୨୧୦ ମିଟର ଉଚ୍ଚତାକୁ ବଢ଼ିବ ଛତ୍ରପତି ଶିବାଜୀଙ୍କ ପ୍ରତିମୂର୍ତ୍ତି

ବିଶ୍ୱର ସର୍ବୋଚ୍ଚ ପ୍ରତିମୂର୍ତ୍ତିର ମାନ୍ୟତା ପାଇବ

ମୁମ୍ବାଇ: ମୁମ୍ବାଇ ସମୁଦ୍ର ତଟରେ ୨୧୦ ମିଟର ଉଚ୍ଚତା ବିଶିଷ୍ଟ ଛତ୍ରପତି ଶିବାଜୀ ମହାରାଜଙ୍କ ପ୍ରତିମୂର୍ତ୍ତି ନିର୍ମାଣ ନେଇ ମହାରାଷ୍ଟ୍ର ସରକାରଙ୍କ ଯୋଜନାକୁ ଆଜି ପରିବେଶ ମଞ୍ଜୁରି ମିଳିଛି। ଫଳରେ ନିର୍ମାଣ କାର୍ଯ୍ୟ ସରିଲେ ଏହା ବିଶ୍ୱର ସର୍ବୋଚ୍ଚ ପ୍ରତିମୂର୍ତ୍ତିର ମାନ୍ୟତା ପାଇବ। ପ୍ରାରମ୍ଭରେ ପ୍ରତିମୂର୍ତ୍ତିର ଉଚ୍ଚତା ୧୯୨ ମିଟର ରହିବ ବୋଲି ପ୍ରସ୍ତାବ ରହିଥିଲା। ତେବେ ପରବର୍ତ୍ତୀ ପର୍ଯ୍ୟାୟରେ ଏହି ଉଚ୍ଚତାକୁ ୧୯ ମିଟରକୁ ବୃଦ୍ଧି କରିବାନେଇ ମହାରାଷ୍ଟ୍ର ସରକାରଙ୍କ ପତ୍ରକୁ ମହାରାଷ୍ଟ୍ର କୋଷ୍ଟାଲ ଜୋନ୍‌ ମ୍ୟାନେଜମେଣ୍ଟ ଅଥୋରିଟି (ଏମସିଜେଡ୍‌ଏମଏ) ସ୍ୱିକୃତି ପ୍ରଦାନ କରିଛନ୍ତି। ଏବେ ଚୀନ୍‌ର ‘ସ୍ପ୍ରିଙ୍ଗ ଟେମ୍ପଲ ବୁଦ୍ଧ’ ପ୍ରତିମୂର୍ତ୍ତି ୨୦୮ ମିଟର ଉଚ୍ଚତାରେ ବିଶ୍ୱର ସର୍ବୋଚ୍ଚ ପ୍ରତିମୂର୍ତ୍ତି ହୋଇଥିବାବେଳେ ଆଗକୁ ୨୧୦ ମିଟର ଉଚ୍ଚତାରେ ଛତ୍ରପତି ଶିବାଜୀଙ୍କ ପ୍ରତିମୂର୍ତ୍ତି ବିଶ୍ୱରେ ସର୍ବୋଚ୍ଚ ପରିଗଣିତ ହେବ। ଗତବର୍ଷ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍‌ ଏହି ପ୍ରକଳ୍ପ ଲାଗି ୩,୬୦୦ କୋଟିର ବଜେଟ୍‌ ମଞ୍ଜୁରୀ ପାଇଁ ଅର୍ଥ ମନ୍ତ୍ରାଳୟକୁ ନିର୍ଦ୍ଦେଶ ଦେଇଥିଲେ ତେବେ ୧୯ ମିଟର ଉଚ୍ଚତା ବଢିବାପରେ ନିର୍ମାଣ କାର୍ଯ୍ୟ ଲାଗି ୪,୦୦୦ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଶିବାଜୀ ମହାରାଜ ସ୍ମାରକ ସମିତିର ସଦସ୍ୟମାନେ କହିଛନ୍ତି। ୧୫.୯୬ ହେକ୍ଟର ଅଞ୍ଚଳରେ ନିର୍ମାଣ ହେବାକୁ ଯାଉଥିବା ଏହି ପ୍ରତିମୂର୍ତ୍ତି ରାଜଭବନଠାରୁ ଦେଢ କିମି ଦୂରରେ ଅବସ୍ଥିତ। ନିର୍ମାଣ କାର୍ଯ୍ୟ ୨୦୧୮ ଜାନୁଆରୀରୁ ଆରମ୍ଭ ହୋଇ ୨୦୨୧ରେ ଶେଷ ହେବ। ତେବେ ଏହି ପ୍ରତିମୂର୍ତ୍ତି ନିର୍ମାଣକୁ ପରିବେଶବିତ୍‌ ଏବଂ ମତ୍ସ୍ୟଜୀବୀ ସମ୍ପ୍ରଦାୟ ତୀବ୍ର ବିରୋଧ କରିଛନ୍ତି। ଏହାଦ୍ୱାରା ସାମୁଦ୍ରିକ ଜୀବନ ପ୍ରଭାବିତ ହେବ ବୋଲି କହି ପରିବେଶବିତ୍‌ମାନେ ଏହାର ବିରୋଧ କରିଛନ୍ତି।

ସମ୍ବନ୍ଧିତ ଖବର