ଫିଲ୍ମ ଫେରାଇଲେ ସେନ୍‌ସର ବୋର୍ଡ

ଉଗ୍ର ହେଉଛି ‘ପଦ୍ମାବତୀ’ ବିବାଦ

ଜୟପୁର: ସଞ୍ଜୟ ଲିିଲା ବଂଶାଲିଙ୍କ ଫିଲ୍ମ ‘ପଦ୍ମାବତୀ’କ୍‌ୁ ନେଇ ବିବାଦ ଦିନକୁ ଦିନ ଉଗ୍ର ହେବାରେ ଲାଗିଛି। ଗତକାଲି ରାଜପୁତ କରଣୀ ସେନାର ଜଣେ ନେତା ପଦ୍ମାବତୀ ଫିଲ୍ମରେ ଅଭିନୟ କରିଥିବା ଦୀପିକାଙ୍କ ନାକ ଏବଂ ବଂଶାଳୀଙ୍କ ମୁଣ୍ଡ କାଟିବାକୁ ଧମକ ଦେବାପରେ ଏହି ବିବାଦ ଅଧିକ ଜଟିଳ ହୋଇଛି। ଡିସେମ୍ବର ୧ ତାରିଖରେ ଫିଲ୍ମ ରିଲିଜ୍‌ ହେବାକୁ ଧାର୍ଯ୍ୟ ହୋଇଥିବା ବେଳେ ଆଜି ସେନ୍‌ସର ବୋର୍ଡ ବୈଷୟିକ କାରଣ ଦର୍ଶାଇ ଫିଲ୍ମଟିକୁ ନିର୍ମାତାଙ୍କୁ ଫେରାଇ ଦେଇଛନ୍ତି। ତ୍ରୁଟି ସଂଶୋଧନ ପରେ ଏହାକୁ ଦ୍ୱିତୀୟ ବାର ସମୀକ୍ଷା କରି ପ୍ରମାଣପତ୍ର ଦିଆଯିବ ବୋଲି ସେନ୍‌ସର ବୋର୍ଡ କହିଛନ୍ତି। ଫଳରେ ଏହି ଫିଲ୍ମର ରିଲିଜ୍‌ ତାରିଖ ଜାନୁଆରିକୁ ଘୁଞ୍ଚିବ ବୋଲି କେତେକ ସୂତ୍ରରୁ ଜଣାପଡ଼ିଛି। ବିଭିନ୍ନ ରାଜ୍ୟରେ ପଦ୍ମାବତୀକୁ ନେଇ ବିଶୃଙ୍ଖଳା ବଢ଼ିବାରେ ଲାଗିଛି। ରାଜସ୍ଥାନ, ହରିୟାଣା ତାମିଲନାଡ଼ୁରେ ଆନ୍ଦୋଳନକାରୀମାନେ ରାସ୍ତାକୁ ଓହ୍ଲାଇଛନ୍ତି। ରାଜସ୍ଥାନରେ ଥିବା ବିଶ୍ୱ ଐତିହ୍ୟ ସ୍ଥଳ ଚିତ୍ତୋରଗଡ଼ ଦୁର୍ଗ ନିକଟରେ ମଧ୍ୟ ପ୍ରତିବାଦର ସ୍ୱର ତୀବ୍ର ହୋଇଛି। ରାଣୀ ପଦ୍ମିନୀଙ୍କ ପ୍ରାସାଦ ରହିଥିବା ଏହି ଦୁର୍ଗକୁ ଆଜି ପର୍ଯ୍ୟଟକମାନଙ୍କର ପ୍ରବେଶକୁ ବନ୍ଦ କରିଦେଇଛନ୍ତି ଆନ୍ଦୋଳନକାରୀ। ରାଜସ୍ଥାନର ବିକାନେରରେ ଆନ୍ଦୋଳନକାରୀମାନେ ବଂଶାଲିଙ୍କ କୁଶପୁତ୍ତଳିକା ଦାହ କରିଛନ୍ତି। ସେହିପରି ହରିଆଣାର ହିସାରରେ ରାଜପୁତ କରଣୀ ସେନା ପକ୍ଷରୁ ଫିଲ୍ମ ନିଷିଦ୍ଧ ଦାବିରେ ଆନ୍ଦୋଳନ ଜାରି ରହିଛି ଏବଂ ଆନ୍ଦୋଳନକାରୀମାନେ ବଂଶାଲିିଙ୍କ କୁଶ ପୁତ୍ତଳିକା ଦାହ କରିଛନ୍ତି। ଏହି ଚଳଚ୍ଚିତ୍ରରେ ପ୍ରାୟ ୧୫୦ କୋଟି ଟଙ୍କା ବ୍ୟୟ ହୋଇଥିବା ବେଳେ ଏହାର ମୁଖ୍ୟ ଦୃଶ୍ୟଗୁଡ଼ିକୁ ବାଦଦେବାକୁ ବଂଶାଲି ଚାହୁନାହାନ୍ତି।

