ଦ୍ୱିତୀୟ ପର୍ଯ୍ୟାୟ ବଜେଟ୍‌ ଅଧିବେଶନ:ହଟ୍ଟଗୋଳରେ ପ୍ରଥମ ଦିନ ବରବାଦ

ମଙ୍ଗଳବାର ଯାଏ ଉଭୟ ଗୃହ ମୁଲତବୀ
ନୂଆଦିଲ୍ଲୀ: ସଂସଦ ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଆଜିଠୁ ଆରମ୍ଭ ହୋଇଥିଲା ବେଳେ ପ୍ରଥମ ଦିନ ଉଭୟ ଗୃହରେ ପ୍ରବଳ ହଟ୍ଟଗୋଳ ହେବା ସହ ଗୃହ କାର୍ଯ୍ୟ ଚାଲିପାରିନାହିଁ। ପିଏନ୍‌ବି ଠକେଇ ମାମଲାର ଅଭିଯୁକ୍ତ ନିରବ ମୋଦି ଫେରାର ହେବା, ଆନ୍ଧ୍ରପ୍ରଦେଶକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରଦାନ, କାବେରୀ ଜଳବିବାଦ ଆଦି ପ୍ରସଙ୍ଗରେ ବିରୋଧୀ ଦଳ ଉଭୟ ଗୃହରେ କେନ୍ଦ୍ର ସରକାରଙ୍କୁ ଘେରିଥିଲେ। ସଂସଦ ପରିସର ସ୍ଥିତ ଗାନ୍ଧୀ ମୂର୍ତ୍ତି ତଳେ ଟିଏମ୍‌ସି ସାଂସଦମାନେ କେନ୍ଦ୍ର ସରକାରଙ୍କ ବିରୋଧରେ ନାରାବାଜି କରିଥିଲେ।
ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଂସଦରେ ପହଞ୍ଚିବା କ୍ଷଣି ବିଜେପି ସାଂସଦମାନେ ତ୍ରିପୁରା ବିଜୟ ପାଇଁ ତାଙ୍କୁ ସ୍ୱାଗତ କରିଥିବା ବେଳେ ବିରୋଧୀମାନେ ହୋହଲ୍ଲା ଆରମ୍ଭ କରିଦେଇଥିଲେ। ଲୋକସଭାରେ ଅଧ୍ୟକ୍ଷା ସୁମିତ୍ରା ମହାଜନ ଗୃହକାର୍ଯ୍ୟ ଆରମ୍ଭ କରିବା କ୍ଷଣି କଂଗ୍ରେସ ଓ ତୃଣମୂଳ କଂଗ୍ରେସ ସାଂସଦମାନେ ଗୃହର ମଧ୍ୟଭାଗ ଏବଂ ଅଧ୍ୟକ୍ଷଙ୍କ ଟେବୁଲ ସମ୍ମୁଖକୁ ଆସି ପିଏନ୍‌ବି ଦୁର୍ନୀତି ମାମଲାରେ କେନ୍ଦ୍ର ସରକାରଙ୍କ ସମ୍ପୃକ୍ତି ଥିବା ନେଇ ସ୍ଳୋଗାନ ଦେଇଥିଲେ। ଏହି ସମୟରେ ଆନ୍ଧ୍ରପ୍ରଦେଶ ପୁନର୍ଗଠନ ଆଇନ୍‌କୁ ସମ୍ପୂର୍ଣ୍ଣ ଭାବେ ଲାଗୁ କରିବା ସହ ସ୍ୱତନ୍ତ୍ର ପାହ୍ୟା ପ୍ରଦାନ ଦାବିରେ ତେଲୁଗୁ ଦେଶମ ପାର୍ଟିର ସାଂସଦମାନେ ନାରାବାଜି କରିଥିଲେ। ଏହାପରେ ଅଧ୍ୟକ୍ଷ ମଙ୍ଗଳବାର ଯାଏ ଗୃହକୁ ମୁଲତବି ଘୋଷଣା କରିଥିଲେ।
