ସେଲଟର ହୋମ୍‌ ଦୁଷ୍କର୍ମ ମାମଲା: ନୀତୀଶ କହିଲେ ଲଜ୍ଜାଜନକ; ନୀତୀଶଙ୍କ ଇସ୍ତଫା ଦାବିରେ ଆରଜେଡି ଜନ୍ତରମନ୍ତରରେ କରିବ ବିକ୍ଷୋଭ, ଯୋଗଦେବେ କଂଗ୍ରେସ ଅଧ୍ୟକ୍ଷ ରାହୁଲ

ଶିଶୁ ଅଧିକାର ସୁରକ୍ଷା କମିଶନ କହିଲେ, ଏହାକୁ ବନ୍ଦ କରିବାକୁ ୨୦୧୭ରେ ସୁପାରିସ୍‌ କରିଥିଲି

ମୁଜାଫରପୁର/ ପାଟନା (ବିହାର)/ ନୂଆଦିଲ୍ଲୀ: ସଂପ୍ରତି ସମଗ୍ର ଦେଶରେ ଲଜ୍ଜାର କାରଣ ସାଜିଥିବା ମୁଜାଫରପୁର ସେଲଟର ହୋମ୍‌ ଦୁଷ୍କର୍ମ ମାମଲାକୁ ନେଇ ଏବେ ବିଭିନ୍ନ ସ୍ତରରୁ ରାଜନୀତି ଆରମ୍ଭ ହୋଇ ଯାଇଥିବା ବେଳେ ଏହି କଳଙ୍କିତ ଘଟଣାକୁ ରାଜନୈତିକ ରଙ୍ଗ ଦେବା ପାଇଁ ମଧ୍ୟ ପ୍ରୟାସ ଆରମ୍ଭ ହୋଇ ଯାଇଛି। ଏହି ମାମଲାରେ ନିଜର ଗଭୀର ଉଦ୍‌ବେଗ ପ୍ରକାଶ କରି ଦେଶର ସର୍ବୋଚ୍ଚ ନ୍ୟାୟାଳୟ ସୁପ୍ରିମ୍‌ କୋର୍ଟ ଗତ ଗୁରୁବାର ନିଜ ତରଫରୁ ଏହି ମାମଲାକୁ ବିଚାର ପାଇଁ ଗ୍ରହଣ କରି ଉଭୟ ବିହାର ଓ କେନ୍ଦ୍ର ସରକାରଙ୍କର କଟୁ ସମାଲୋଚନା କରିବା ପରେ ଆଜି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ତାଙ୍କ ଦୀର୍ଘ ନିରବତାକୁ ଭାଙ୍ଗି ଏହି ଘଟଣା ସଂପର୍କରେ ପ୍ରଥମ ଥର ପାଇଁ ନିଜର ମୁହଁ ଖୋଲିଛନ୍ତି।

ମୁଜାଫରପୁର ସେଲଟର ହୋମ୍‌ ଦୁଷ୍କର୍ମ ମାମଲା ସଂପର୍କରେ ପ୍ରଥମ ଥର ପାଇଁ ନିଜ ମୁହଁ ଖୋଲିବା ସହ ମୁଖ୍ୟମନ୍ତ୍ରୀ ନୀତୀଶ କହିଛନ୍ତି, ‘ମୁଖ୍ୟମନ୍ତ୍ରୀ କନ୍ୟା ଉତ୍ଥାନ ଯୋଜନା’ ଅଧୀନରେ ଆରମ୍ଭ ହୋଇଥିବା ଏହି ଆଶ୍ରୟ ଗୃହରେ ୪୨ ଜଣ ଅନ୍ତେବାସିନୀଙ୍କ ମଧ୍ୟରୁ ୩୪ ଜଣଙ୍କୁ ଦୁଷ୍କର୍ମ କରାଯିବା ଘଟଣା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ଲଜ୍ଜାଜନକ। ଏହି ଘଟଣାର ସିବିଆଇ ତଦନ୍ତ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସୁପାରିସ୍‌ କରାଯାଇ ସାରିଛି। ଏହି ଘଟଣାରେ ଦୋଷୀ ମାନଙ୍କ ବିରୋଧରେ କଠୋରରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ’।

