ଶପଥ ନେଲେ ଶିବରାଜ ସିଂହ ଚୌହାନ

ଭୋପାଳ : ବିଜେପି ନେତା ଶିବରାଜ ସିଂହ ଚୌହାନ୍‌ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଭୋପାଳ ରାଜଭବନରେ ଆଜି ରାତି ୯ଟାରେ ରାଜ୍ୟପାଳ ଲାଲ୍‌ଜୀ ଟଣ୍ଡନ ଶିବରାଜଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଦେଇଛନ୍ତି। ବର୍ତ୍ତମାନ କରୋନା ମୁକାବିଲା ତାଙ୍କ ସରକାରଙ୍କ ପାଇଁ ପ୍ରାଥମିକତା ହେବ ବୋଲି ଶିବରାଜ କହିଛନ୍ତି। ପ୍ରଥମେ ଶିବରାଜ ବିଜେପି ବିଧାୟକ ଦଳର ନେତା ଭାବେ ନିର୍ବାଚିତ ହେବା ପରେ ଆଜି ରାତି ୯ଟାରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଶିବରାଜ ୪ର୍ଥ ଥର ପାଇଁ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ସେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

କଂଗ୍ରେସର ୨୨ ବିଧାୟକ ବିଦ୍ରୋହ କରିବା ପରେ କମଲ ନାଥ ସରକାର ସଂଖ୍ୟାଲଘୁରେ ପରିଣତ ‌ହୋଇଯାଇଥିଲା। ସୁପ୍ରିମ କୋର୍ଟ କମଲ ନାଥଙ୍କୁ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବା ଲାଗି ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବା ପୂର୍ବରୁ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ।

ସମ୍ବନ୍ଧିତ ଖବର