ନୂଆ କରି ବାପା ହୋଇଥିବା କନ୍‌ଷ୍ଟେବଲଙ୍କୁ ବଞ୍ଚାଇବା ପାଇଁ ଗୁଳି ସାମ୍ନାକୁ ଚାଲି ଆସିଲେ ଏହି ଉଦାର ପୁଲିସ୍‌ ସବ୍‌-ଇନ୍‌ସ୍ପେକ୍ଟର

ନୂଆଦିଲ୍ଲୀ: ମାନବିକତାର ଚିତ୍ର କେବଳ ସିନେମାରେ ଦେଖିବାକୁ ମିଳେ ନାହିଁ, ବରଂ ବାସ୍ତବ ଜୀବନରେ ବି ରହିଛନ୍ତି କିଛି ଉଦାର ମାନବ। ରବିବାର ଦିଲ୍ଳୀଠାରେ ହୋଇଥିବା ଭୟଙ୍କର ଏନକାଉଣ୍ଟର  ସମୟରେ ନୂଆ କରି ବାପା ହୋଇଥିବା ଜଣେ ଜୁନିୟର୍‌କୁ ବଞ୍ଚାଇବା ପାଇଁ ଗୁଳି ସାମ୍ନାକୁ ସ୍ୱୟଂ ଚାଲି ଆସି ଚର୍ଚ୍ଚା ସାଜିଛନ୍ତି ଦିଲ୍ଲୀ ପୁଲିସ୍‌ର ଜନୈକ ସବ୍‌-ଇନ୍‌ସ୍ପେକ୍ଟର।

ଏହି ଉଦାର ସବ୍‌-ଇନ୍‌ସ୍ପେକ୍ଟର ଜଣକ ହେଉଛନ୍ତି ବିଜେନ୍ଦର୍‌ ସିଂହ ଦେଶଓ୍ଵାଲ୍‌। ବିଜେନ୍ଦର ତାଙ୍କର ୨୫ ବର୍ଷିଅ ଜୁନିୟର୍‌ ପୁଲିସ୍‌ ହେଡ୍‌ କନ୍‌ଷ୍ଟେବଲ୍‌ ଗୁର୍‌ଦୀପ ସିଂହଙ୍କୁ ବଞ୍ଚାଇବା ପାଇଁ ଯେଉଁ ସାହସିକତା ପ୍ରଦର୍ଶନ କରିଛନ୍ତି ତାହା ଏବେ ଚାରିଆଡ଼େ ଚର୍ଚ୍ଚା ପାଲଟିଛି। ଜାଣିବାକୁ ମିଳିଛି କନ୍‌ଷ୍ଟେବଲ୍‌ ଗୁର୍‌ଦୀପ ନିକଟରେ ୩ ମାସ ତଳେ ନୂଆ କରି ବାପା ହୋଇଛନ୍ତି।

ଗ୍ୟାଙ୍ଗ୍‌ଷ୍ଟାର୍‌ ରାଜେଶ ଭାରତୀ ଏବଂ ତାଙ୍କ ଦଳର ଅନ୍ୟ ୩ ଜଣଙ୍କ ସହ ଗୁଳି ବିନିମୟ ଚାଲିଥିବା ବେଳେ ଗୁଳିଟି ଗୁରଦୀପଙ୍କ ଆଡ଼େ ଆସୁଥିଲା। ସେହି ସମୟରେ ବିଜେନ୍ଦର୍‌ ଗୁରଦୀପଙ୍କୁ ପେଲି ଦେଇ ନିଜେ ଛାତି ଦେଖାଇ ଠିଆ ହୋଇଯିବା କଥା କୌଣସି ଚଳଚ୍ଚିତ୍ରର ଦୃଶ୍ୟ ପରି ମନେ ହେଉଥିଲେ ବି ଏହା ଏକଦମ ସତ।

ଏହି ଏନ୍‌କାଉଣ୍ଟର୍‌ରେ ପୁଲିସ୍‌ ଗୁଳିରେ ୪ ଜଣ ଗ୍ୟାଙ୍ଗ୍‌ଷ୍ଟାର୍‌ ନିହତ ହେବା ପରେ ସହ  ପୁଲିସ୍‌ ସବ୍‌-ଇନ୍‌ଇନ୍‌ସ୍ପେକ୍ଟର ରାଜ ସିଂହ ବିଜେନ୍ଦର ଓ ଗୁରଦୀପଙ୍କ ସମେତ ଛଅ ଜଣ ପୁଲିସ୍‌ କର୍ମଚାରୀ ଅାହତ ହୋଇଥିଲେ। ସେମାନଙ୍କୁ ନିକଟସ୍ଥ ହସ୍ପିଟାଲ୍‌ରେ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଛି।

ସମ୍ବନ୍ଧିତ ଖବର