ଆଉ ହୁରିୟତ୍‌କୁ ସୁରକ୍ଷା ମିଳିବନି, ସେନାର ଯାତାୟତ ବେଳେ ସୁରକ୍ଷା ବଢ଼ିବ

ଆଇଏସ୍‌ଆଇ ସହ ହାତ ମିଳାଇଛନ୍ତି କଶ୍ମୀର କଠୋରପନ୍ଥୀ

ଶ୍ରୀନଗର: ଜମ୍ମୁ କଶ୍ମୀରର ପୁଲୱାମା ଜିଲ୍ଲାରେ ସିଆର୍‌ପିଏଫ୍‌ ଯବାନଙ୍କ ଉପରେ ବଡ଼ ଆକ୍ରମଣର ଦିନକ ପରେ ଆଜି କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ ଶ୍ରୀନଗରରେ ଏକ ଉଚ୍ଚସ୍ତରୀୟ ବୈଠକରେ ସ୍ଥିତି ସମୀକ୍ଷା କରିଛନ୍ତି। ବୈଠକ ପରେ ଗଣମାଧ୍ୟମକୁ ରାଜନାଥ କହିଛନ୍ତି ଯେ ଯେଉଁ କଠୋରପନ୍ଥୀ ଏବଂ ବିଚ୍ଛିନ୍ନତାବାଦୀମାନେ ପାକିସ୍ତାନ ଏବଂ ଏହାର ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇଠାରୁ ଚାନ୍ଦା ପାଉଛନ୍ତି ସେମାନଙ୍କୁ ମିଳୁଥିବା ସୁରକ୍ଷା ବ୍ୟବସ୍ଥା ନେଇ ସମୀକ୍ଷା କରାଯିବ। ହୁରିୟତ ନେତାଙ୍କୁ ଆଉ ପୂର୍ବଭଳି ସୁରକ୍ଷା ମିଳିବ ନାହିଁ ବୋଲି ରାଜନାଥ ସତର୍କ କରାଇ ଦେଇଛନ୍ତି। କଶ୍ମୀରରେ ସେନାର ଯାତାୟତ ବେଳେ ହାଇୱେ ଏବଂ ଅନ୍ୟ ସ୍ପର୍ଶକାତର ସ୍ଥାନରେ କଟକଣା ଲାଗୁହେବ ଏବଂ ସାଧାରଣ ଯାନବାହନକୁ ସେହି ସମୟରେ ଚଳାଚଳ ଅନୁମତି ମିଳିବ ନାହିଁ ବୋଲି ରାଜନାଥ କହିଛନ୍ତି। କଶ୍ମୀର କଠୋରପନ୍ଥୀମାନେ ପାକିସ୍ତାନ ଏବଂ ଆଇଏସ୍‌ଆଇ ସହ ହାତ ମିଳାଇଥିବାରୁ ସେମାନଙ୍କୁ କଡ଼ା ନଜରରେ ରଖାଯିବ ବୋଲି ସେ କହିଛନ୍ତି। ସେମାନଙ୍କ ଉଦ୍ଦେଶ୍ୟ କଦାପି ସଫଳ ହେବନାହିଁ ଏବଂ ଏଥିପାଇଁ ଭାରତ କଠୋର ପଦକ୍ଷେପ ଗ୍ରହଣ କରିବ ବୋଲି ରାଜନାଥ ଚେତାଇ ଦେଇଛନ୍ତି। କଶ୍ମୀରରେ ଶାନ୍ତି ନଷ୍ଟ କରିବା ପାଇଁ ଯେଉଁ ଶକ୍ତିମାନେ ଅହରହ ପ୍ରୟାସ କରୁଛନ୍ତି ସେମାନଙ୍କ ମୂଳପୋଛ କରିବା ପାଇଁ ସୁରକ୍ଷା ବାହିନୀ ନୂଆ ରଣନୀତିରେ କାର୍ଯ୍ୟ କରିବେ ଏବଂ ଦିଗରେ ସ୍ଥାନୀୟ ଲୋକଙ୍କ ସହାୟତା ମଧ୍ୟ ଜରୁରୀ ବୋଲି ରାଜନାଥ କହିଛନ୍ତି।

ସର୍ବଦଳୀୟ ବୈଠକ ଡାକିଲେ ସରକାର
ନୂଆଦିଲ୍ଲୀ: ପୁଲ୍‌ୱାମା ଆକ୍ରମଣ ଘଟଣାରେ ଆଲୋଚନା ପାଇଁ ମୋଦୀ ସରକାର ଆଜି ସର୍ବ ଦଳୀୟ ‌ବୈଠକ ଡାକିଛନ୍ତି। ଗୃହମନ୍ତ୍ରୀ ରାଜନାଥ ସିଂହ କଶ୍ମୀରରୁ ଫେରିବାପ‌ରେ ଆସନ୍ତାକାଲି ସର୍ବଦଳୀୟ ବୈଠକ ହେବ ବୋଲି ଆଜି କେନ୍ଦ୍ର ଅର୍ଥ ମନ୍ତ୍ରୀ ଅରୁଣ ଜେଟ୍‌ଲି କହିଛନ୍ତି। ନୂଆଦିଲ୍ଲୀ ସ୍ଥିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାସଭବନରେ ହୋଇଥିବା କ୍ୟାବିନେଟ୍‌ ସୁରକ୍ଷା କମିଟି ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି ବୋଲି ଜେଟ୍‌ଲି କହିଛନ୍ତି। ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ମଧ୍ୟ ଏହି ପ୍ରସଙ୍ଗରେ ସରକାରଙ୍କୁ ପୂର୍ଣ୍ଣ ସମର୍ଥନର ହାତ ବଢ଼ାଇଛି ଏବଂ ସରକାରଙ୍କ ପଦକ୍ଷେପକୁ ସମର୍ଥନ ଦେବ ବୋଲି ଘୋଷଣା କରିଛି। ଆଜି ସିଆର୍‌ପିଏଫ୍‌ କହିଛି ଯେ ଆକ୍ରମଣରେ ସଂପୃକ୍ତ ଜଣେ ବି ବର୍ତ୍ତିପାରିବେ ନାହିଁ ଏବଂ ଠିକଣା ସମୟରେ ଜବାବ ମିଳିବ। ପୁଲୱାମା ଆକ୍ରମଣର ଫୁଲ୍‌ କୋର୍ଟ ଅଫ୍‌ ଇନ୍‌କ୍ବାରି (ସିଓଆଇ) କରାଯିବାକୁ ସିଆର୍‌ପିଏଫ୍‌କୁ ସରକାର ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର