ନୂଆଦିଲ୍ଲୀ : ଚୀନ୍ର ଜଣେ ବରିଷ୍ଠ କାର୍ଯ୍ୟନିର୍ବାହୀ ଅଧିକାରୀ ସେନ୍ ଝୁ’ଙ୍କୁ କରାଚିରେ ଅତି ନିର୍ମମ ଭାବେ ହତ୍ୟା କରିବା ଘଟଣାକୁ ନେଇ ଚୀନ୍ ପ୍ରବଳ ଉଦ୍ବେଗ ପ୍ରକାଶ କରିଛି। ଆରମ୍ଭରୁ ସିପିଇସି ପ୍ରକଳ୍ପ ଅନ୍ତର୍ଗତ କର୍ମୀ ଏବଂ ପାକିସ୍ତାନରେ କାର୍ଯ୍ୟରତ ଅନ୍ୟ ଚୀନ୍ ନାଗରିକଙ୍କୁ କଡ଼ା ସୁରକ୍ଷା ଯୋଗାଇଦେବାଲାଗି ଚୀନ୍ ଦାବି କରି ଆସିଛି। ତେବେ ସେନ୍ ଝୁ’ ସିପିଇସି ପ୍ରକଳ୍ପ ଅନ୍ତର୍ଗତ କର୍ମୀ ହୋଇନଥିଲେ ମଧ୍ୟ ତାଙ୍କ ହତ୍ୟା ପରେ ଚୀନ୍ ପାକିସ୍ତାନରେ ଏହାର ସିପିଇସି ପ୍ରକଳ୍ପ ଅନ୍ତର୍ଗତ ଚୀନ୍ ନାଗରିକମାନଙ୍କ ସୁରକ୍ଷା ବୃଦ୍ଧି ପାଇଁ ଉଦ୍ବେଗ ପ୍ରକାଶ କରିଛି। ସୂଚନାଯୋଗ୍ୟ ଗତ ଫେବ୍ରୁଆରି ୫ ତାରିଖରେ ପାକିସ୍ତାନର ଆର୍ଥିକ ରାଜଧାନୀ ନିକଟସ୍ଥ କରାଚିର ଚାଇନା ଟାଉନ୍ ରେଷ୍ଟୁରାଣ୍ଟ୍ରେ ସେନ୍ ଝୁ ମଧ୍ୟାହ୍ନ ଭୋଜନ ସାରି ଏହାର ଠିକ୍ ଅପରପାର୍ଶ୍ୱ ଜମ୍ଜମା ପାକ୍ର୍କୁ କିଛି ସଉଦା ପାଇଁ ଯାଇଥିଲେ। ଏହି ସମୟରେ ଜଣେ ଆକ୍ରମଣକାରୀ ତାଙ୍କ ଉପରକୁ ଲଗାତାର ୯ ଥର ଗୁଳି ଚଳାଇଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ତାଙ୍କୁ ହସ୍ପିଟାଲ୍ ନିଆଯାଇଥିଲେ ମଧ୍ୟ ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଉଲ୍ଲେଖଯୋଗ୍ୟ ଉକ୍ତ ବରିଷ୍ଠ ଅଧିକାରୀ ଜଣଙ୍କ ସାଙ୍ଘାଇର କସ୍କୋ ସିପିଂ ଲାଇନ୍ସ କର୍ପୋରେସନର ଏକ ସ୍ଥାନୀୟ ବିଭାଗରେ ପରିଚାଳନା ନିର୍ଦ୍ଦେଶକ ଥିଲେ। ତେବେ ଗତ ଫେବ୍ରୁଆରି ୫ ତାରିଖରେ ଜାତୀୟ ଛୁଟି ଦିବସ ଥିବାହେତୁ ସେ ତାଙ୍କ ପୁଲିସ ସୁରକ୍ଷା ନେଇନଥିଲେ। ଅନ୍ୟପକ୍ଷରେ ହତ୍ୟାର ସ୍ପଷ୍ଟ କାରଣ ନଦର୍ଶାଇ ପୁଲିସ ଆତଙ୍କବାଦୀ ନିରୋଧ ବିଭାଗକୁ ମାମଲାଟିକୁ ସ୍ଥାନାନ୍ତରିତ କରିଦେଇଛି। ତେବେ ପାକିସ୍ତାନ ବନ୍ଦର ସହରର ସବୁଠୁ ସୁରକ୍ଷିତ ଜିଲ୍ଲାରେ ଉକ୍ତ ହତ୍ୟାକାଣ୍ଡ ଘଟଣାରୁ ପାକିସ୍ତାନ କେତେ ଅସୁରକ୍ଷିତ ତାହା ସ୍ପଷ୍ଟ ଜଣାପଡ଼ିଯାଉଛି। ତେବେ ଉକ୍ତ ହତ୍ୟାକାଣ୍ଡ ପରେ ଚୀନ୍ ନାଗରିକଙ୍କ ସୁରକ୍ଷା ପାଇଁ ପାକିସ୍ତାନ ଅଧିକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେବାକୁ ଚୀନ୍ ଦାବି କରିଛି। ଚୀନ୍ ସରକାରଙ୍କ ଦ୍ୱାରା ହୋଇଥିବା ଆକଳନ ଅନୁଯାୟୀ ପାଖାପାଖି ୨୦,୦୦୦ ଚୀନ୍ ନାଗରିକ ପାକିସ୍ତାନରେ ଏବେ କାର୍ଯ୍ୟରତ ଅଛନ୍ତି।
ସୂଚନାଯୋଗ୍ୟ ସିପିଇସି ପ୍ରକଳ୍ପକୁ ସୁରକ୍ଷା ଦେବାପାଇଁ ପାକିସ୍ତାନର ସାମରିକ ବାହିନୀ ୧୫,୦୦୦ ସଶକ୍ତ ବାହିନୀ ବୃଦ୍ଧି କରିଛି। ତେବେ ପାକିସ୍ତାନରେ ସିଧାସଳଖ ପୁଞ୍ଜିନିବେଷ ବୃଦ୍ଧି ପାଉଥିବାରୁ ଏବଂ ବିଦେଶୀ ନାଗରିକଙ୍କ ସଂଖ୍ୟା ଦେଶରେ ବଢ଼ୁଥିବାରୁ ପାକିସ୍ତାନ ଏକ ଅସ୍ୱାଭାବିକ ପରିସ୍ଥିତି ଦେଇ ଗତି କରୁଛି ଏବଂ ଏହାଦ୍ୱାରା ଚୀନ୍ ନାଗରିକଙ୍କ ସୁରକ୍ଷା ପ୍ରତି ଆଗକୁ ଅଧିକ ଚ୍ୟାଲେଞ୍ଜ ସୃଷ୍ଟି ହେବ ବୋଲି ଜଣେ ବିଶେଷଜ୍ଞ ଅଲିନା ଅଲି କହିଛନ୍ତି। ଆମେରିକା ପାକିସ୍ତାନକୁ ୨ ବିଲିଅନ ଡଲାରର ସାମରିକ ସହାୟତା ବନ୍ଦ କରିଦେବାପରେ ଏବେ ପାକିସ୍ତାନ ଚୀନ୍ ଉପରେ ଅଧିକ ନିର୍ଭରଶୀଳ ହୋଇପଡ଼ିଛି। ତେବେ ଯଦି ପାକିସ୍ତାନ ଚୀନ୍ ନାଗରିକଙ୍କୁ ସୁରକ୍ଷା ଦେବାରେ ବିଫଳ ହୁଏ ତେବେ ସିପିଇସି ପ୍ରକଳ୍ପ ନେଇ ନିଶ୍ଚିତ ସଙ୍କଟ ବୃଦ୍ଧି ପାଇବ।