‘ଧର୍ମନିରପେକ୍ଷ’ ଶବ୍ଦ ସବୁଠୁ ବଡ଼ ମିଛ: ଆଦିତ୍ୟନାଥ 

ନୂଆଦିଲ୍ଲୀ: ‘ଧର୍ମନିରପେକ୍ଷ’ ଶବ୍ଦ ସବୁଠୁ ବଡ଼ ମିଛ ଏବଂ ଏହା ଦେଶକୁ ନଷ୍ଟ କରିଦେଇଛି। ଏହି ଶବ୍ଦକୁ ଏବେ ବିଭାଜନ ଓ ବିଭ୍ରାନ୍ତି ପାଇଁ ବ୍ୟବହାର କରାଯାଉଛି ଏବଂ ଯେଉଁମାନେ ଏଥିପାଇଁ ଦାୟୀ ସେମାନେ କ୍ଷମାପ୍ରାର୍ଥନା କରିବା ଉଚିତ୍‌ ବୋଲି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି। ରାୟପୁରରେ  ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଯୋଗୀ ସାମ୍ପ୍ରଦାୟିକତାବାଦ ଏବଂ ଧର୍ମନିରପେକ୍ଷବାଦ ଉପରେ ଏକ ପ୍ରଶ୍ନର ଉତ୍ତରରେ ଏଭଳି ମନ୍ତବ୍ୟ  ଦେଇଛନ୍ତି। ସେ କହିଛନ୍ତି ଯେ ଭାରତ ସ୍ୱାଧୀନତା ପ୍ରାପ୍ତି ହେବା ପରଠାରୁ ସବୁଠୁ ବଡ଼ ମିଛ ଶବ୍ଦ ହେଉଛି ‘ଧର୍ମନିରପେକ୍ଷ’। ଯେଉଁମାନେ ଏହି ଶବ୍ଦକୁ ଜନ୍ମ ଦେଇଛନ୍ତି ଏବଂ ଯେଉଁମାନେ ଏହି ଶବ୍ଦକୁ ବ୍ୟବହାର କରି ସ୍ୱାର୍ଥ ସାଧନ କରୁଛନ୍ତି ସେମାନେ  ଦେଶବାସୀଙ୍କ ନିକଟରେ କ୍ଷମାପ୍ରାର୍ଥନା କରିବା ଉଚିତ୍‌। ଯୋଗୀଙ୍କ ମତରେ କୌଣସି ବି ପଦ୍ଧତି ଧର୍ମନିରପେକ୍ଷ ନୁହେଁ । ରାଜନୈତିକ ପଦ୍ଧତିଗୁଡ଼ିକ କେବଳ ଧର୍ମ ସମ୍ପ୍ରଦାୟ ପ୍ରତି ନିରପେକ୍ଷ ରହିପାରିବେ କିନ୍ତୁ ଧର୍ମନିରପେକ୍ଷ ହୋଇପାରିବେନି।

ଇତିହାସର ବିକୃତୀକରଣ ଦେଶଦ୍ରୋହ ସହ ସମାନ ବୋଲି ଯୋଗୀ କହିଛନ୍ତି। ସେହିପରି ରାୟପୁର  ଇଣ୍ଡୋର ଷ୍ଟାଡିୟମ୍‌ରେ ବିଜେପି ଦ୍ୱାରା ଆୟୋଜିତ ଅନ୍ୟ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଯୋଗୀ କଂଗ୍ରେସକୁ କଠୋର ସମାଲୋଚନା କରିଛନ୍ତି ସେ କହିଛନ୍ତି କଂଗ୍ରେସ ଦେଶବାସୀଙ୍କ ଭାବନା ସହ ଖେଳ ଖେଳିଛି। କଂଗ୍ରେସର ସ୍ୱାର୍ଥପର ମନୋଭାବ ଯୋଗୁଁ  ଏହା ଜାତି, ଧର୍ମ ଏବଂ ଭାଷା ଆଧାରରେ ଦେଶରେ ବିଭାଜନ ସୃଷ୍ଟି କରିଛି। କେଉଁଠି ଆତଙ୍କବାଦ ତ’ କେଉଁଠି ସନ୍ତ୍ରାସବାଦ ଏବଂ କେଉଁଠି ପୁଣି ବିଚ୍ଛିନତାବାଦ ଛାଇ ହୋଇଯାଇଛି। ଦେଶ ଏହାର ଶିକାର ହୋଇ କ୍ଷତାକ୍ତ ହୋଇଛି। ସମୁଦାୟ ଦେଶ ଆମପାଇଁ ଗୋଟିଏ ପରିବାର ବୋଲିି ଯୋଗୀ କହିବା ସହ ସେ ନରେନ୍ଦ୍ର ମୋଦିଙ୍କ ଶାସନ ବ୍ୟବସ୍ଥାକୁ ରାମରାଜ୍ୟ ସହ ତୁଳନା କରିଛନ୍ତି।  ମୋଦି ଲୋକଙ୍କ କଷ୍ଟ ଯନ୍ତ୍ରଣା ବୁଝିଛନ୍ତି, କିନ୍ତୁ କଂଗ୍ରେସ ଏ ସବୁକୁ କିଛି ନବୁଝି କେବଳ ଲୋକଙ୍କ ସହ ଖେଳି ଚାଲିଛି।

ସମ୍ବନ୍ଧିତ ଖବର