୋଲି ସ୍କାଏ ନ୍ୟୁଜକୁ ସାକ୍ଷାତକାର ଦେଇ କହିଛନ୍ତି ଆଡାମ।

indiatimes.com
ସମ୍ବନ୍ଧିତ ଖବର