ଶୀଲା ଦୀକ୍ଷିତଙ୍କ ପରଲୋକ

ନୂଆଦିଲ୍ଲୀ : ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରି‌ଷ୍ଠ କଂଗ୍ରେସ ନେତ୍ରୀ ଶୀଲା ଦୀକ୍ଷିତଙ୍କର ଆଜି ହୃଦ୍‌ଘାତରେ ପରଲୋକ ହୋଇଯାଇଛି। ତାଙ୍କୁ ୮୧ ବର୍ଷ ହୋଇଥିଲା। କିଛି ଦିନ ହେଲା ସେ ଅସୁସ୍ଥ ଥିଲେ। ଆଜି ଭୋର୍‌ ସମୟରେ ହୃଦ୍‌ଘାତର ଶିକାର ହେବା ପରେ ତାଙ୍କୁ ଦିଲ୍ଲୀର ଓଖାଲା ସ୍ଥିତ ଏସ୍‌କର୍ଟସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଡାକ୍ତରଙ୍କ ସବୁ ଉଦ୍ୟମ ସତ୍ତ୍ବେ ଅପରାହ୍ନ ୩ଟା ୫୫ ମିନିଟ୍‌ରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ତାଙ୍କର ଅନ୍ତିମ ସଂସ୍କାର ଆସନ୍ତାକାଲି ଅପରାହ୍ନ ୨ଟା ୩୦ରେ ଦିଲ୍ଲୀ ନିଗମବୋଧ ଘାଟରେ କରାଯିବ। ସନ୍ଧ୍ୟାରେ ମର ଶରୀରକୁ ଶେଷ ଦର୍ଶନ ପାଇଁ ତାଙ୍କର ନିଜାମୁଦ୍ଦିନସ୍ଥିତ ବାସଭବନରେ ରଖାଯାଇଛି। ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ସମେତ ଅନେକ ମନ୍ତ୍ରୀ ଓ ନେତା ଶୋକ ପ୍ରକାଶ କରିଛନ୍ତି।

ଶୀଲା ଦୀକ୍ଷିତ ୧୯୯୮ରୁ ୨୦୧୩ ପର୍ଯ୍ୟନ୍ତ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଥିଲେ।

ଦୀର୍ଘ ୧୫ ବର୍ଷ ଧରି ଦିଲ୍ଲୀର ମୁଖ୍ୟମନ୍ତ୍ରୀ ପଦରେ ରହି ‌େସ ରେକର୍ଡ ସୃଷ୍ଟି କରିଥିଲେ। କିଛି ଦିନ ପାଇଁ ସେ କେରଳର ରାଜ୍ୟପାଳ ଦାୟିତ୍ବ ମଧ୍ୟ ତୁଲାଇଥିଲେ। ଗତ ଜାନୁଆରୀ ମାସରେ ତାଙ୍କୁ ଦିଲ୍ଳୀ କଂଗ୍ରେସର ମୁଖ୍ୟ ଭାବେ ନିଯୁକ୍ତ କରାଯାଇଥିଲା। ତାଙ୍କ ନେତୃତ୍ବରେ କଂଗ୍ରେସ ଦିଲ୍ଲୀରେ ଗତ ଲୋକସଭା ନିର୍ବାଚନ ଲଢ଼ିଥିଲା। ତେବେ ନିର୍ବାଚନରେ ସେ ଉତ୍ତର ପୂର୍ବ ଦିଲ୍ଲୀ ଆସନରୁ ନିର୍ବାଚନ ଲଢ଼ି ହାରି ଯାଇଥିଲେ।

ଶୀଲା ଦୀକ୍ଷିତଙ୍କ ଜନ୍ମ ୩୧ ମାର୍ଚ ୧୯୩୮ରେ ପଂଜାବର କପୁରତଲାରେ ହୋଇଥିଲା। ସେ ଦିଲ୍ଲୀର ‘ଯେସସ୍‌ ଆଣ୍ଡ୍‌ ମେରୀ’ ସ୍କୁଲ୍‌ରେ ଶିକ୍ଷା ସମାପ୍ତ କରିବା ପରେ ଦିଲ୍ଲୀ ବିଶ୍ବବିଦ୍ୟାଳୟର ମିରାଣ୍ଡା ହାଉସ୍‌ କଲେଜରୁ ଏମ୍‌ଏ ଡିଗ୍ରି ହାସଲ କରିଥିଲେ। ଶୀଲା ୧୯୮୪ରୁ ୧୯୮୯ ପର୍ଯ୍ୟନ୍ତ ଉତ୍ତର ପ୍ରଦେଶର ‌କନୌଜରୁ ସାଂସଦ ରହିଥିଲେ। ମୁଖ୍ୟମନ୍ତ୍ରୀ ଭାବେ ତାଙ୍କର କାର୍ଯ୍ୟକାଳରେ ଦିଲ୍ଲୀରେ ବିଭିନ୍ନ ବିକାଶ କାର୍ଯ୍ୟ ହୋଇଥିଲା। ବିଶେଷ କରି ଭିତ୍ତିଭୂମି ଏବଂ ଫ୍ଲାଏଓଭର ନିର୍ମାଣରେ ତାଙ୍କର ଅବଦାନ ଉଲ୍ଲେଖନୀୟ ଥିଲା।

ସେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ୧୯୮୬ରୁ ୧୯୮୯ ପର୍ଯ୍ୟନ୍ତ ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ରହିଥିଲେ। ୧୯୯୮ ଲୋକସଭା ନିର୍ବାଚନରେ ଶୀଲା ବିଜେପିର ଲାଲ ବିହାରୀ ତିୱାରୀଙ୍କୁ ପୂର୍ବ ଦିଲ୍ଲୀ ଆସନରେ ପରାସ୍ତ କରିଥିଲେ। ପରବର୍ତ୍ତୀ ସମୟରେ ସେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ହୋଇଥିଲେ। ଶୀଲାଙ୍କ ଦୁଇ ସନ୍ତାନ ହେଉଛନ୍ତି ସନ୍ଦୀପ ଦୀକ୍ଷିତ ଏବଂ ଝିଅ ଲତିକା ସୈୟଦ।

ସମ୍ବନ୍ଧିତ ଖବର