ବଂଶାଲିଙ୍କ ବିରୋଧରେ ଗର୍ଜିଲେ ଅଜମେର ଦରଘା ଦେଓ୍ଵାନ୍‌

ଆଜମେର ଦରଘା ଦେଓ୍ଵାନ ସୟିଦ ଆଦିନ୍‌ ଅଲି ଖାନ୍‌ ଫିଲ୍ମ ‘ପଦ୍ମାବତୀ’କୁ ବିରୋଧ କରି ବଂଶାଲିଙ୍କୁ ବିବାଦୀୟ ଲେଖକ ସଲମାନ ରସ୍‌ଦି ଏବଂ ତସଲିମା ନସରୀନଙ୍କ ସହ ତୁଳନା କରିଛନ୍ତି। ପ୍ରଥମ ଥର ପାଇଁ ଏକ ବିବାଦୀୟ ଘଟଣା ଉପରେ ମତ ପ୍ରକାଶ କରି ସେ କହିଛନ୍ତି ବଂଶାଲିଙ୍କ କାର୍ଯ୍ୟ ଧର୍ମ ଭାବନାକୁ ଆଘାତ କରିଛି ଏବଂ ଏହା ଇତିହାସକୁ ବିକୃତ କରିଛି। ପଦ୍ମାବତୀ ବିରୋଧରେ ରାଜପୁତ ସମ୍ପ୍ରଦାୟର ଆନ୍ଦୋଳନ ଯୁକ୍ତିଯୁକ୍ତ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ରାଜପୁତ ସମ୍ପ୍ରଦାୟଙ୍କ ଏହି ଆନ୍ଦୋଳନକୁ ସମର୍ଥନ କରିବାପାଇଁ ସେ ମୁସଲିମ୍‌ ସମ୍ପ୍ରଦାୟକୁ ଉତ୍ସାହିତ କରିଛନ୍ତି। ଫିଲ୍ମରେ ଆଲ୍ଲାଉଦ୍ଦିନ୍‌ ଖିଲ୍‌ଜି ଏବଂ ରାଣୀ ପଦ୍ମାବତୀଙ୍କ ମଧ୍ୟରେ ରହିଥିବା ରୋମାଣ୍ଟିକ୍‌ ଦୃଶ୍ୟ ରାଜପୁତ ସମ୍ପ୍ରଦାୟର ଭାବନାରେ କୁଠାରଘାତ କରିଛି। ତେଣୁ ସେ ଭାରତ ସରକାରଙ୍କୁ ଏହି ଫିଲ୍ମ ପ୍ରଦର୍ଶନ ବନ୍ଦ କରିବାକୁ ଦାବି କରିଛନ୍ତି।

ମତ ବଦଳାଇଲେ ଶଶି ଥରୁର: ରାଜପୁତ ଭାବପ୍ରବଣତାକୁ ସମ୍ମାନ ଦେବା ଦରକାର

ଫିଲ୍ମ ପଦ୍ମାବତୀକୁ ବିରୋଧ କରୁଥିବା ରାଜପୁତମାନଙ୍କ ଆନ୍ଦୋଳନକୁ ସମାଲୋଚନା କରିଥିବା ବରିଷ୍ଠ କଂଗ୍ରେସ ନେତା ଶଶି ଥରୁୁର ଆଜି ତାଙ୍କ ମତ ବଦଳାଇ ଦେଇଛନ୍ତି। ପୂର୍ବରୁ ରାଜପୁତମାନଙ୍କ ଆନ୍ଦାଳନ ସେମାନଙ୍କ ନିଜ ସମ୍ମାନ ପ୍ରତି ଅବମାନତା କହିଥିବା କଂଗ୍ରେସ ସାଂସଦ ଥରୁର ଆଜି କହିଛନ୍ତି ରାଜପୁତମାନଙ୍କ ମନୋଭାବ ଏବଂ ସେମାନଙ୍କ ଭାବପ୍ରବଣତାକୁ ଫିଲ୍ମ ନିର୍ମାତା ସମ୍ମାନ ଦେବା ଦରକାର। ଶାସକ ବିଜେପି ରାଜପୁତମାଙ୍କ ସମ୍ମାନକୁ ନଜରରେ ରଖି କିଛି ପଦକ୍ଷେପ ନେବା ଉଚିତ୍‌ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର