ଫିଟୁଛି ଗୁମର:୩ ହଜାରରୁ ଊର୍ଦ୍ଧ୍ୱ କଲ୍‌

ନୂଆଦିଲ୍ଲୀ: ଦିଲ୍ଲୀ କ୍ୟାଣ୍ଟନମେଣ୍ଟ ଅଞ୍ଚଳରେ ମେଜର୍‌ ଅମିତ ଦ୍ୱିବେଦୀଙ୍କ ପତ୍ନୀ ଶୈଳଜାଙ୍କୁ ମେଜର ନିଖିଲ ହାଣ୍ଡା ହତ୍ୟା କରିବା ଘଟଣାର ଗୁମର ଫିଟିବାରେ ଲାଗିଛି। ପୁଲିସ୍‌ ତଦନ୍ତରୁ ଅନେକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଥିବା ବେଳେ ଉଭୟଙ୍କ ମଧ୍ୟରେ ଥିବା ଅନୈତିକ ପ୍ରେମ ସମ୍ପର୍କ ଏହି ହତ୍ୟାକାଣ୍ଡର ମୂଳ କାରଣ ବୋଲି ଜଣାପଡ଼ିଛି। ଶୈଳଜା ତାଙ୍କୁ ବିବାହ କରିବାକୁ ଏବଂ ସମ୍ପର୍କ ଜାରି ରଖିବାକୁ ରାଜି ନହେବାରୁ ତାଙ୍କୁ ହତ୍ୟା କରିଥିବା ମେଜର ନିଖିଲ ହାଣ୍ଡା ପୁଲିସ୍‌ ଆଗରେ ସ୍ୱୀକାର ମଧ୍ୟ କରିଛନ୍ତି।
ଅପରପକ୍ଷେ, ଦିଲ୍ଲୀ ପଟିଆଲା ହାଉସ୍‌ କୋର୍ଟ ଏହି ମାମଲାରେ ମେଜର ହାଣ୍ଡାଙ୍କୁ ୪ ଦିନିଆ ପୁଲିସ୍‌ ରିମାଣ୍ଡରେ ପଠାଇଛନ୍ତି। ପୁଲିସ ଏହି ଘଟଣାରେ ଅଧିକ ପ୍ରମାଣ ପାଇଁ ମେଜର ହାଣ୍ଡାଙ୍କୁ ପଚରା ଉଚରା ଜାରି ରଖିଛି। ପୁଲିସ୍‌ ମୃତ ଶୈଳଜା ଓ ମେଜର ହାଣ୍ଡାଙ୍କ କଲ ରେକର୍ଡ ଯାଞ୍ଚ କରିବା ପରେ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ଗତ ୬ମାସ ମଧ୍ୟରେ ଉଭୟଙ୍କ ମଧ୍ୟରେ ସାଢେ ୩ ହଜାରରୁ ଅଧିକ ଥର ଫୋନ୍‌ରେ କଥା ହୋଇଥିବା ଜଣାପଡ଼ିଛି। ଏହାକୁ ଦେଖିଲେ ଉଭୟଙ୍କ ମଧ୍ୟରେ ଦିନକୁ ହାରାହାରି ୧୯ ଥର ଫୋନ୍‌ରେ ବାର୍ତ୍ତାଳପ ହେଉଥିଲା। କେବଳ ଏତିକି ନୁହେଁ ଦିନକୁ ୧୨-୧୫ ଥର ଉଭୟେ ମେସେଜ ଚାଟିଂ ମଧ୍ୟ କରୁଥିଲେ। ତେବେ ମେଜର ହାଣ୍ଡା ଅତି ଚତୁରତାର ସହ ଶୈଳଜାଙ୍କୁ ହତ୍ୟା କରିବା ପରେ ତାଙ୍କର ତିନୋଟି ମୋବାଇଲକୁ ଭାଙ୍ଗି ନଷ୍ଟ କରିଦେଇଥିଲେ। କିନ୍ତୁୁ ସେ ମଧ୍ୟରୁ ଗୋଟିଏ ମୋବାଇଲର ତଥ୍ୟ ପୁଲିସ୍‌କୁ ମେଜର ହାଣ୍ଡାଙ୍କ ପାଖରେ ପହଞ୍ଚାଇ ଦେଇଥିଲା।

