ଇସ୍ତଫା ଦେଲେ ଶିବରାଜ ସିଂହ ଚୌହାନ, ମଧ୍ୟପ୍ରଦେଶରେ ଏସପି, ବିଏସପି ସମର୍ଥନରେ ସରକାର ଗଢ଼ିବ କଂଗ୍ରେସ

ଭୋପାଳ: ଗତକାଲି ଠାରୁ ଆରମ୍ଭ ହୋଇଥିବା ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ଗୋଟ ଗଣତି ଆଜି ସକାଳେ ଶେଷ ହୋଇଛି। ମଧ୍ୟପ୍ରଦେଶ ଜନତା କୌଣସି ଦଳକୁ ନିରଙ୍କୁଶ ସଂଖ୍ୟା ଗରିଷ୍ଠତା ପ୍ରଦାନ କରି ନ ଥିବା ବେଳେ ଛତିଶଗଡ଼ ଓ ରାଜସ୍ଥାନରେ ବିଜୟ ପତାକା ଉଡ଼ାଇଥିିବା କଂଗ୍ରେସ ଦଳ ମଧ୍ୟପ୍ରଦେଶରେ ମଧ୍ୟ ସଂଖ୍ୟାଗରିଷ୍ଠ ଦଳ ଭାବେ ନିଜକୁ ପ୍ରତିଷ୍ଠିତ କରି ପାରିଛି। ଭୋଟ ଗଣନାର ଫଳାଫଳରୁ ସ୍ପଷ୍ଟ ହୋଇଛି ଯେ ମଧ୍ୟପ୍ରଦେଶରେ କଂଗ୍ରେସ ୧୧୪ଟି ଆସନରେ ବିଜୟୀ ହୋଇଥିବା ବେଳେ ବିଜେପି ୧୦୯ଟି ଆସନରେ ସୀମିତ ରହିଛି। ସେହିପରି ବହୁଜନ ସମାଜପାଟି ୨ଟି,ସମାଜବାଦୀ ପାର୍ଟି ଗୋଟିଏ ଓ ୪ ଜଣ ନିର୍ଦଳୀୟ ପାର୍ଥୀ ଏହି ନିର୍ବାଚନରେ ବିଜୟୀ ହୋଇଛନ୍ତି। ଆଉ ଆଜି ସକାଳେ ମାୟାାବତୀ ଆଦର୍ଶ ଓ ନୀତିଗତ ପାର୍ଥକ୍ୟ ସତ୍ତ୍ୱେ ବହୁଜନ ସମାଜ ପାର୍ଟି କଂଗ୍ରେସକୁ ସମର୍ଥନ କରିବ ବୋଲି ଘୋଷଣା କରିବା ପାରେ ମଧ୍ୟପ୍ରଦେଶରେ କଂଗ୍ରେସ ଦଳ ସରକାର ଗଠନ କରିବା ପ୍ରାୟ ନିଶ୍ଚିତ ହୋଇ ଯାଇଛି। ରାଜ୍ୟରେ କଂଗ୍ରେସ ଦଳ ଗଠନ କରିବା ପ୍ରାୟ ନିଶ୍ଚିତ ଜାଣି ଆଜି ସକାଳେ କାମଚଳା ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ନିଜ ପଦବୀରୁ ଇସ୍ତଫା ପତ୍ର ରାଜ୍ୟପାଳ ଆନନ୍ଦିବେନ୍‌ ପଟେଲଙ୍କୁ ପ୍ରଦାନ କରିବାକୁ ଯାଇଛନ୍ତି।

ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଚୌହାନ କହିଛନ୍ତି ଯେ ଜନତାଙ୍କ ଆଦେଶକୁ ଗ୍ରହଣ କରି ସେ ଆଉ ରାଜ୍ୟରେ ସରକାର ଗଠନ ପାଇଁ ଦାବି କରିବେ ନାହିଁ। ତେଣୁ ସେ ଇସ୍ତଫା ଦେବାକୁ ଯାଉଛନ୍ତି ବୋଲିି ଶ୍ରୀ ଚୌହାନ ଘୋଷଣା କରିଛନ୍ତି।
ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନର ଫଳାଫଳ ଘୋଷଣା ପରେ ସେଠାରେ ସରକାର ଗଠନ ପ୍ରକ୍ରିୟା ଜୋର ଧରିଛି। ୧୧୪ଟି ଆସନ ଅକ୍ତିଆର କରିଥିବା କଂଗ୍ରେସ ଦଳ ସମାଜବାଦୀ ପାର୍ଟି ଓ ବହଜନ ସମାଜ ପାର୍ଟି ସହାୟତାରେ ମଧ୍ୟପ୍ରଦେଶରେ ସରକାର ଗଠନ ଲାଗି ନିଜର ଦାବି ଜଣାଇଛି। ତେବେ ଶିବରାଜ ଚୌହାନ ପରାଜୟକୁ ସ୍ୱୀକାର କରି ଇସ୍ତଫା ଦେବା ପରେ ରାଜ୍ୟରେ ନୂା କଂଗ୍ରେସ ସରକାର ଗଠନ ପାଇଁ ରାସ୍ତା ସଫା ହୋଇଯାଇଛି।

ସମ୍ବନ୍ଧିତ ଖବର