ସିନିୟର୍‌ ବୁଶ୍‌ଙ୍କ ପରଲୋକ

ୱାସିଂଟନ୍‌ : ଉପସାଗରୀୟ ଯୁଦ୍ଧର ‘ହିରୋ’, ଆମେରିକାର ପୂର୍ବତନ ତଥା ୪୧ତମ ରାଷ୍ଟ୍ରପତି ଜର୍ଜ ଏଚ୍‌ଡବ୍ଲ୍ୟୁ ବୁଶ୍‌ଙ୍କର ପରଲୋକ ଘଟିଛି। ଶୁକ୍ରବାର ରାତି ପାଖାପାଖି ୧୦ଟାରେ ସେ ଶେଷନିଃଶ୍ବାସ ତ୍ୟାଗ କରିଛନ୍ତି। ମୃତ୍ୟୁବେଳକୁ ତାଙ୍କୁ ୯୪ ବର୍ଷ ହୋଇଥିଲା।

ସିନିୟର୍‌ ବୁଶ୍‌ ୧୯୮୯ରୁ ୧୯୯୩ ପର୍ଯ୍ୟନ୍ତ ଆମେରିକାର ରାଷ୍ଟ୍ରପତି ରହିଥିଲେ। ୮ ବର୍ଷ ପରେ ତାଙ୍କ ପୁଅ ଜର୍ଜ ଡବ୍ଲ୍ୟୁ ବୁଶ୍‌ ଦେଶର ୪୩ତମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥି‌ଲେ। ସିନିୟର୍‌ ବୁଶ୍‌ ରାଷ୍ଟ୍ରପତି ପଦ ଅଳଙ୍କୃତ କରିବା ପୂର୍ବରୁ ୧୯୮୧ରୁ ୧୯୮୯ ପର୍ଯ୍ୟନ୍ତ ୨ ଥର ଦେଶର ଉପରାଷ୍ଟ୍ରପତି ଥିଲେ। ସେତେବେଳେ ରାଷ୍ଟ୍ରପତି ଥିଲେ ରୋନାଲ୍‌ଡ ରେଗାନ୍‌।

୧୯୨୪ ଜୁନ୍‌ ୧୨ରେ ସିନିୟର୍‌ ବୁଶ୍‌ ଆମେରିକା ଅନ୍ତର୍ଗତ ମାସାଚୁସେଟ୍ସର ମିଲ୍‌ଟନ୍‌ଠାରେ ଏକ ଧନୀକ ପରିବାରରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତା ପ୍ରେସ୍‌କଟ୍‌ ବୁଶ୍‌ ଜଣେ ସଫଳ ବ୍ୟାଙ୍କର ଓ କନେକ୍ଟିକଟ୍‌ରୁ ଜଣେ ସିନେଟର୍‌ ଥିଲେ। ନେତା ଭାବେ ଅନେକ ଯଶ ଅର୍ଜନ କରିଥିବା ବୁଶ୍‌ ସମାଜସେବା କ୍ଷେତ୍ରରେ ମଧ୍ୟ ସୁନାମ ହାସଲ କରିଛନ୍ତି। ୨୦୦୪‌େର ଏସିଆର ସୁନାମି ବିପର୍ଯ୍ୟୟ ଏବଂ ୨୦୧୦ ହାଇତି ଭୂକମ୍ପ ପୀଡ଼ିତଙ୍କ ସହାୟତା ପାଇଁ ସେ ବିପୁଳ ପାଣ୍ଠି ପ୍ରଦାନ ସହିତ ବିଭିନ୍ନ ସୂତ୍ରରୁ ପାଣ୍ଠି ସଂଗ୍ରହ କରିଥିଲେ। ଏଥିପାଇଁ ତତ୍‌କାଳୀନ ରାଷ୍ଟ୍ରପତି ବାରାକ୍‌ ଓବାମା ତାଙ୍କୁ ‘ମେଡାଲ୍‌ ଅଫ୍‌ ଫ୍ରିଡମ୍‌’ ପୁରସ୍କାର ପ୍ରଦାନ କରିଥିଲେ। ସବୁଠାରୁ ଗୁରୁତ୍ବପୂର୍ଣ୍ଣ ହେଉଛି, ୧୯୯୧ ମସିହା ଉପସାଗରୀୟ ଯୁଦ୍ଧ ସମୟରେ ତାଙ୍କର ଭୂମିକା ଓ ନେତୃତ୍ବ ସାରା ବିଶ୍ବର ଦୃଷ୍ଟି ଆକର୍ଷଣ କରିଥିଲା। ତାଙ୍କୁ ମଧ୍ୟ ଉପସାଗରୀୟ ଯୁଦ୍ଧର ‘ହିରୋ’ ବା ନାୟକ ବୋଲି କୁହାଯାଏ। ବୁଶ୍‌ ୧୯୯୩ ପରେ ବିଲ୍‌ କ୍ଲିଣ୍ଟନ୍‌ଙ୍କଠାରୁ ନିର୍ବାଚନ ହାରିଯାଇଥିଲେ।

ବୁଶ୍‌ ପରିବାରର ମୁଖପାତ୍ର ଜିମ୍‌ ମ୍ୟାକ୍‌ଗ୍ରା କହିଛନ୍ତି, ଚଳିତବର୍ଷ ଏପ୍ରିଲ୍‌ରେ ସିନିୟର୍‌ ବୁଶ୍‌ଙ୍କ ପତ୍ନୀ ବାରବରାଙ୍କର ପରଲୋକ ଘଟିଥିଲା। ଏହାର ୭ ମାସ ପରେ ବୁଶ୍‌ଙ୍କ ପରଲୋକ ହୋଇଛି। ଯାହାକି, ପରିବାର ପାଇଁ ଏହା ଏକ ଅପୂରଣୀୟ କ୍ଷତି। ସେହିପରି ତାଙ୍କ ପୁଅ ତଥା ଆମେରିକାର ୪୩ତମ ରାଷ୍ଟ୍ରପତି ଜର୍ଜ ଡବ୍ଲ୍ୟୁ ବୁଶ୍‌ ମଧ୍ୟ ଟ୍ବିଟ୍‌ କରି ନିଜ ପିତାଙ୍କ ମୃତ୍ୟୁ ସମ୍ପର୍କରେ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଜେବ୍‌, ନିଲ୍‌, ମାର୍ବିନ୍‌, ଡୋରୋ ଏବଂ ମୁଁ ପିତା ବୁଶ୍‌ଙ୍କୁ ହରାଇ ଅତ୍ୟନ୍ତ ମର୍ମାହତ। ସେ ଜଣେ ମହାନ୍‌ ଜନନାୟକ ଓ ପିତା ଥିଲେ।

ବୁଶ୍‌ଙ୍କ ପରଲୋକ ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଶୋକ ପ୍ରକାଶ କରିବା ସହିତ ତାଙ୍କ ପରିବାରକୁ ସମବେଦନା ଜ୍ଞାପନ କରିଛନ୍ତି। ସେ କହିଛନ୍ତି, ବୁଶ୍‌ ଜଣେ ନ୍ୟାୟବନ୍ତ ନେତା ଥିଲେ। ତାଙ୍କ ଦୃଢ଼ ନେତୃତ୍ବ ଯୋଗୁ ଆମେରିକା ଅନେକ ପ୍ରତିକୂଳ ପରିସ୍ଥିତିର ସାମ୍ନା କରି ତାହାକୁ ଏଡ଼ାଇ ପାରିଛି। ଶୀତଳ ଯୁଦ୍ଧର ସମାପ୍ତି ପର୍ଯ୍ୟନ୍ତ ଆମେରିକାକୁ ଠିକ୍‌ ବାଟରେ ପରିଚାଳିତ କରାଇ ସେ ‌ନିଜ ଦକ୍ଷ ନେତୃତ୍ବର ପରିଚୟ ଦେଇଛନ୍ତି।

ସମ୍ବନ୍ଧିତ ଖବର