ମିସେସ୍‌ ଇଣ୍ଡିଆ ଆର୍ଥ୍‌ର ଫାଇନାଲିଷ୍ଟ ଶୈଳଜା ଓ ମେଜର ହାଣ୍ଡାଙ୍କ ମଧ୍ୟରେ ଗତ ୩ ବର୍ଷ ହେବ ପ୍ରେମ ସମ୍ପର୍କ ଥିବା ଜଣାପଡ଼ିଛି। ଦୁଇ ମାସ ପୂର୍ବେ ମେଜର ଦ୍ୱିବେଦୀ ଓ ମେଜର ହାଣ୍ଡା ନାଗାଲାଣ୍ଡର ଦିମାପୁରରେ ପୋଷ୍ଟିଂ ହୋଇଥିଲେ। ଏହି ସମୟରେ ଶୈଳଜା ଓ ମେଜର ହାଣ୍ଡାଙ୍କ ମଧ୍ୟରେ ସମ୍ପର୍କ ଅଧିକ ନିବିଡ଼ ହୋଇଯାଇଥିଲା। ଦୁହିଁଙ୍କ ଏହି ସମ୍ପର୍କ ବିଷୟରେ ମେଜର ଦ୍ୱିବେଦୀ ଜାଣିବା ପରେ ପରସ୍ପର ସହ ମିଳାମିଶା ନକରିବା ପାଇଁ ମଧ୍ୟ ମେଜର ଦ୍ୱିବେଦୀ ତାଗିଦ୍‌ କରିଥିଲେ। ଏଥିପାଇଁ ଶୈଳଜା ଓ ମେଜର ଦ୍ୱିବେଦୀଙ୍କ ମଧ୍ୟରେ ବିଭିନ୍ନ ସମୟରେ ଝଗଡ଼ା ବି ହେଉଥିଲା। ଶେଷରେ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ କଳହ ତୀବ୍ର ହେବା ପରେ ମେଜର ଦ୍ୱିବେଦୀ ଦିଲ୍ଲୀ ଚାଲି ଆସିବାକୁ ନିଷ୍ପତ୍ତି ନେଇଥିଲେ।

କିନ୍ତୁ ସମ୍ପର୍କ ରଖିବାକୁ ମେଜର ହାଣ୍ଡା ଶୈଳଜାଙ୍କୁ ବାରମ୍ବାର ବାଧ୍ୟ କରୁଥିଲେ। କିଛିଦିନ ପୂର୍ବେ ସେ ମାଇଗ୍ରେନ ହୋଇଥିବା ବାହାନା କରି ଦିଲ୍ଲୀ କ୍ୟାଣ୍ଟନମେଣ୍ଟ ସ୍ଥିତ ସେନା ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ପରେ ପୁଣିଥରେ ପୁଅର ଦେହ ଖରାପ କଥା କହି ସେ ଏହି ହସ୍ପିଟାଲକୁ ଆସିବା ବାହାନାରେ ଶୈଳଜାଙ୍କ ସହ ଭେଟ ହେଉଥିଲେ। ଘଟଣା ଦିନ ଶୈଳଜାଙ୍କ ସହ ଶେଷଥର ପାଇଁ ଦେଖା ହେବାକୁ ମେଜର ହାଣ୍ଡା ଅନୁରୋଧ କରିଥିଲେ। ହାଣ୍ଡାଙ୍କ ବାଧ୍ୟବାଧକତା ଯୋଗୁଁ ଶୈଳଜା ତାଙ୍କ ସହ ଦେଖା କରିବା ପରେ ଗାଡି ମଧ୍ୟରେ ଆଲୋଚନା ବାହାନାରେ ନେଇ ସମ୍ପର୍କ ରଖିବାକୁ ବାଧ୍ୟ କରିଥିଲେ। କିନ୍ତୁ ଶୈଳଜା ଏଥିରେ ରାଜି ନହେବାରୁ ଉତ୍ତ୍ୟକ୍ତ ହୋଇ ମେଜର ହାଣ୍ଡା ତାଙ୍କୁ ହତ୍ୟା କରିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର