ଭୀଷଣ ତୋଫାନ ଯୋଗୁଁ ଉତ୍ତର ପ୍ରଦେଶ ଓ ରାଜସ୍ଥାନରେ ୪୨ ମୃତ

0 472

ଆଗ୍ରା/ଜୟପୁର: ବୁଧବାର ରାତିରେ ଦୀର୍ଘ ଚାରି ଘଣ୍ଟା ବ୍ୟାପୀ ପ୍ରଖର ପବନ ଓ ମୂଷଳଧାରାରେ ବର୍ଷା ଯୋଗୁଁ ଉତ୍ତର ପ୍ରଦେଶ ଏବଂ ପୂର୍ବ ରାଜସ୍ଥାନରେ ୪୨ ଜଣଙ୍କର ମୃତ୍ୟୁ ହେବା ସହ ବହୁ ଅନେକ ଅଞ୍ଚଳ ଛାରଖାର ହୋଇ ଯାଇଛି।

ରାଜସ୍ଥାନର ଭରତପୁର ଏବଂ ଢୋଲପୁରରେ ତାଣ୍ଡବ ରଚିବା ପୂର୍ବରୁ ଉତ୍ତର ପ୍ରଦେଶର ଆଗ୍ରା, ମଥୁରା ଏବଂ ଫିରୋଜାବାଦ ଜିଲ୍ଲାରେ ତୋଫାନ ଯୋଗୁଁ ଘର ଭାଙ୍ଗି ଯିବାରୁ ପିଲାଙ୍କ ସମେତ କିଛି ଲୋକଙ୍କର ମୃତ୍ୟୁ ଘଟିଥିଲା। ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି: ଘରର କାନ୍ଥ ଭାଙ୍ଗି ଯିବାରୁ ଅଧିକାଂଶ ମୃତ୍ୟୁ ଘଟିଛି। ଅଧିକାଂଶ ଘଟଣାରେ ପୀଡ଼ିତମାନେ ଶୋଇଥିଲେ। ଅନ୍ୟୂନ ୨୦୦ ଲୋକ ତୋଫାନରେ ଆହତ ହୋଇଛନ୍ତି ଏବଂ ପ୍ରାୟ ୬୦୦ ବିଜୁଳି ଖୁଣ୍ଟ ଉପୁଡ଼ି ଯାଇଛି।

ଆଗ୍ରାରେ ୧୪ ଜଣ ଲୋକ ମରିଥିବା ବେଳେ ମଥୁରା ଏବଂ ଫିରୋଜାବାଦରେ ୪ ଜଣ ଲେଖାଏଁ ମରିଛନ୍ତି। ସେମାନଙ୍କ ମଧ୍ୟରୁ ୭ ଜଣ ପିଲା। ରାଜସ୍ଥାନରରେ ମୃତ୍ୟୁ ହୋଇଥିବା ୧୪ ଜଣ ବ୍ୟକ୍ତିଙ୍କ ମଧ୍ୟରୁ ପାଞ୍ଚ ଜଣ ପିଲା। ସେମାନେ ଢୋଲପୁରର। ଭରତପୁର ଜିଲ୍ଲାରେ ମଧ୍ୟ ଛଅ ଜଣଙ୍କର ମୃତ୍ୟୁ ଘଟିଛି।

ମଥୁରା ଜିଲ୍ଲାର ଝୁରାବି ଗାଁ’ରେ ଏକ ବଖୁରିଆ ଘରର ଟିଣ ଛାତ ଭାଙ୍ଗି ପଡ଼ିବାରୁ ଭାଇଭଉଣୀ ତିନି ଜଣଙ୍କର ମୃତ୍ୟୁ ଘଟିଛି। ପୁଲିିସ କହିବା ଅନୁସାରେ, ତୋଫାନ୍‌ ସମୟରେ ଦିନ ମଜୁରିଆ କାମ କରୁଥିବା ସେ ପିଲାମାନଙ୍କର ବାପାମାଆ ଘରେ ନ ଥିଲେ।

ଅଧିକାଂଶ ସ୍ଥାନରେ ବିଜୁଳି ସଂଯୋଗ ବିଚ୍ଛିନ୍ନ ହୋଇ ଯିବାରୁ ଉତ୍ତର ପ୍ରଦେଶର ବୃହତ୍ତର ଅଞ୍ଚଳ ଅନ୍ଧକାରଚ୍ଛନ ହୋଇ ପଡ଼ିଥିଲା। ତୋଫାନ୍‌ ଯୋଗୁଁ ଆଗ୍ରାର ୟୁପି ଡାଏଲ୍‌ ୧୦୦ କଣ୍ଟ୍ରୋଲ୍‌ ରୁମ୍‌ର ଛାତ ଭାଙ୍ଗି ଯିବାରୁ ଜଣେ ପୁଲିସ ଆହତ ହେବା ସହ ଯୋଗାଯୋଗ ଲାଇନ୍‌ ଅକାମି ହୋଇଯାଇଛି।

ଆଗ୍ରା ଏବଂ ମଥୁରା ମଧ୍ୟ ଦେଇ ଯାଉଥିବା ୨୫ଟି ଟ୍ରେନ୍‌ର ଯାତାୟାତ ମଧ୍ୟ ପ୍ରଭାବିତ ହୋଇଥିଲା।

ଆଗ୍ରାରେ ମଇଁଷି ଓ ମେଣ୍ଢାଙ୍କ ସମେତ ଅନ୍ୟୂନ ୪୦ ଗୋରୁଙ୍କ ମୃତ୍ୟୁ ହେବା ସହ ଫିରୋଜାବାଦରେ ୫୦ ପଶୁଙ୍କର ମୃତ୍ୟୁ ଘଟିଛି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.

seventeen − fourteen =