ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସପକ୍ଷରେ ଅଣ୍ଟା ଭିଡ଼ିଲେ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ବୈଦେଶିକ ରାଷ୍ଟ୍ରମନ୍ତ୍ରୀ ଶଶି ଥରୁର୍‌

କଶ୍ମୀର ପ୍ରସଙ୍ଗରେ ଟ୍ରମ୍ପ ଡାହା ମିଛ କହୁଛନ୍ତି

ନୂଆଦିଲ୍ଲୀ: କଶ୍ମୀର ପ୍ରସଙ୍ଗରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦେଇଥିବା ବିବୃତିକୁ କେନ୍ଦ୍ର କରି ଉଭୟ ଭାରତ ଓ ଆମେରିକାରେ ରାଜନୈତିକ ବାଦାନୁବାଦ ତୀବ୍ର ହୋଇଛି। ଏ ପ୍ରସଙ୍ଗରେ ରାହୁଲ ଗାନ୍ଧୀଙ୍କ ସମେତ କଂଗ୍ରେସ ଦଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଘେରିବା ସହ ନାରାବାଜି କରି ସଂସଦରେ ଅଚଳାବସ୍ଥା ସୃଷ୍ଟି କରିଛନ୍ତି।

ତେବେ, ଏପରିସ୍ଥିତିରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମୁକୁଳାଇବାକୁ ଅଣ୍ଟାଭିଡ଼ି ଆଗେଇ ଆସିଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ବୈଦେଶିକ ରାଷ୍ଟ୍ରମନ୍ତ୍ରୀ ଶଶି ଥରୁର୍‌। ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, କଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦି କୁଆଡ଼େ ତାଙ୍କୁ ଅନୁରୋଧ କରିଥିଲେ ବୋଲି ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଏକ ବିବୃତି ଜାରି କରିବା ପରେ ଏହାକୁ ନେଇ ଏବେ ବିବାଦ ସୃଷ୍ଟି ହୋଇଛି।

ଏ ପରିସ୍ଥିତିରେ ବରିଷ୍ଠ କଂଗ୍ରେସ ନେତା ଶଶି ଥରୁର୍‌ ପ୍ରଧାନମନ୍ତ୍ରୀ ମୋଦିଙ୍କ ସପକ୍ଷରେ ଆଗେଇ ଆସି କହିଛନ୍ତି; ‘ଟ୍ରମ୍ପ ନିଜେ ବୋଧହୁଏ ଜାଣିପାରୁ ନାହାନ୍ତି, କ’ଣ କହୁଛନ୍ତି? ସେ ବୋଧହୁଏ ଏ ପ୍ରସଙ୍ଗକୁ ବୁଝିପାରି ନାହାନ୍ତି କିମ୍ବା ତାଙ୍କ ପ୍ରଶାସନର କେହି ହେଲେ ତାଙ୍କୁ ଏ ପ୍ରସଙ୍ଗ ବାବଦରେ ବୁଝାଇ ପାରି ନାହାନ୍ତି। ଏ ପ୍ରସଙ୍ଗରେ ସହାୟତା ପାଇଁ ପ୍ରଧାନମନ୍ତ୍ରୀ ମୋଦି ତାଙ୍କୁ ଅନୁରୋଧ କରିବା ଏକ ଡାହା ଏବଂ ସଂପୁର୍ଣ୍ଣ ମିଛ। କାରଣ କଶ୍ମୀର ପ୍ରସଙ୍ଗରେ ଭାରତର ଆଭିମୁଖ୍ୟ ବେଶ ସ୍ପଷ୍ଟ ଓ ଖୋଲା। କଶ୍ମୀର ସମସ୍ୟାର ସମାଧାନ ପାଇଁ ଭାରତ କୌଣସି ତୃତୀୟ ପକ୍ଷର ସହାୟତା ନେବ ନାହିଁ। ଯଦି କେବେ ବି ଭାରତ ଏପ୍ରସଙ୍ଗରେ କଥାବାର୍ତ୍ତା କରିବାକୁ ଚାହେଁ, ତେବେ ଭାରତ ସିଧାସଳଖ ପାକିସ୍ତାନ ସହ କଥା ହେବ’ ବୋଲି କହିଛନ୍ତି ଶଶି ଥରୁର୍‌। ଏବଂ କଶ୍ମୀର ପ୍ରସଙ୍ଗରେ ଟ୍ରମ୍ପ ଡାହା ମିଛ କହୁଛନ୍ତି ବୋଲି କହିଛନ୍ତି ଶଶି ଥରୁର୍‌।

ସମ୍ବନ୍ଧିତ ଖବର