ଶଶି କପୁରଙ୍କ ପରଲୋକ

ମୁମ୍ବାଇ : ବିଶିଷ୍ଟ ଅଭିନେତା ଶଶି କପୁରଙ୍କ ଆଜି ପରଲୋକ ହୋଇଯାଇଛି। ତାଙ୍କୁ ୭୯ ବର୍ଷ ହୋଇଥିଲା। ତାଙ୍କ ବିୟୋଗ ଖବର ପ୍ରଚାରିତ ହେବାମାତ୍ରେ ଚଳଚ୍ଚିତ୍ର ଜଗତରେ ଶୋକର ଛାୟା ଖେଳିଯାଇଛି। ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ସମେତ ଅନେକ ନେତା ଓ ଅଭିନେତା ଶୋକ ପ୍ରକାଶ କରିଛନ୍ତି।

ଦୀର୍ଘ ଦିନ ଧରି ଶଶି କପୁର ଅସୁସ୍ଥ ଥିଲେ। ଗତକାଲି ରାତିରେ ତାଙ୍କୁୁ କୋକିଲାବେନ୍‌ ଅମ୍ବାନି ହସପିଟାଲରେ ଭର୍ତି କରାଯାଇଥିଲା। ରାତିରୁ ତାଙ୍କର ଅବସ୍ଥା ସଙ୍କଟାପନ୍ନ ଥିଲା। ଆଜି ଅପରାହ୍ନ ୫ଟା ୨୦ ମିନିଟରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଶଶିଙ୍କର ଜଣେ ଝିଅ ସଂଜନା କପୁର ଏବଂ ଦୁଇ ପୁଅ କୁନାଲ ଏବଂ କରନ କପୁର ଅଛନ୍ତି। ପତ୍ନୀ ଜେନିଫରଙ୍କର ୧୯୮୪ରେ ପରଲୋକ ହୋଇଯାଇଛି। ଆସନ୍ତାକାଲି ଶଶି କପୁରଙ୍କ ଶେଷକୃତ୍ୟ ସଂପନ୍ନ ହେବ।

ପୃଥ୍ଵୀରାଜ କପୁରଙ୍କ ପୁଅ ତଥା ରାଜ କପୁର ଓ ସମ୍ମି କପୁରଙ୍କ ଭାଇ ଶଶି କପୁର ୧୯୬୧ରେ ‘ଧର୍ମପୁତ୍ର’ ଚଳଚ୍ଚିତ୍ରରୁ ତାଙ୍କର ଅଭିନୟ ଜୀବନ ଆରମ୍ଭ କରିଥିଲେ। ସେ ୧୧୬ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। ତାଙ୍କ ଦ୍ୱାରା ଅଭିନୀତ ଚଳଚ୍ଚିତ୍ର ମଧ୍ୟରେ ସବୁଠାରୁ ଲୋକପ୍ରିୟତା ଅର୍ଜନ କରିଥିବା ଫିଲ୍ମରେ ରହିଛି: ଦିଓ୍ଵାର (୧୯୭୫), ସତ୍ୟମ ଶିବମ ସୁନ୍ଦରମ (୧୯୭୮), ଜୁନୁନ (୧୯୭୮), କାଲା ପଥର (୧୯୭୯), ସାନ୍‌ (୧୯୮୦)ଏବଂ ନମକ ହଲାଲ (୧୯୮୨)। ଫିଲ୍ମ ଦୁନିଆରେ ତାଙ୍କର ଉଲ୍ଳେଖନୀୟ ଅବଦାନ ପାଇଁ ୨୦୧୧ରେ ଶଶିଙ୍କୁ ପଦ୍ମ ଭୂଷଣ ସହିତ ସମ୍ମାନିତ କରାଯାଇଥିଲା। ୨୦୧୫ରେ ତାଙ୍କୁ ଦାଦା ସାହେବ ଫାଲକେ ପ୍ରଦାନ କରାଯାଇଥିଲା। ଫାଲ୍‌କେ ପୁରସ୍କାର ପାଇବାରେ ସେ ଥିଲେ କପୁର ପରିବାରର ତୃତୀୟ ସଭ୍ୟ। ଏହାପୂର୍ବରୁ ତାଙ୍କ ପିତା ପୃଥ୍ଵୀରାକ କପୁର ଏବଂ ଭାଇ ରାଜ କପୁରଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥିଲା।

୧୯୭୮ରେ ଶଶି କପୁର ତାଙ୍କ ପତ୍ନୀ ଜେନିଫରଙ୍କ ସହିତ ମିଶି ପୃଥ୍ଵୀ ଥିଏଟର ପ୍ରତିଷ୍ଠା କରିଥିଲେ। ୧୯୮୪ରେ ଜେନିଫର କର୍କଟ ରୋଗରେ ପ୍ରାଣ ହରାଇଥିଲେ।

୧୯୩୮ରେ ଜନ୍ମ ଗ୍ରହଣ କରିଥିବା ଶଶି ତାଙ୍କ ଭାଇ ରାଜ କପୁରଙ୍କ ଚଳଚ୍ଚିତ୍ର ଆଗ (୧୯୪୮) ଏବଂ ଆଓ୍ଵାରା(୧୯୫୧)ରେ ଶିଶୁ କଳାକାର ଭାବେ ଅଭିନୟ କରିଥିଲେ। ଦିଓ୍ଵାର, ସାନ୍‌, ନମକ ହଲାଲ, କଭି କଭି ଏବଂ ଦୋ ଔର ଦୋ ପାଞ୍ଚ ଭଳି ଚଳଚ୍ଚିତ୍ରରେ ସେ ଅମିତାଭ ବଚ୍ଚନଙ୍କ ସହିତ ଅଭିନୟ କରିଥିଲେ।

ସମ୍ବନ୍ଧିତ ଖବର