୭ବର୍ଷ ତଳେ ଆଇଫୋନ୍‌-୪ ପାଇଁ ନିଜର କିଡ୍‍ନି ବିକି ଦେଇଥିବା ଯୁବକ ଏବେ ଶଯ୍ୟାଶାୟୀ, ଚିକିତ୍ସା ପାଇଁ ସବୁ ସମ୍ପତ୍ତି ବିକି ସାରିଲେଣି ମାତା-ପିତା

ନୂଆଦିଲ୍ଲୀ : ଆଇଫୋନ ପାଇଁ ଯୁବପିଢ଼ିଙ୍କ ମଧ୍ୟରେ କେତେ କ୍ରେଜ୍‌ ରହିଛି ତାହା ଅନେକ ସମୟରେ ଦେଖିବାକୁ ମିଳିଥାଏ । ପ୍ରତି ବର୍ଷ ଏହା ନୂଆ ନୂଆ ଫିଚର ଥିବା ଫୋନ କମ୍ପାନୀ ତରଫରୁ ମାର୍କେଟକୁ ଅଣା ଯାଉଥିବା ବେଳେ ଏହାକୁ କିଣିବା ପାଇଁ ଲୋକମାନେ ଢ଼େର୍‌ ଆଗ୍ରହ ଦେଖାଇ ଥାନ୍ତି । କିଛି ଲୋକ ନିଜକୁ ସମସ୍ତଙ୍କଠାରୁ ବଡ଼ ଦେଖାଇବା ପାଇଁ ବା ନିଜର ଷ୍ଟାଟସ ସମସ୍ତଙ୍କଠାରୁ ଉପରେ ରଖିବା ପାଇଁ ଆଇଫୋନ ଧରିଥାନ୍ତି, ଯାହା ସେମାନଙ୍କୁ ବେଳେ ବେଳେ ଅସୁବିଧାର ସମ୍ମୁଖୀନ କରାଇଥାଏ । ସେଭଳି ଏକ ଘଟଣା ଚୀନ୍‌ରେ ୭ ବର୍ଷ ତଳେ ଘଟିଥିଲା ।

୨୦୧୧ରେ ମାର୍କେଟକୁ ନୂଆ ନୂଆ ଆଇଫୋନ-୪ ଆସିଥିବା ବେଳେ ଚୀନ୍‌ରେ ରହୁଥିବା ୧୭ବର୍ଷୀୟ ଜିଓ ଓ୍ଵାଙ୍ଗ ଏହାକୁ କିଣିବାର ସ୍ୱପ୍ନ ଦେଖି ବସିଥିଲେ । ଏଥି ପାଇଁ ସେ ଘରେ ଟଙ୍କା ମାଗିଥିଲେ । କିନ୍ତୁ ଘରର ଆର୍ଥିକ ଅବସ୍ଥା ଠିକ୍‌ ନ ଥିବାରୁ ଓ୍ଵାଙ୍ଗଙ୍କ ପରିବାର ଲୋକେ ଆଇଫୋନ-୪ ପାଇଁ ଟଙ୍କା ଦେଇ ପାରି ନ ଥିଲେ । ଏହା ପରେ ବି ଆଇଫୋନ-୪ କିଣିବାର ନିଶା ଓ୍ଵାଙ୍ଗ୍‌ ମୁଣ୍ଡରୁ ଛାଡ଼ି ନ ଥିଲେ । ଶେଷରେ ସେ ନିଜର କିଡ଼୍‍ନି ବିକିବା ପାଇଁ ମନସ୍ଥ କରିବା ସହ କଳାବଜାରୀଙ୍କୁ ଦେଖା କରିଥିଲେ । ଯାହା ପରେ ଏକ ଜନଶୂନ୍ୟ ସ୍ଥାନରେ ମାଟି ତଳେ ଥିବା ଏକ ଡ଼ାକ୍ତରଖାନାରେ ଓ୍ଵାଙ୍ଗଙ୍କ ଗୋଟେ କିଡ଼୍‍ନୀ କଢ଼ା ଯାଇଥିଲା । ଯାହା ପାଇଁ ତାଙ୍କୁ ୨.୨୩ଲକ୍ଷ ଟଙ୍କା ମିଳିଥିଲା । ଏକ ସପ୍ତାହ ମଧ୍ୟରେ ଠିକ୍‌ ହୋଇଯିବ ବୋଲି କହି ଓ୍ଵାଙ୍ଗ୍‌ଙ୍କୁ ଛଡ଼ା ଯାଇଥିବା ବେଳେ ଅସ୍ତ୍ରୋପଚାର କରାଯାଉଥିବା ସ୍ଥାନଟି ଅପରିଷ୍କାର ଥିବାରୁ ଓ୍ଵାଙ୍ଗ୍‌ ସଂକ୍ରମଣର ଶିକାର ହୋଇଥିଲେ । ଯାହା ପରେ ତାଙ୍କର ଅନ୍ୟ କିଡ଼୍‍ନିଟି ଖରାପ ହେବାକୁ ଲାଗିଥିଲା ।

Indiatimes.com

ପରିବାର ଲୋକଙ୍କୁ ଜଣା ପଡ଼ିବା ବେଳକୁ ଓ୍ଵାଙ୍ଗଙ୍କ କିଡ଼୍‍ନିଟି ସମ୍ପୂର୍ଣ୍ଣ ଖରାପ ହୋଇ ସାରିଥିଲା । ପୁଅର ଏ ଅବସ୍ଥା ଦେଖି ଆଇଫୋନ-୪ଦେଇ ନ ପାରିଥିବା ମାତା-ପିତା ନିଜର ସବୁ ସମ୍ପତି ବିକି ଓ୍ଵାଙ୍ଗଙ୍କ ଚିକିତ୍ସା କରାଉଛନ୍ତି । ବଞ୍ଚିବାର ଆଶା ନଥାଇ ମଧ୍ୟ ମାତା-ପିତା ଆଶା ନ ଛାଡ଼ି ନିଜର କର୍ତ୍ତବ୍ୟ କରି ଚାଲିଛନ୍ତି । ସାମାନ୍ୟ ଆଇଫୋନ-୪ ଧରିବାର ନିଶା ପାଇଁ ଓ୍ଵାଙ୍ଗ ୨୪ବର୍ଷରୁ ହିଁ ଶଯ୍ୟାଶାୟୀ ହୋଇ ସାରିଛନ୍ତି ।

ସମ୍ବନ୍ଧିତ ଖବର