ନାବାଳିକା ପତ୍ନୀଙ୍କ ସହ ଶାରୀରିକ ସଂପର୍କ ଦୁଷ୍କର୍ମ ବିବେଚିତ ହେବ: ସୁପ୍ରିମ୍‌ କୋର୍ଟ

ନୂଆଦିଲ୍ଲୀ: ନାବାଳିକା ପତ୍ନୀଙ୍କ ସହ ଶାରୀରିକ ସଂପର୍କ ରଖିବା  ଦୁଷ୍କର୍ମ ବୋଲି ବୁଧବାର ଦିନ ଉଚ୍ଚତମ ନ୍ୟାୟାଳୟ ରାୟ ଶୁଣାଇଛନ୍ତି।

ଶାରୀରିକ ସଂପର୍କ ଲାଗି ସମ୍ମତି ଦେବାର ବୟସ ଏବଂ ଦାମ୍ପତ୍ୟ ଦୁଷ୍କର୍ମ ସମ୍ବନ୍ଧରେ ଦାଏର୍‌ କରାଯାଇଥିବାର କେତେକ ପିଟିସନ୍‌ର ଶୁଣାଣି କରି ଉଚ୍ଚତମ ନ୍ୟାୟଳୟ ଏହି ଅଭୂତପୂର୍ବ ରାୟ ଦେଇଛନ୍ତି। କିନ୍ତୁ, ଦାମ୍ପତ୍ୟ ଦୁଷ୍କର୍ମ ସମ୍ପନ୍ଧରେ ଶୀର୍ଷ ଅଦାଲତ କୌଣସି ରାୟ ଦେଇ ନାହାନ୍ତି।

ଆଜିକାର ଉଚ୍ଚତମ ନ୍ୟାୟାଳୟଙ୍କ ରାୟ ପୂର୍ବରୁ ଧାରା ୩୭୫ ଅନ୍ତର୍ଗତ ଦୁଷ୍କର୍ମ ଆଇନ ବ୍ୟବସ୍ଥାରେ ଏକ କୋହଳ ଥିଲା। ପତ୍ନୀ ୧୮ ବର୍ଷରୁ କମ୍ ଅର୍ଥାତ ନାବାଳିକା ଥିଲେ ମଧ୍ୟ ତାଙ୍କ ସହ ସଂସର୍ଗ କରୁଥିବା ସ୍ୱାମୀଙ୍କୁ ଏହା ସୁରକ୍ଷା ଦେଉଥିଲା। ଏହା ଅନୁସାରେ, ବିନା ସମ୍ମତିରେ ୧୫ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କା ପତ୍ନୀଙ୍କ ସହ  ଶାରୀରିକ ସଂପର୍କ  ଦୁଷ୍କର୍ମ ଅପରାଧ ଅନ୍ତର୍ଭୁକ୍ତ ନୁହେଁ। ପ୍ରକାଶଯୋଗ୍ୟ କି, ୧୮ ବର୍ଷ ହେଉଛି ଶାରୀରିକ ସଂପର୍କ  ନିମନ୍ତେ ସମ୍ମତି ଦେବାର ଆଇନଗତ ବୟସ।

ଭାରତୀୟ ପିଙ୍ଗଳ କୋଡ୍‌ ଧାରା ୩୭୫ ଅନ୍ତର୍ଗତ ଏହି  କୋହଳ ନାବାଳିକା କନ୍ୟାର ସାମ୍ବିଧାନିକ ଏବଂ ମୌଳିକ ଅଧିକାର କ୍ଷୁର୍ଣ୍ଣ କରୁଥିବା ସ୍ୱାମୀଙ୍କୁ ସୁରକ୍ଷା ଦେଉଥିଲା ବୋଲି ଉଚ୍ଚତମ ନ୍ୟାୟାଳୟ କହନ୍ତି।

ଉଚ୍ଚତମ ନ୍ୟାୟାଳୟଙ୍କ ଏହି ଅଭୂତପୂର୍ବ  ରାୟ ଦେଶର ୨. ୩ କୋଟି ନାବାଳିକା କନ୍ୟାଙ୍କର ଅଧିକାର କାଏମ ରଖିଛି।

