ନୂଆଦିଲ୍ଲୀ: ଭାରତ ମହାସାଗର ମଧ୍ୟରେ ଅବସ୍ଥିତ ଦ୍ୱୀପପୁଞ୍ଜ ରାଷ୍ଟ୍ର ସେଚେଲସ୍ର ଏକ ଆଭ୍ୟନ୍ତରୀଣ ଦ୍ୱୀପରେ ଏକ ନୌସେନା ଘାଟୀ ପ୍ରତିଷ୍ଠା ପାଇଁ ଭାରତର ଯୋଜନା ବିଫଳ ହୋଇଯାଇଛି। ସେଚେଲସ୍ର ଆଭ୍ୟନ୍ତରୀଣ ଦ୍ୱୀପ ଆସମ୍ପସନ୍ରେ ଭାରତୀୟ ନୌସେନାର ଏକ ସାମରିକ ଘାଟୀ ପ୍ରତିଷ୍ଠା ନିମନ୍ତେ ଭାରତ ଓ ଦ୍ୱୀପପୁଞ୍ଜ ରାଷ୍ଟ୍ର ସେଚେଲସ୍ ମଧ୍ୟରେ ଗତ ଜାନୁଆରି ମାସରେ ଏକ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା। ତେବେ, ସେଚେଲସ୍ ପାର୍ଲିଆମେଣ୍ଟରେ ବିରୋଧୀ ଦଳ ପକ୍ଷରୁ ଏହି ଚୁକ୍ତିକୁ ତୀବ୍ର ବିରୋଧ କରାଯିବା ପରେ ଏହି ଚୁକ୍ତି ବାତିଲ ହେବା ସହ ଭାରତର ଯୋଜନା ବିଫଳ ହୋଇ ଯାଇଥିବା ଜାଣିବାକୁ ମିଳିଛି।
Sambad is now on WhatsApp
Join and get latest news updates delivered to you via WhatsApp
ସେଚେଲସ୍ ପାର୍ଲିଆମେଣ୍ଟରେ ବିରୋଧୀ ଦଳ ଉଭୟ ଦେଶ ମଧ୍ୟରେ ନୌସେନା ଘାଟୀ ପ୍ରତିଷ୍ଠା ପାଇଁ ସ୍ୱାକ୍ଷରିତ ହୋଇଥିବା ଚୁକ୍ତର ତୀବ୍ର ବିରୋଧ କରିବା ସହ ଏପରି ନିଷ୍ପତ୍ତି ଗୋଟିଏ ରାଷ୍ଟ୍ରର ଅଞ୍ଚଳକୁ ଅନ୍ୟ ଗୋଟିଏ ରାଷ୍ଟ୍ର ହାତରେ ଟେକିଦେବା ସହ ସମାନ ବୋଲି ଅଭିଯୋଗ କରିଥିଲେ। ବିରୋଧୀ ଦଳର ସଦସ୍ୟମାନେ ଅଭିଯୋଗ କରି କହିଥିଲେ ଯେ ଏକ ବ୍ୟସ୍ତ ବହୁଳ ସାମୁଦ୍ରିକ ପଥର ଆସମ୍ପସନ୍ ଦ୍ୱୀପରେ ଭାରତକୁ ନୌସେନା ଘାଟୀ ପ୍ରତିଷ୍ଠା ପାଇଁ ଅନୁମତି ଦିଆଗଲେ ଏହା ଗୋଟିଏ ରାଷ୍ଟ୍ରର ଅଞ୍ଚଳକୁ ଅନ୍ୟ ଗୋଟିଏ ରାଷ୍ଟ୍ର ନିକଟରେ ଆତ୍ମସମର୍ପଣ କରିଦେବା ସଦୃଶ ହେବ। ଏବଂ ଏହି ନିଷ୍ପତ୍ତି ଦ୍ୱାରା ୧୧୫ଟି ଦ୍ୱୀପ ରାଷ୍ଟ୍ରର ସାର୍ବଭୌମତ୍ୱ ପ୍ରତି ଅଣଦେଖା କରାଯିବା ସଦୃଶ ହେବ। ବିରୋଧୀ ଦଳର ଏପରି ବିରୋଧ ପରେ ସଂପୃକ୍ତ ଚୁକ୍ତିଟି ସେଚେଲସ୍ ଜାତୀୟ ଆସେମ୍ଲି (ପାର୍ଲିଆମେଣ୍ଟ)ରେ ଉପସ୍ଥାପିତ ହେବା ପୂର୍ବରୁ ବାତିଲ ହୋଇଯାଇଛି।
ତେବେ, ଏହି ଘଟଣା ଭାରତ ପାଇଁ ଏକ ବଡ଼ ଧକ୍କା ସଦୃଶ ହୋଇଛି। କାରଣ, ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେଚେଲସ୍ ଗସ୍ତରେ ଯାଇଥିବା ବେଳେ ସେଠାର ଆସମ୍ପସନ୍ ଦ୍ୱୀପରେ ପ୍ରତିଷ୍ଠା ହେବାକୁ ଥିବା ପ୍ରସ୍ତାବିତ ଭାରତୀୟ ନୌସେନା ଘାଟୀର ଶିଳାନ୍ୟାସ ମଧ୍ୟ କରି ଦେଇଥିଲେ।