ଟ୍ରେନରେ ଅଧିକ ଲଗେଜ୍‌ ନେଇ ଯାଉଥିବା ଯାତ୍ରୀମାନେ ହୋଇଯାଆନ୍ତୁ ସାବଧାନ, ନିର୍ଦ୍ଧାରିତ ଓଜନରୁ ଅଧିକ ଜିନିଷ ନେଲେ ଦେବାକୁ ପଡ଼ିବ ଜରିମାନା, ଜାଣନ୍ତୁ କେଉଁ କୋଚ୍‌ ପାଇଁ କେତେ କିଲୋ ଓଜନ ଧାର୍ଯ୍ୟ କରାଯାଇଛି?

ନୂଆଦିଲ୍ଲୀ: ଟ୍ରେନରେ ଯାତ୍ରା କରିବା ପୂର୍ବରୁ ରେଳ ମନ୍ତ୍ରାଳୟ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ନିୟମ ବିଷୟରେ ଜାଣି ରଖନ୍ତୁ । ଆଗରୁ ଆପଣମାନେ ଟ୍ରେନରେ ଦୂର ସ୍ଥାନକୁ ଯାତ୍ରା କରିବା ସମୟରେ ସାଙ୍ଗରେ ଏକାଧିକ ଲଗେଜ୍‌ ବ୍ୟାଗ୍‌ ନେଇ ଯାତ୍ରା କରୁଥିଲେ । କିନ୍ତୁ ଏବେ ଆପଣ ସେପରି କଲେ ଆପଣଙ୍କ ଦେବାକୁ ପଡ଼ିପାରେ ଜରିମାନା । ଧାର୍ଯ୍ୟ କରାଯାଇଥିବା ଓଜନ ଠାରୁ ଯଦି ଅଧିକ ଓଜନର ଜିନିଷ ନେଇ ଯାଉଛନ୍ତି, ତେବେ ଆପଣଙ୍କୁ ଏଥିପାଇଁ ଜରିମାନା ଦେବାକୁ ପଡ଼ିପାରେ ବୋଲି ରେଳ ମନ୍ତ୍ରାଳୟ ପକ୍ଷରୁ ଜାରି ଏକ ସୂଚନାରେ କୁହାଯାଇଛି ।
ଏହି ନିୟମଟି ଜୁନ୍‌ ୮ରୁ ଜୁନ୍‌ ୨୨ପର୍ଯ୍ୟନ୍ତ ଚାଲୁ ରହିବା ସହ ଏହି ନିୟମଟି ରିଜର୍ଭ କୋଚ୍‌ମାନଙ୍କରେ ଲାଗୁ କରାଯିବ ବୋଲି ଜଣା ପଡ଼ିଛି । ଜୁନ୍‌ ୮-୨୨ମଧ୍ୟରେ ଲୋକମାନେ ଛୁଟି କଟାଇବା ପାଇଁ ଦୂର ସ୍ଥାନକୁ ଯାଉଥିବା ବେଳେ ନିଜ ସହ ଅଧିକ ଲଗେଜ ବ୍ୟାଗ୍‌ ନେଇ ଯାଇଥାନ୍ତି । ଯାହା ଫଳରେ ଅନ୍ୟ ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି ।

bhaskar.com

ଏହି ନିୟମ ଜୁନ୍‌ ୮ରେ ଲାଗୁ ହେବାକୁ ଥିବାରୁ ଏବେ ଠାରୁ ରେଳ ମନ୍ତ୍ରାଳୟ ଯାତ୍ରୀମାନଙ୍କୁ ସୂଚନା ଦେବା ଆରମ୍ଭ କରିଛି । ବିଭିନ୍ନ ଶ୍ରେଣୀର ରିଜର୍ଭ କୋଚ୍‌ ପାଇଁ ଏକ ନିର୍ଦ୍ଧାରିତ ଓଜନ ରଖାଯାଇଛି । ଏହି ନିର୍ଦ୍ଧାରିତ ଓଜନରୁ ଅଧିକ ଓଜନର ଲଗେଜ୍‌ ନେଇ ଯାତ୍ରା କଲେ ଜରିମାନା ଦେବାକୁ ପଡ଼ିବ ବୋଲି ସୂଚନା ଦିଆଯାଇଛି । ପ୍ରଥମ, ଦ୍ୱିତୀୟ ଏବଂ ତୃତୀୟ ଏସି କୋଚ୍‌ରେ ୭୦, ୫୦ ଏବଂ ୪୦ କିଲୋ ପର୍ଯ୍ୟନ୍ତ ଓଜନର ଜିନିଷ ସାଙ୍ଗରେ ନେବାକୁ ଧାର୍ଯ୍ୟ କରାଯାଇଥିବା ବେଳେ ସ୍ଲିପର ଏବଂ ଜେନେରାଲ ଶ୍ରେଣୀରେ ଯଥାକ୍ରମେ ୪୦ ଏବଂ ୩୫ କିଲୋ ଓଜନର ଜିନିଷ ନେବାକୁ ଧାର୍ଯ୍ୟ କରାଯାଇଛି । ଧାର୍ଯ୍ୟ ଓଜନର ସୀମାଠାରୁ ପ୍ରତେକ ଶ୍ରେଣୀ ପାଇଁ କିଛି ଛାଡ଼ ମଧ୍ୟ ରଖା ଯାଇଛି । ପ୍ରଥମ, ଦ୍ୱିତୀୟ ଏବଂ ତୃତୀୟ ଏସି କୋଚ୍‌ ପାଇଁ ୧୫,୧୦ ଏବଂ ୧୦ କିଲୋ ଓଜନ ଛାଡ଼ କରାଯାଇଥିବା ବେଳେ ସ୍ଲିପର ଏବଂ ଜେନେରାଲ ଶ୍ରେଣୀ ପାଇଁ ୧୦ ଏବଂ ୧୦କିଲୋ ଓଜନ କରାଯାଇଛି ।

ସମ୍ବନ୍ଧିତ ଖବର