ଫ୍ଲୋରିଡାର ଯୋଗ ଷ୍ଟୁଡିଓରେ ଗୁଳିକାଣ୍ଡ: ଅନ୍ୟୂନ ୨ ମୃତ ଓ ୫ ଆହତ

ନୂଆଦିଲ୍ଲୀ: ଶୁକ୍ରବାର ସନ୍ଧ୍ୟାରେ ଯୁକ୍ତରାଷ୍ଟ୍ର ଆମେରିକାର ଫ୍ଲୋରିଡା ଅନ୍ତର୍ଗତ ଟଲାହାସିସ୍ଥିତ ଏକ ଯୋଗ ଷ୍ଟୁଡିଓରେ ଜଣେ ବନ୍ଧୁକଧାରୀ ଗୁଳି ଚଳାଇ ଜଣକୁ ମାରିବା ସହ ଅନ୍ୟ କେତେକଙ୍କୁ ଆହତ କରିବା ପରେ ନିଜେ ଗୁଳି ମାରିହୋଇ ଆତ୍ମହତ୍ୟା କରିଛନ୍ତି ବୋଲି ସେଠାକାର କର୍ତ୍ତୃପକ୍ଷମାନେ କହିଛନ୍ତି। ଅନ୍ୟୂନ ଜଣେ ପୀଡ଼ିତଙ୍କ ଅବସ୍ଥା ସାଙ୍ଘାତିକ ରହିଛି ବୋଲି ଟଲାହାସି ମେମୋରିଆଲ୍‌ ହେଲ୍‌ଥ୍‌କେୟାର୍‌ କହିଛି।

ପୁଲିସ କହିବା ଅନୁସାରେ ୭ ଜଣ ପୀଡ଼ିତଙ୍କୁ ଡାକ୍ତରଖାନା ଅଣାଯାଇଥିଲା ଏବଂ ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ଘଟିଛି।

ବନ୍ଧୁକଧାରୀଜଣକ ଏକା ଥିବା କଥା ପୁଲିସ ବିଶ୍ୱାସ କରୁଛି। ଆମେରିକାର କେତେକ ଗଣମାଧ୍ୟମ ଖବର ଅନୁସାରେ ଟଲାହାସି ଠାରେ ଥିବା ଏକ ସପିଙ୍ଗ୍‌ ସେଣ୍ଟର୍‌ ମଧ୍ୟସ୍ଥ ଗୋଟାଏ ଯୋଗ ଷ୍ଟୁଡିଓରେ ଘଟନାଟି ଘଟିଛି।

କୁହାଯାଉଛି, ବ୍ୟକ୍ତିଜଣକ ଷ୍ଟୁଡିଓ ମଧ୍ୟକୁ ପ୍ରବେଶ କରିବାକ୍ଷଣି ଗୁଳି ଚଳାଇ ଥିଲେ। ବାହାରେ ଥିବା ଲୋକେ ଜରୁରୀକାଳୀନ ସେବାକୁ ଡକାଇଥିଲେ, କିନ୍ତୁ ପ୍ରଥମ ଛେକ ପୁଲିସ ଏବଂ ଆମ୍ବୁଲାନ୍‌ସ୍‌ ପହଞ୍ଚିବା ଆଗରୁ ସନ୍ଦିଗ୍ଧ ନିଜେ ଗୁଳି ମାରିହୋଇ ଆତ୍ମହତ୍ୟା କରି ସାରିଥିଲେ।

ସ୍ଥାନୀୟ ପୁଲିସଙ୍କ ପ୍ରାଥମିକ ତଦନ୍ତ କହୁଛି ଯେ ସମ୍ଭବତଃ ଘରୋଇକଳି କାରଣରୁ ବ୍ୟକ୍ତିଜଣକ ଏ ଭଳି କାଣ୍ଡ ଭିଆଇ ଥାଇ ପାରନ୍ତି।

ସମ୍ବନ୍ଧିତ ଖବର