ବିଜୟ ମାଲ୍ୟାଙ୍କୁ ଧକ୍କା, ଭାରତୀୟ ବ୍ୟାଙ୍କମାନଙ୍କ ସପକ୍ଷରେ ରାୟ ଶୁଣାଇଲେ ଲଣ୍ଡନ କୋର୍ଟ

ଲଣ୍ଡନ : ଭାରତରେ ହଜାର ହଜାର କୋଟିର ବ୍ୟାଙ୍କ ଋଣ ଠକି ନେଇ ବିଦେଶ ପଳେଇଥିବା ଶିଳ୍ପପତି ବିଜୟ ମାଲ୍ୟାଙ୍କୁ ଏକ ବଡ଼ ଧକ୍କା ଲାଗିଛି । ଏହି ଋଣଠକେଇ ମାମଲାରେ ଲଣ୍ଡନର ଏକ କୋର୍ଟ ବ୍ୟାଙ୍କ ମାନଙ୍କ ସପକ୍ଷରେ ରାୟ ଶୁଣାଇଛନ୍ତି । ଜଜ୍‌ ଆଣ୍ଡ୍ରିଉ ହେନସ କହିଛନ୍ତି ଯେ ଏହି ଠକେଇମାମଲାରେ ଭାରତୀୟ କୋର୍ଟ ଦେଇଥିବା ରାୟକୁ ବ୍ୟାଙ୍କମାନେ ଲାଗୁ କରାଯାଇପାରିବ । ଏହା ସହିତ ସାରା ବିଶ୍ୱରେ ଥିବା ତାଙ୍କର ସଂପତ୍ତିକୁ ରଦ୍ଦ କରିବାକୁ ଭାରତ ସରକାର ଦେଇଥିବା ନିର୍ଦ୍ଦେଶକୁ ବାତିଲ କରିବାକୁ କୋର୍ଟ ମନାକରିଦେଇଛନ୍ତି । ବିଜୟମାଲ୍ୟା ଋଣ ନସୁଝି ପଳାଇବା ପରେ ଭାରତ ସରକାରଙ୍କ ଡେବ୍ଟ ରିକଭରୀ ଟ୍ରିବୁନାଲ (ଋଣ ଆଦାୟ ଟ୍ରିବୁନାଲ) ତାଙ୍କ ସବୁ ସମ୍ପତ୍ତି ଅଚଳ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହି ସଂପତ୍ତିକୁ ବିକ୍ରି ବ୍ୟାଙ୍କମାନଙ୍କ ଟଙ୍କା ଫେରାଯିବ । ସୂଚନାଯୋଗ୍ୟ ଯେ ବିଜୟ ମାଲ୍ୟାଙ୍କ କମ୍ପାନି କିଙ୍ଗଫିସର ଏୟାରଲାଇନ୍ସ ନାମରେ ୯ ହଜାର କୋଟି ଟଙ୍କାରୁ ଅଧିକ ପରିମାଣର ବ୍ୟାଙ୍କ ଋଣ ଥିବାବେଳେ ସେ ତାହାକୁ ନ ସୁଝି ଗତ ବର୍ଷ ବିଦେଶ ପଳାୟନ କରିଛନ୍ତି । ଗତ ମାସରେ ତାଙ୍କର ଏକ ବିଳାଶମୟ ଜାହଜ (ସୁପରୟଚ୍‌)କୁ ଦକ୍ଷିଣ ୟୁରୋପୀୟ ଦ୍ୱୀପରାଷ୍ଟ୍ର ମାଲଟାରେ ଜବତ କରାଯାଇଥିଲା । ଏଥିରେ କାମ କରୁଥିବା ୪୦ ଜଣ କର୍ମଚାରୀଙ୍କୁ ବିଗତ ଅନେକ ମାସ ଧରି ଦରମା ଦିଆଯାଇନଥିବାରୁ ଲଣ୍ଡନ ଭିତ୍ତିକ ଏକ ସାମୁଦ୍ରିକ ଟ୍ରେଡ ୟୁନିୟନ ପକ୍ଷରୁ ଏହାକୁ ଜବତ କରାଯାଇଛି ।

ସମ୍ବନ୍ଧିତ ଖବର