ରାଷ୍ଟ୍ରୀୟ ସମ୍ମାନ ସହ ଶଶି କପୁରଙ୍କ ଶେଷକୃତ୍ୟ ସମ୍ପନ୍ନ

ମୁମ୍ବାଇ,: ହିନ୍ଦୀ ଚଳଚ୍ଚିତ୍ର ଜଗତର ମହାନ ଅଭିନେତା ଶଶି କପୁରଙ୍କ ମର ଶରୀର ଆଜି ପଞ୍ଚଭୂତରେ ବିଲୀନ ହୋଇଛି। ରାଷ୍ଟ୍ରୀୟ ସମ୍ମାନ ସହ ଶଶିଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଜାତୀୟ ପତାକାରେ ଶଶିଙ୍କ ଶରୀରକୁ ଘୋଡ଼ାଇ ପୂର୍ବାହ୍ନ ୧୧.୪୫ରେ ତାଙ୍କ ଜୁହୁ ସ୍ଥିତ ବାସଭବନରୁ ଶ୍ମଶାନ ପର୍ଯ୍ୟନ୍ତ ନିଆଯାଇଥିଲା। ପରିବାର ସଦସ୍ୟ ଏବଂ ବଲିଉଡ୍‌ର ବହୁ ବିଶିଷ୍ଠ କଳାକାରଙ୍କ ଗହଣରେ ମୁମ୍ବାଇର ଶାନ୍ତାକ୍ରଜ ହିନ୍ଦୁ ଶ୍ମଶାନରେ ଶଶିଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଶଶିଙ୍କୁ ତିନିଥର ତୋପ ସଲାମୀ ପ୍ରଦାନ କରାଯାଇଛି। ପ୍ରବଳ ବର୍ଷା ସତ୍ତ୍ୱେ ଶଶିଙ୍କର ହଜାର ହଜାର ପ୍ରଶଂସକ ଶ୍ମଶାନରେ ଉପସ୍ଥିତ ରହି ଶଶିଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହି ଅବସରରେ ମେଗାଷ୍ଟାର ଅମିତାଭ ବଚ୍ଚନ, ଶାହରୁଖ ଖାନ୍‌, ଅଭିଷେକ ବଚ୍ଚନ, ଶ୍ୟାମ ବେନେଗଲ, ଆୟନ ମୁଖାର୍ଜୀ, ହନ୍‌ସାଲ ମେହଟା, ନନ୍ଦିତା ଦାସ, ଲାରା ଦତ୍ତ ଏବଂ ଲେଖକ ସଲିମ ଖାନ୍‌ ପ୍ରମୁଖ ଶ୍ମଶାନ ସ୍ଥଳରେ ପହଞ୍ଚି ଶଶିଙ୍କୁ ଶେଷ ସମ୍ମାନ ଜଣାଇଥିଲେ। ୧୦୦ରୁ ଊର୍ଦ୍ଧ୍ୱ ଫିଲ୍ମରେ ଅଭିନୟ କରିଥିବା କିମ୍ବଦନ୍ତୀ ଅଭିନେତା ଶଶି କପୁରଙ୍କର ଗତକାଲି ୭୯ ବର୍ଷ ବୟସରେ ପରଲୋକ ହୋଇଯାଇଥିଲା।

ସମ୍ବନ୍ଧିତ ଖବର