ସେହିଭଳି ରାଜ୍ୟସଭାରେ ଆର୍ଥିର୍କ ଦୁର୍ନୀତି ପ୍ରସଙ୍ଗରେ ବିରୋଧୀ ଦଳଙ୍କ ଚର୍ଚ୍ଚା ଦାବିକୁ ଉପସଭାପତିି ପିଜେ କୁରିୟନ ସହମତି ଦେବା ସତ୍ତ୍ୱେ ନାରାବାଜି ଥମିନଥିଲା। ଆର୍ଥିକ ଦୁର୍ନୀତି ପ୍ରସଙ୍ଗ ବଜେଟ୍‌ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟକୁ ସରଗରମ କରିଥିବା ବେଳେ ଉଭୟ ବିଜେପି ଓ କଂଗ୍ରେସ ପକ୍ଷରୁ ମୁଲତବୀ ପ୍ରସ୍ତାବ ଆଗତ କରାଯାଇଥିଲା। କଂଗ୍ରେସ ନେତା ପି .ଚିଦମ୍ବରମଙ୍କ ପୁଅ କାର୍ତ୍ତି ଚିଦମ୍ବରମ୍‌ ଆଇଏନ୍‌ଏକ୍ସ ମିଡିଆ ମାମଲାରେ ଗିରଫ ହେବା ପ୍ରସଙ୍ଗ ନେଇ ବିଜେପି ସାଂସଦମାନେ କଂଗ୍ରେସକୁ ଭର୍ତ୍ସନା କରିଥିଲେ। କାବେରୀ ଜଳବିବାଦ ମାମଲାରେ ଏଆଇଏଡିମ୍‌କେ ସାଂସଦମାନେ କେନ୍ଦ୍ର ସରକାରଙ୍କ ବିରୋଧରେ ସ୍ଳୋଗାନ କରିଥିଲେ। ସେହିଭଳି ନିରବ ମୋଦି ଫେରାର ହେବା ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାହିଁକି ଚୁପ୍‌ ରହିଛନ୍ତି ବୋଲି କଂଗ୍ରେସ ନେତା ଆନନ୍ଦ ଶର୍ମା ପ୍ରଶ୍ନ କରିଥିଲେ। ଅପରପକ୍ଷେ, ପିଏନ୍‌ବି ଠକେଇ ଘଟଣା ୟୁପିଏ ଅମଳରେ ଆରମ୍ଭ ହୋଇଥିଲା,କିନ୍ତୁ ନିଜ ମୁଣ୍ଡରୁ ଦୋଷ ଛଡ଼ାଇବାକୁ କଂଗ୍ରେସ ଏନ୍‌ଡିଏ ସରକାରଙ୍କ ଉପରେ କାଦୁଅ ଫିଙ୍ଗୁଛି ବୋଲି କେନ୍ଦ୍ରମନ୍ତ୍ରୀ ପିୟୁସ ଗୋଏଲ କହିଥିଲେ। ଫଳରେ ବିରୋଧୀ ସାଂସଦମାନେ ଗୃହ ମଧ୍ୟଭାଗକୁ ଆସି ସ୍ଳୋଗାନ ଦେବା ପରେ ଉପସଭାପତି କୁରିୟନ୍‌ ଗୃହକୁ ମଙ୍ଗଳବାର ଯାଏ ମୁଲତବି ଘୋଷଣା କରିଥିଲେ। ଉଲ୍ଲେଖଯୋଗ୍ୟ, ଜାନୁଆରି ୨୯ରେ ଆରମ୍ଭ ହୋଇଥିବା ବଜେଟ ଅଧିବେଶନର ପ୍ରଥମ ପର୍ଯ୍ୟାୟ ଫେବ୍ରୁଆରି ୯ରେ ସରିଥିବା ବେଳେ ୨୩ ଦିନର ବିଶ୍ରାମ ପରେ ଆଜିଠାରିୁ ଆରମ୍ଭ ହୋଇଥିବା ଦ୍ୱିତୀୟ ତଥା ଅନ୍ତିମ ପର୍ଯ୍ୟାୟ ଏପ୍ରିଲ ୯ ଯାଏ ଚାଲିବ।

ସମ୍ବନ୍ଧିତ ଖବର