ଓଡ଼ିଶାରେ ବୃଦ୍ଧି ପାଉଛି ଜଙ୍ଗଲପୋଡ଼ି

ସର୍ବଭାରତୀୟ ସ୍ତରରେ ଦ୍ୱିତୀୟ

ନୂଆଦିଲ୍ଲୀ : ଜଙ୍ଗଲ ପୋଡ଼ି ଘଟଣା ଓଡ଼ିଶାରେ କ୍ରମାଗତ ବୃଦ୍ଧି ପାଉଛି। ୨୦୧୫ରେ ଓଡ଼ିଶାରେ ୧୪୬୭ଟି ଜଙ୍ଗଲ ପୋଡ଼ି ଘଟଣା ଘଟିଥିବାବେଳେ ୨୦୧୬ରେ ଏହି ସଂଖ୍ୟା ୨୭୬୩କୁ ବୃଦ୍ଧି ପାଇଥିଲା ଏବଂ ୨୦୧୭ ମସିହାରେ ସର୍ବାଧିକ ୪୪୧୬ ଜଙ୍ଗଲ ପୋଡ଼ି ଘଟଣା ଘଟିଛି। ତେବେ ମୋଟ୍‌ ଉପରେ ଗତ ତିନିବର୍ଷ ମଧ୍ୟରେ ସମୁଦାୟ ୮୬୪୬ ଜଙ୍ଗଲପୋଡ଼ି ଘଟଣା ଘଟିଛି। ଡେରାଡୁନ୍‌ ସ୍ଥିତ ଭାରତୀୟ ଜଙ୍ଗଲ ସର୍ବେକ୍ଷଣ ସଂସ୍ଥା ଦ୍ୱାରା ପ୍ରସ୍ତୁତ କରାଯାଇଥିବା ରିପୋର୍ଟର ତଥ୍ୟ ଅନୁସାରେ ଲୋକସଭାରେ ସାଂସଦ ବିଭି ନାୟକ ଓ ଏସ୍‌ପିଏମ୍‌ ଗୌଡ଼ାଙ୍କ ଅଣତାରକା ପ୍ରଶ୍ନର ଉତ୍ତର ରଖି ଏହି ସୂଚନା ଦେଇଥିଲେ କେନ୍ଦ୍ର ଜଙ୍ଗଲ ଓ ପର୍ଯ୍ୟାବରଣ ରାଷ୍ଟ୍ର ମନ୍ତ୍ରୀ ମହେଶ ଶର୍ମା।

କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀଙ୍କ ସୂଚନାନୁଯାୟୀ ଗତ ତିନିବର୍ଷରେ ଦେଶରେ ୭୬୬୪୨ଟି ଜଙ୍ଗଲରେ ନିଅାଁ ଲାଗିଥିବା ଜଣାପଡ଼ିଛି। ୨୦୧୫ରେ ଏହିସଂଖ୍ୟା ଥିଲା ୧୫,୯୩୭, ୨୦୧୬ରେ ୨୪୮୧୭, ୨୦୧୭ରେ ସର୍ବାଧିକ ୩୫,୮୮୮ ଘଟଣା ଘଟିଛି। ୨୦୧୭ରେ ମଧ୍ୟପ୍ରଦେଶରେ ସର୍ବାଧିକ ୪୭୮୧ ଜଙ୍ଗଲ ପୋଡ଼ି ଘଟଣା ଘଟିଥିବାବେଳେ ଏହା ପଛକୁ ଦ୍ୱିତୀୟ ସ୍ଥାନରେ ରହିଛି ଓଡ଼ିଶା। ଓଡ଼ିଶାରେ ୨୦୧୭ରେ ୪୪୧୬ ଜଙ୍ଗଲ ପୋଡ଼ି ଘଟଣା ଘଟିଛି। ୨୦୧୭ରେ ଦେଶର ୧୨ଟି ରାଜ୍ୟରେ ୧୦୦୦ରୁ ଅଧିକ ସଂଖ୍ୟା ଜଙ୍ଗଲରେ ନିଅାଁ ଲାଗିଥିବା ମନ୍ତ୍ରୀଙ୍କ ଜବାବ୍‌ରୁ ଜଣାପଡ଼ିଛି। କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀଙ୍କ ସୂଚନାନୁସାରେ ୨୦୧୫ ଓ ୨୦୧୬ ତୁଳନାରେ ୨୦୧୭ରେ ଫରେଷ୍ଟ ଫାୟାର ଆଲର୍ଟ (ଜଙ୍ଗଲ ଅଗ୍ନିକାଣ୍ଡ ସତର୍କ) ବୃଦ୍ଧି ଘଟିଛି।

ଅନ୍ୟପକ୍ଷରେ ଗତ ତିନିବର୍ଷର ଜଙ୍ଗଲ ପୋଡ଼ି ଘଟଣାରେ କେତେ ହେକ୍ଟର ଜମି ପ୍ରଭାବିତ ହୋଇଛି ସେନେଇ ଆର୍ଥିକ କ୍ଷୟକ୍ଷତି ଆକଳନ ସମ୍ପର୍କରେ ମନ୍ତ୍ରାଳୟ ପାଖରେ କୌଣସି ସୂଚନା ନଥିବା କୁହାଯାଉଛି। ଏତଦ୍‌ବ୍ୟତୀତ ଜଙ୍ଗଲରେ ନିଅାଁ ଲାଗିବା ମାମଲାରେ ବାସ୍ତବ ପକ୍ଷରେ ହେଉଥିବା କ୍ଷୟକ୍ଷତି ଆକଳନ ପାଇଁ କ୍ଷତିପୂରଣ ନିର୍ଦ୍ଧାରଣ କରିବାପାଇଁ ନିରପେକ୍ଷ ଏଜେନ୍ସି ଗଠନ କରିବା ନେଇ କୌଣସି ପ୍ରକାର ପ୍ରସ୍ତାବ ନଥିବା କେନ୍ଦ୍ର ଜଙ୍ଗଲ ଓ ପର୍ଯ୍ୟାବରଣ ରାଷ୍ଟ୍ରମନ୍ତ୍ରୀ ଲିଖିତ ଉତ୍ତରରେ କହିଛନ୍ତି।

ସମ୍ବନ୍ଧିତ ଖବର