୨୦୧୭ରେ ମୁଜାଫରପୁର ସେଲଟର ହୋମ୍‌କୁ ତୁରନ୍ତ ବନ୍ଦ କରିବା ପାଇଁ ରାଜ୍ୟ ସରକାରଙ୍କୁ ସୁପାରିସ୍‌ କରିଥିଲେ ବିହାର ରାଜ୍ୟ ଶିଶୁ ଅଧିକାର ସୁରକ୍ଷା କମିଶନର ଅଧ୍ୟକ୍ଷା

ମୁଖ୍ୟମନ୍ତ୍ରୀ ନୀତୀଶଙ୍କ ଏହି ବିବୃତି ପରେ ବିହାର ରାଜ୍ୟ ଶିଶୁ ଅଧିକାର ସୁରକ୍ଷା କମିଶନର ଅଧ୍ୟକ୍ଷା ଡକ୍ଟର ହର୍‌ପାଲ କୌର କହିଛନ୍ତି ଯେ ୨୦୧୭ରେ ସେ ମୁଜାଫରପୁର ସେଲଟର ହୋମ୍‌ ପରିଦର୍ଶନରେ ଯାଇ ଫେରିବା ପରେ ତୁରନ୍ତ ଏହାକୁ ବନ୍ଦ କରିଦେବା ପାଇଁ ସେ ରାଜ୍ୟ ସରକାରଙ୍କୁ ସୁପାରିସ୍‌ କରିଥିଲେ। କାରଣ, ସେ ତାଙ୍କ ଗସ୍ତକାଳରେ ସଂପୃକ୍ତ ସେଲଟର ହୋମ୍‌ ମଧ୍ୟରେ ଥିବା ଏକ କଠୋରି ମଧ୍ୟରେ କିଛି ଯୁବତୀଙ୍କୁ ତାଲା ପକାଇ ରଖା ଯାଇଥିବା ଦେଖିବାକୁ ପାଇଥିଲେ। ଏହାଛଡ଼ା ସେଠାରେ ଥିବା ଅନ୍ତେବାସୀମାନଙ୍କୁ ମଧ୍ୟ ନିର୍ଯାତନା ଦିଆ ଯାଉଥିବା ତାଙ୍କ ଦୃଷ୍ଟିକୁ ଆସିଥିଲା।

ନୀତୀଶଙ୍କ ଇସ୍ତଫା ଦାବିରେ ଜନ୍ତରମନ୍ତରରେ ବିକ୍ଷୋଭ ସମାବେଶ କରିବ ଆରଜେଡି, ଯୋଗ ଦେବେ କଂଗ୍ରେସ ଅଧ୍ୟକ୍ଷ ରାହୁଲ

ଅନ୍ୟପକ୍ଷରେ ବିହାର ସରକାରଙ୍କ ଦ୍ୱାରା ପରିଚାଳନାଧୀନ ମୁଜାଫରପୁର ସେଲଟର ହୋମ୍‌ ଦୁଷ୍କର୍ମ ମାମଲାରେ ସୁପ୍ରିମ୍‌ କୋର୍ଟ ବିହାର ସରକାରଙ୍କୁ ଭର୍ତ୍ସନା କରିବା ପରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଇସ୍ତଫା ଦାବି କରି ରାଷ୍ଟ୍ରୀୟ ଜନତା ଦଳ (ଆର୍‌ଜେଡି) ପକ୍ଷରୁ ତେଜେଶ୍ୱର ଯାଦବଙ୍କ ନେତୃତ୍ୱରେ ରାଜଧାନୀ ନୂଆଦିଲ୍ଲୀର ଜନ୍ତରମନ୍ତର ଠାରେ ଆସନ୍ତାକାଲି (ଶନିବାର) ଏକ ବିଶାଳ ବିକ୍ଷୋଭ ସମାବେଶର ଆୟୋଜନ କରାଯାଉଛି। ଏହି ବିକ୍ଷୋଭ ସମାବେଶରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ସମେତ ଅନ୍ୟ ବହୁ ରାଜନୈତିକ ଦଳର ନେତୃବୃନ୍ଦ ଯୋଗଦେବେ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଆରଜେଡି ନେତା ତେଜେଶ୍ୱର ଯାଦବ।

ସମ୍ବନ୍ଧିତ ଖବର