ଜଗା-ବଳିଆ ଅଲଗା ହେବାପରେ ଡାକ୍ତରଙ୍କୁ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ

ନୂଆଦିଲ୍ଲୀ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଅଞ୍ଚଳର ଯୋଡ଼ା ମୁଣ୍ଡ ଶିଶୁ ଜଗା-ବଳିଆ ଅପରେସନ ହୋଇ ଅଲଗା  ହେବା ପରେ ଗଣମାଧ୍ୟମରେ ପ୍ରଥମ ଫଟୋ ପ୍ରକାଶ ପାଇଛି। ନୂଆଦିଲ୍ଲୀର ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନରେ ବୁଧବାର ୨୪ ଘଣ୍ଟା ଧରି  ଜଗା-ବଳିଆଙ୍କ  ଅପରେସନ କରିବା  ପରେ ୩୦ଜଣିଆ ଡାକ୍ତର ଟିମ୍‌  ସେମାନଙ୍କୁ ଅଲଗା କରିପାରିଛନ୍ତି। ଏହି ଅପରେସନରେ ୨୦ଜଣ ସର୍ଜନ ଓ ୧୦ଜଣ ଅନ୍ୟ ବିଶେଷଜ୍ଞ ସାମିଲ ଥିଲେ।

ଏମସ୍‌ ନ୍ୟୁରୋ ସର୍ଜନ ଡାକ୍ତର ଅଶୋକ ମହାପାତ୍ର ଗୁରୁବାର ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଡାକ୍ତରୀ ଟିମ୍‌ ଦୁଇଶିଶୁଙ୍କ ସ୍ୱାସ୍ଥ୍ୟ ପ୍ରତି ନଜର ରଖିଛନ୍ତି। ଅପରେସନ ପରେ ଉଭୟଙ୍କୁ ଆଇସିୟୁରେ ଭେଣ୍ଟିଲେଟରରେ  ରଖାଯାଇଛି।  ଆଗାମୀ ୨ଦିନ ଜଗା-ବଳିଆଙ୍କ ପାଇଁ ସଙ୍କଟଜନକ ରହିବ ବୋଲି ଏମ୍‌ସ କର୍ତ୍ତୃପକ୍ଷ କହିଛନ୍ତି।

ଜଗା-ବଳିଆଙ୍କ ସଫଳ ଅପରେସନ୍‌ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏମ୍‌ସ୍‌ ଡାକ୍ତରୀ ଟିମ୍‌କୁ ଅଭିନନ୍ଦନ ଜଣାଇଛନ୍ତି। ଏଥିସହିତ ନବୀନ ଉଭୟ ଶିଶୁ ଖୁବ୍‌ ଶୀଘ୍ର ଆରୋଗ୍ୟ ହୋଇଯାଆନ୍ତୁ ବୋଲି ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି।

ଜଗା-ବଳିଆଙ୍କ ଆରୋଗ୍ୟ କାମନା କରି ଗୁରୁବାର ପୁରୀ ଶ୍ରୀମନ୍ଦିରରେ ଶହ ଶହ ଶ୍ରଦ୍ଧାଳୁ ଦୀପ ଜାଳି ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ନିକଟରେ ଆଶୀର୍ବାଦ ଭିକ୍ଷା କରିଛନ୍ତି।

ସମ୍ବନ୍ଧିତ ଖବର