ଶିବସେନାକୁ ବି ବିଭାଜନ ଭୟ : ବିଧାୟକଙ୍କୁ ହୋଟେଲରେ ରଖିଲା, ଦୁଇ ଦିନ ପାଇଁ ମୋବାଇଲ୍‌ ବନ୍ଦ

ମୁମ୍ବାଇ : ମହାରାଷ୍ଟ୍ରରେ ସରକାର ଗଠନକୁ ନେଇ ସମୟସୀମା ଶେଷ ହେବାକୁ ଆଉ ଗୋଟିଏ ଦିନ ବାକି ରହିଥିବା ବେଳେ ରାଜନୈତିକ ଛକପଂଝା ଚରମ ସୀମାରେ ପହଞ୍ଚିଛି। ବିଭାଜନ ଭୟରେ ଆଜି ଶିବସେନା ନିଜର ବିଧାୟକମାନଙ୍କୁ ଏକ ହୋଟେଲରେ ନେଇ ରଖିଛି। ଶିବସେନା ମୁଖ୍ୟାଳୟରେ ଆଜି ବିଧାୟକ ଦଳର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକ ପରେ ସେଠାରୁ ସମସ୍ତ ବିଧାୟକଙ୍କୁ ‘ରଙ୍ଗ ସାରଦା’ ହୋଟେଲକୁ ସ୍ଥାନାନ୍ତର କରାଯାଇଛି। ବିଧାୟକମାନଙ୍କ କିଣାବିକା ପ୍ରକ୍ରିୟା ଆରମ୍ଭ ହୋଇଯିବା ଆଶଙ୍କା କରି ଶିବସେନା ଏଭଳି ପଦକ୍ଷେପ ନେଇଛି। ଶିବସେନା ନିଜ ମୁଖପତ୍ର ସାମ୍‌ନାରେ ମଧ୍ୟ ଏଭଳି ଆଶଙ୍କା ବ୍ୟକ୍ତ କରିଛି। ସମସ୍ତ ବିଧାୟକଙ୍କୁ ଆଜି ସେମାନଙ୍କ ମୋବାଇଲ ଫୋନ୍‌ ବନ୍ଦ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଫୋନ୍‌ଗୁଡ଼ିକୁ ମଧ୍ୟ ସଂଗ୍ରହ କରି ରଖାଯାଇଥିବା ଜଣାପଡ଼ିଛି। ଆଜି ବୈଠକରେ ସମସ୍ତ ବିଧାୟକ ୫୦-୫୦ ଫର୍ମୁଲା ଆଧାରରେ ରାଜ୍ୟରେ ସରକାର ଗଠନ ପାଇଁ ମତ ରଖିଥିଲେ। ଶିବସେନାକୁ ମୁଖ୍ୟମନ୍ତ୍ରୀ ପଦ ଦିଆଯିବାକୁ ବିଧାୟକମାନେ ସର୍ବସମ୍ମତ ଦାବି ଉପସ୍ଥାପନ କରିଥିଲେ।

ଶିବସେନା ସୁପ୍ରିମୋ ଉଦ୍ଧବ ଠାକରେ କହିଛନ୍ତି ଯେ ଦେବେନ୍ଦ୍ର ଫଡନାଭିସଙ୍କୁ ମୁଖ୍ୟମନ୍ତ୍ରୀ କରାଗଲେ ଆମର କୌଣସି ଆପତ୍ତି ନାହିଁ, କିନ୍ତୁ ନିର୍ବାଚନ ପୂର୍ବରୁ ହୋଇଥିବା ଆଲୋଚନା ମୁତାବକ ଶିବସେନାରୁ ମଧ୍ୟ ମୁଖ୍ୟମନ୍ତ୍ରୀ ଅଢ଼େଇ ବର୍ଷ ରହିବା ଜରୁରୀ। ଶିବସେନା ଏହି ଦାବିକୁ ନେଇ କୌଣସି ସାଲିସ୍‌ କରିବ ନାହିଁ ବୋଲି ସେ କହିଛନ୍ତି। ଦଳର ବରିଷ୍ଠ ନେତା ସଂଜୟ ରାଉତ କହିଛନ୍ତି ଯେ ଧମକ ଓ ବ୍ଲାକମେଲିଂର ରାଜନୀତି ଚଳିବ ନାହିଁ। ସରକାର ଗଠନ ପାଇଁ ତାଙ୍କ ଦଳ ପାଖ‌େର ମଧ୍ୟ ଆବଶ୍ୟକ ସମର୍ଥନ ରହିଛି। ତେବେ ସେ ଅଧିକ କିଛି କହିନଥିଲେ।

ଇତିମଧ୍ୟରେ ବିଜେପିର ଏକ ପ୍ରତିନିଧି ଦଳ ଆଜି ରାଜ୍ୟପାଳଙ୍କୁ ଭେଟି ସାଂପ୍ରତିକ ରାଜନୈତିକ ପରିସ୍ଥିତି ସଂପର୍କରେ ଅବଗତ କରାଇଛି। ଆସନ୍ତା ୯ ତାରିଖରେ ବିଧାନସଭା କାର୍ଯ୍ୟକାଳ‌ ଶେଷ ହେଉଥିବାରୁ ଏହା ପୂର୍ବରୁ ସରକାର ଗଠନ ଜରୁରୀ। ନଚେତ ରାଜ୍ୟରେ ରାଷ୍ଟ୍ରପତି ଶାସନ ଜାରି କରାଯିବ। ତେବେ କାମଚଳା ମୁଖ୍ୟମନ୍ତ୍ରୀ ନିଯୁକ୍ତି ଉପରେ ମଧ୍ୟ ବିଚାର ଚାଲିଛି।

ସୂଚନାଯୋଗ୍ୟ ଯେ ଗତମାସ ୨୧ ତାରିଖରେ ବିଧାନସଭା ନିର୍ବାଚନ ହୋଇଥିଲା ଏବଂ ୨୪ ତାରିଖରେ ଫଳାଫଳ ଘୋଷଣା କରାଯାଇଥିଲା। ମେଣ୍ଟ କରି ଲଢ଼ିଥିବା ବିଜେପି-ଶିବସେନା ୧୬୧ ଆସନ ହାସଲ କରିଥିଲେ। ତେବେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଦୁଇ ଦଳ ମଧ୍ୟରେ ଟଣାଓଟରା ଚାଲିଥିବାରୁ ସରକାର ଗଠିତ ହୋଇପାରୁ ନାହିଁ।

ସମ୍ବନ୍ଧିତ ଖବର