ହଂକଂରୁ ମିଳିଲା ଦ୍ୱିତୀୟ ବିଶ୍ୱଯୁଦ୍ଧର ବୋମା

ନୂଆଦିଲ୍ଲୀ: ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟର ଏକ ବୋମା ଗତକାଲି ହଂକଂରେ ଠାବ ହେବାପରେ ଏହାକୁ ନେଇ ସମ୍ପୃକ୍ତ ଅଞ୍ଚଳରେ  ଆତଙ୍କ ଖେଳିଯାଇଛି। ବୋମାକୁ ନିଷ୍କ୍ରିୟ କରିବା ପାଇଁ ୪୦୦୦ରୁ ଊର୍ଦ୍ଧ୍ୱ ଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି ଏବଂ ବିଶେଷଜ୍ଞମାନେ ଏହି ବୋମାକୁ ଏବେ ନିଷ୍କ୍ରିୟ କରିବାପାଇଁ ପ୍ରଚେଷ୍ଟା ଚଳାଇଛନ୍ତି। ବାଣିଜ୍ୟିକ ଏବଂ ଆର୍ଥିକ ଜିଲ୍ଲା ଓ୍ଵାଞ୍ଚାଇର ଏକ ନିର୍ମାଣାଧୀନ ଅଞ୍ଚଳରେ ୪୫୦ କିଲୋଗ୍ରାମ୍‌ ଓଜନର ଉକ୍ତ ବୋମାଟି ଠାବ  କରାଯାଇଛି। ତେବେ ଏହି ସମାନ ଅଞ୍ଚଳରୁ ମଧ୍ୟ ଗତ ଜାନୁଆରି ୨୭ ତାରିଖରେ   ଅନ୍ୟ ଏକ ବୋମା ମିଳିଥିଲା ଏବଂ ଏହାକୁ ସଫଳ ଭାବେ ନିଷ୍କ୍ରିୟ କରିବା ପର୍ଯ୍ୟନ୍ତ ସମ୍ପୃକ୍ତ ଅଞ୍ଚଳରୁ ଲୋକମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତରିତ କରାଯାଇଥିଲା। ଗତକାଲି ଦ୍ୱିତୀୟ ବିଶ୍ୱଯୁଦ୍ଧର ଏହି ବୋମା ଠାବ  ହେବାପରେ ଉକ୍ତ ସ୍ଥାନକୁ ପୁଲିସ ଏବଂ ସୁରକ୍ଷାକର୍ମୀ ନିଜ ନିୟନ୍ତ୍ରଣକୁ ନେଇଛନ୍ତି । ସ୍ଥାନୀୟ ଅଂଚଳର ସ୍କୁଲ୍‌, କଲେଜ, ହୋଟେଲ୍‌ ଏବଂ ଅଫିସ୍‌ଗୁଡ଼ିକ ବନ୍ଦ ରହିଛି। ସାମୁଦ୍ରିକ ପରିବହନ ସେବା ମଧ୍ୟ ବନ୍ଦ ରହିଥିବା ଜଣାଯାଇଛି। ପ୍ରଥମ ବୋମାଟି ଯେଉଁ ସ୍ଥାନରେ ମିଳିଥିଲା ତା’ର ମାତ୍ର ୧୦ ମିଟର ଦୂରରେ ଦ୍ୱିତୀୟ ବୋମାଟି ମିଳିଛି। ଦୁଇଟି ଯାକ ବୋମାକୁ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଆମେରିକା ସେନା ଦ୍ୱାରା ପକାଯାଇଥିଲା।

ସମ୍ବନ୍ଧିତ ଖବର