ଶିବସେନାର ଆକ୍ରମଣ: ମୋଦି ସରକାରଙ୍କ ୪ ବର୍ଷରେ ଯେତିକି ଯବାନ ସହିଦ ହୋଇଛନ୍ତି, ୫୦ ବର୍ଷରେ ହୋଇ ନାହାନ୍ତି

ନୂଆଦିଲ୍ଲୀ: ଏନଡିଏ ସରକାରରେ ଭାରତୀୟ ଜନତା ପାର୍ଟିର ସହଯୋଗୀ ‘ଶିବସେନା’ ପୁଣି ଥରେ ନରେନ୍ଦ୍ର ମୋଦି ସରକାରଙ୍କୁ ଆକ୍ରମଣ କରିଛି। ଜମ୍ମୁ କଶ୍ମୀରର ଗୁରେଜ ସେକ୍ଟରରେ ମଙ୍ଗଳବାର ଏନ୍‌କାଉଣ୍ଟରରେ ୪ ଜଣ ଯବାନ ସହିଦ ହେବା ପରେ ଶିବସେନାର ବରିଷ୍ଠ ନେତା ସଞ୍ଜୟ ରାଉତ କହିଛନ୍ତି, ଆମର ଯବାନ ୪ ବର୍ଷରେ ଯେତିକି ସହିଦ ହୋଇଛନ୍ତି, ବିଗତ ୫୦ ବର୍ଷରେ ଏତିକି ହୋଇ ନାହାନ୍ତି।

ଗୁରେଜ ସେକ୍ଟରରେ ଆଜି ପାଖାପାଖି ୮ ଆତଙ୍କବାଦୀ ପାକିସ୍ତାନ ପଟରୁ ଭାରତକୁ ପ୍ରବେଶ କରିବାକୁ ଉଦ୍ୟମ କରୁଥିଲେ। ଏହି ସମୟରେ ସ୍ଥାନୀୟ ଅଞ୍ଚଳରେ ପେଟ୍ରୋଲିଂ କରୁଥିବା ସେନାର ଏକ ଟିମ୍‌ ଆତଙ୍କବାଦୀଙ୍କୁ ସମ୍ମୁଖୀନ ହୋଇଥିଲେ। ଉଭୟ ସେନା ଓ ଆତଙ୍କବାଦୀଙ୍କ ପକ୍ଷରୁ ହୋଇଥିବା ଗୁଳିବିନମୟରେ ସେନାର ଜଣେ ମେଜର ସମେତ ୪ ଜଣ ଯବାନ ସହିଦ ହୋଇଛନ୍ତି। ସେହିଭଳି ସେନାର ଗୁଳିରେ ୪ ଆତଙ୍କବାଦୀ ନିହତ ହୋଇଥିଲେ। ଅନ୍ୟ ୪ ଜଣ ଆତଙ୍କବାଦୀ ଭୟରେ ପାକିସ୍ତାନ ଫେରି ଯାଇଥିଲେ।

ଲୋକସଭାରେ ମଙ୍ଗଳବାର ଆଲୋଚନା ହୋଇଥିଲା ଯେ, ଚଳିତ ବର୍ଷ ଜୁନ୍‌ ପର୍ଯ୍ୟନ୍ତ ୬୯ ଜଣ ଆତଙ୍କବାଦୀ ଜମ୍ମୁ କଶ୍ମୀରରେ ଭାରତୀୟ ସୀମାରେ ପ୍ରବେଶ କରିଛନ୍ତି। କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ହଂସରାଜ ଅହୀର ଲୋକସଭାରେ ଦେଇଥିବା ଲିଖିତ ଉତ୍ତରରୁ ଏହା ଜଣାପଡ଼ିଛି। ଏଭଳି ୧୩୩ଟି ଘଟଣା ଘଟିଥିବା ବେଳେ, ୬୯ ଜଣ ଆତଙ୍କବାଦୀ ଭାରତୀୟ ସୀମାକୁ ପ୍ରବେଶ କରିବାରେ ସଫଳ ହୋଇଛନ୍ତି। ଜୁନ ପର୍ଯ୍ୟନ୍ତ ଭାରତୀୟ ସେନା ଅନୁପ୍ରବେଶ ସମୟରେ ୧୪ ଜଣ ଆତଙ୍କବାଦୀଙ୍କୁ ନିହତ କରିଛି। ସେହିଭଳି ୫୦ ଜଣ ଅନ୍ୟ ଆତଙ୍କବାଦୀ ଭାରତକୁ ପ୍ରବେଶ କରି ନପାରି ଫେରିଯାଇଛନ୍ତି। ସୂଚନାଯୋଗ୍ୟ ଗତ ବର୍ଷ ସୀମାରେ ୪୦୬ ଜଣ ଆତଙ୍କବାଦୀ ଅନୁପ୍ରବେଶ ଘଟଣା ଦେଖିବାକୁ ମିଳିଥିଲା। ଏଥିରୁ ୧୨୩ ଜଣ ଆତଙ୍କବାଦୀ ଭାରତୀୟ ସୀମାରେ ପ୍ରବେଶ କରିପାରିଥିଲେ।

ସମ୍ବନ୍ଧିତ ଖବର