ଭାରତରେ  ଦୁଷ୍କର୍ମ  ଅାଇନ ଏବଂ ବାଲ୍ୟ ବିବାହ ଆଇନ ଅନୁଯାୟୀ ଶାରୀରିକ ସଂପର୍କ ଲାଗି ସମ୍ମତି ଦେବାର ବୟସ ଉପରେ ଏକମତ ନ ଥିଲା। ଭାରତୀୟ ପିଙ୍ଗଳ କୋଡ୍‌ ଅନୁସାରେ, ସମ୍ମତି ନ ଥିଲେ ମଧ୍ୟ ୧୫ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କା ପତ୍ନୀଙ୍କ ସହ ଯୌନ ସମ୍ପର୍କ ଦୁଷ୍କର୍ମ ନୁହେଁ ସଂସର୍ଗ।

ବାଲ୍ୟ ବିବାହ ଦେଶରେ ଏକ ବାସ୍ତବତା ଏବଂ ଏହି ବିବାହକୁ ସୁରକ୍ଷିତ କରାଯିବା ଆବଶ୍ୟକ ବୋଲି ଯୁକ୍ତି ଦର୍ଶାଇ ଥିବା କେନ୍ଦ୍ର ସରକାରଙ୍କ ଆବେଦନକୁ ଉଚ୍ଚତମ ନ୍ୟାୟାଳୟ ଖାରଜ କରି ଦେଇଛନ୍ତି।

ସମ୍ମତିର ବୟସ ୧୮ ଥିବାବେଳେ ସଂସଦ କେମିତି ଏକ ବ୍ୟତିକ୍ରମ କରି ପାରିଲା ବୋଲି ଜଷ୍ଟିସ୍‌ ମଦନ ବି ଲୋକୁରଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ସେପ୍ଟେମ୍ବର ୬ ତାରିଖ ଦିନ କେନ୍ଦ୍ର ସରକାରଙ୍କୁ ପଚାରି ଥିଲେ।

ସେପ୍ଟେମ୍ବର ମାସରେ ମଧ୍ୟ ଉଚ୍ଚତମ ନ୍ୟାୟାଳୟ କହିଥିଲେ ଯେ, ଦାମ୍ପତ୍ୟ ଦୁଷ୍କର୍ମ ମାମଲାର ରୂପରେଖ ମଧ୍ୟକୁ ଯିବାକୁ ଅଦାଲତ ଚାହୁଁ ନାହିଁ, କିନ୍ତୁ, ସବୁ ବିଷୟ ନିମନ୍ତେ ସମ୍ମତି ଦେବାର ବୟସ ୧୮ ହୋଇଥିବାବେଳେ, ଭାରତୀୟ ପିଙ୍ଗଳ କୋର୍ଡରେ ଏ ଭଳି ବ୍ୟତିକ୍ରମ କାହିଁକି ରଖା ଯାଇଛି।
ଏହାର ଉତ୍ତର ଦେଇ କେନ୍ଦ୍ର ସରକାରଙ୍କ ପରାମର୍ଶଦାତା କହିଥିଲେ ଯେ ଯଦି ଭାରତୀୟ ପିଙ୍ଗଳ କୋର୍ଡରେ ଥିବା ଏହି ବ୍ୟତିକ୍ରମ ଚାଲିଯାଏ ତେବେ ଏହା ଭାରତରେ ଅସ୍ତିତ୍ୱ ନ ଥିବା ଦାମ୍ପତ୍ୟ ଦୁଷ୍କର୍ମ ମାମଲା ଉନ୍ମୁକ୍ତ ହେବ। ସରକାର ଅଦାଲତଙ୍କୁ କହିଥିଲେ କି, ଦାମ୍ପତ୍ୟ ଦୁଷ୍କର୍ମକୁ ଅପରାଧ ବୋଲି ବିବେଚନା କରିବା ବିବାହ ଅନୁଷ୍ଠାନର ଖିଲାପ ହେବ ବୋଲି  କୁହାଯାଉଥିବାରୁ ତାହାକୁ ବିରୋଧ କରାଯାଉଛି।

ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ ଅନୁସାରେ, ୧୮-୨୯ ବର୍ଷ ବୟସ୍କ ମହିଳାଙ୍କ ମଧ୍ୟରୁ ଶତକଡ଼ା ୪୬ ଭାଗଙ୍କର ବିବାହ ୧୮ ବର୍ଷ ପୂର୍ବରୁ ସମ୍ପନ୍ନ ହୋଇଥାଏ।

ସମ୍ବନ୍ଧିତ ଖବର