ମହାରାଷ୍ଟ୍ରରେ ସରକାର ଗଠନ ସଂପର୍କରେ ବିଜେପି-ଶିବସେନାକୁ ପଚାର : ପାଓ୍ଵାର

ନୂଆଦିଲ୍ଲୀ : ମହାରାଷ୍ଟ୍ରରେ ଏବେ ବି ସରକାର ଗଠନ ନେଇ ଅନିଶ୍ଚିତତା ଜାରି ରହିଛି । ସରକାର ଗଠନ ଲାଗି ଶିବସେନା,କଂଗ୍ରେସ ଓ ଏନସିପି ମେଣ୍ଟ ଗଢିଥିଲେ ମଧ୍ୟ ଏବେ ବି କେତେକ କ୍ଷେତ୍ରରେ ମତଭେଦ ରହିଥିବା ସଂଦେହ କରାଯାଉଛି । ଏନସିପି ଅଧ୍ୟକ୍ଷ ଶରଦ ପାଓ୍ଵାର ଆଜି ଦେଇଥିବା କେତେକ ବକ୍ତବ୍ୟରୁ ଏହି ସଂଦେହ ଦୃଢ ହେଉଛି ।

ଆଜି ସରକାର ଗଠନ ନେଇ ଏନସିପି ଅଧ୍ୟକ୍ଷ ଶରଦ ପାଓ୍ଵାରଙ୍କୁ ପଚରାଯାଇଥିବା ଏକ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି ଯେ ବିଜେପି-ଶିବସେନା ମିଳିତଭାବେ ନିର୍ବାଚନ ଲଢିଥିଲେ, ଏଣୁ ସେମାନଙ୍କୁ ଏକଥା ପଚରାଯାଉ । ସେ କହିଛନ୍ତି ଯେ ବିଜେପି-ଶିବସେନା ସେମାନଙ୍କ ବାଟ ବାଛିବେ, ଆମେ (ଏନସିପି-କଂଗ୍ରେସ) ଆମ ପଥ ବାଛିବୁ । ଶରଦ ପାଓ୍ଵାର ଆଜି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ତାଙ୍କ ବାସଭବନରେ ଭେଟିବାର କାର୍ଯ୍ୟକ୍ରମ ରହିଛି । ଏହି ବୈଠକ ଅବସରରେ ଉଭୟ ପ୍ରସ୍ତାବିତ ମେଣ୍ଟ ସରକାରର ରୂପରେଖ ସଂପର୍କରେ ଆଲୋଚନା କରିବାର ସମ୍ଭାବନା ରହିଛି ।

ଗତ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ବିଜେପି-ଶିବସେନା ମେଣ୍ଟ ଯଥାକ୍ରମେ ୧୦୫ ଓ ୫୬ ଟି ଆସନ ପାଇଁ ସରକାର ଗଠନ ପାଇଁ ଆବଶ୍ୟକ ସଂଖ୍ୟା ଯୋଗାଡ କରିଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଶିବସେନା ବିଜେପି ସହ ସଂପର୍କ ଛିନ୍ନ କରିଛି । ଏନସିପି-କଂଗ୍ରେସ ସମର୍ଥନରେ ସରକାର ଗଢିବାକୁ ଶିବସେନା ଆଶାୟୀ ରହିଛି ।

ସମ୍ବନ୍ଧିତ ଖବର