ତୁଟିଲା ଦୁବାଇ ଅଡ଼ୁଆ ଆସିଲା ମରଶରୀର

ବିଲେ ପାର୍ଲେ ସେବା ସମାଜ ଶ୍ମଶାନରେ ଶେଷକୃତ୍ୟ ଆଜି, ସେଲିବ୍ରେସନ୍‌ ସ୍ପୋର୍ଟସ କ୍ଳବ୍‌ରେ ଶେଷ ଦର୍ଶନ, ଶୋକସଭା

ମୁମ୍ବାଇ: ଭାରତୀୟ ସିନେମାର ମହାନାୟିକା ଶ୍ରୀଦେବୀଙ୍କ ଅକସ୍ମାତ୍‌ ମୃତ୍ୟୁ ଏବଂ ତାଙ୍କ ମରଶରୀର ସ୍ୱଦେଶ ଫେରିବା ନେଇ ଲାଗିରହିଥିବା ଅନିଶ୍ଚିତତାର ଅନ୍ତ ଘଟିଛି। ଶ୍ରୀଦେବୀ ରହୁଥିବା ହୋଟେଲ ବାଥ୍‌ଟବ୍‌ରେ ଦୁର୍ଘଟଣାବଶତଃ ପଡ଼ିଯାଇ ମୃତ୍ୟୁ ହୋଇଛି ବୋଲି ଦୁବାଇ ଅଦାଲତ ସ୍ପଷ୍ଟ କରିବା ସହ ଏହି ମାମଲାକୁ ସେଇଠି ଶେଷ କରିବାକୁ ଘୋଷଣା କରିଛନ୍ତି। ଶ୍ରୀଦେବୀଙ୍କ ମୃତ୍ୟୁ ସମ୍ପର୍କରେ ପାରିପାର୍ଶ୍ୱିକ ସ୍ଥିତିରୁ ମିଳିଥିବା ସୂଚନା ଆଧାରରେ ବ୍ୟାପକ ଯାଞ୍ଚ ପରେ ମରଶରୀରକୁ ପରିବାର ଲୋକଙ୍କୁ ଦେବା ପାଇଁ ଦୁବାଇ ଅଦାଲତ ପୁଲିସକୁ ନିର୍ଦ୍ଦେଶ ଦେଇଥିଲେ। ତେଣୁ ଦୁବାଇରେ ଆଇନଗତ ଝିଞ୍ଜଟରୁ ମୁକ୍ତ ହେବା ପରେ ଶ୍ରୀଦେବୀଙ୍କ ମରଶରୀର ପରିବାର ଲୋକଙ୍କୁ ପୁଲିସ ହସ୍ତାନ୍ତର କରିଛି। ପରେ ମରଶରୀରକୁ ଶିଳ୍ପପତି ଅନୀଲ୍‌ ଅମ୍ବାନୀ ପଠାଇଥିବା ତାଙ୍କ ବ୍ୟକ୍ତିଗତ ସ୍ୱତନ୍ତ୍ର ବିମାନରେ ସ୍ୱଦେଶ ଅଣାଯାଇଛି। ଆଜି ଏଠାରେ ମରଶରୀର ପହଞ୍ଚିବା ପରେ ବିମାନବନ୍ଦରର ୮ ନଂ ଗେଟ୍‌ଠାରୁ ଲୋଖଣ୍ଡାଓ୍ଵାଲା ସ୍ଥିତ ବାସଭବନ ଯାଏ ଜନସାଧାରଣଙ୍କ ଅସମ୍ଭବ ଭିଡ଼ ଲାଗି ରହିଥିଲା। ବୁଧବାର ସକାଳ ସାଢ଼େ ୯ଟାରୁ ସାଢ଼େ ୧୨ଟା ଯାଏ ପାର୍ଥିବ ଶରୀରକୁ ପଶ୍ଚିମ ଅନ୍ଧେରି ସ୍ଥିତ ଲୋଖଣ୍ଡଓ୍ଵାଲା କମ୍ପ୍ଲେକ୍ସର ସ୍ପୋର୍ଟସ କ୍ଳବ୍‌ ଗାର୍ଡନ୍‌ରେ ଜନସାଧାରଣଙ୍କ ଶେଷ ଦର୍ଶନ ଏବଂ ଶୋକସଭା ପାଇଁ ରଖାଯିବ। ସେଠାରୁ ଅପରାହ୍ଣ ୨ଟାରେ ପାଓ୍ଵନ ହଂସ ଯାଏ ଅନ୍ତିମ ଯାତ୍ରା ବାହାରିବ। ସେଠାରେ ସାଢ଼େ ୩ଟାରେ ବିଲେ ପାର୍ଲେ ସେବା ସମାଜ କ୍ରିମେଟରିଅମ୍‌ରେ ଅନ୍ତିମ ସତ୍କାର କରାଯିବ ବୋଲି ପରିବାର ପକ୍ଷରୁ କୁହାଯାଇଛି।

ଉଲ୍ଲେଖଯୋଗ୍ୟ, ଶ୍ରୀଦେବୀଙ୍କ ମୃତ୍ୟୁ ହୃଦ୍‌କ୍ରିୟା ବନ୍ଦ ଯୋଗୁଁ ନୁହେଁ ବରଂ ପାଣିରେ ବୁଡ଼ିଯିବା କାରଣରୁ ହୋଇଛି ବୋଲି ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିବା ପରେ ଏହି ମାମଲା ଦୁବାଇ ଅଦାଲତକୁ ଯାଇଥିଲା। ଫଳରେ ଅଦାଲତଙ୍କ ଚୂଡ଼ାନ୍ତ ଶୁଣାଣିକୁ ଅପେକ୍ଷା କରି ଶ୍ରୀଦେବୀଙ୍କ ମରଶରୀର କେବେ ଭାରତ ଫେରିବ ବୋଲି ଅନିଶ୍ଚିତତା ଲାଗି ରହିଥିଲା। ଏହି ଅବସରରେ ଦୁବାଇ ସ୍ଥିତ ଭାରତୀୟ ରାଷ୍ଟ୍ରଦୂତ ନବଦୀପ ସିଂହ ପୁରି ଜନସାଧାରଣଙ୍କୁ ମୃତ୍ୟୁର କାରଣ ସମ୍ପର୍କରେ କୌଣସି ଅନୁମାନ କରି ଗୁଜବ ପ୍ରଚାର ନକରିବା ପାଇଁ ନିବେଦନ କରିଥିଲେ। ଏଭଳି କ୍ଷେତ୍ରରେ ଯାବତୀୟ ପ୍ରକ୍ରିୟା ସରିଲା ବେଳକୁ ଦୁଇ ତିନି ଦିନ ଲାଗିଯାଇପାରେ ବୋଲି ପୂର୍ବ ଅଭିଜ୍ଞତାରୁ ଜାଣିଥିବା ଶ୍ରୀ ପୁରି ସ୍ପଷ୍ଟ କରିଥିଲେ। ସୁତରାଂ ସମସ୍ତେ ଧୈର୍ଯ୍ୟର ସହ ଅଦାଲତ ନିଷ୍ପତ୍ତିକୁ ଅପେକ୍ଷା କରିବା ଲାଗି ସେ ପରାମର୍ଶ କରିଥିଲେ। ସେହିପରି ଦୁବାଇ ପୁଲିସ ମଧ୍ୟ ଶ୍ରୀଦେବୀଙ୍କୁ ପ୍ରଥମେ ହୋଟେଲର ଗାଧୁଆ ଘର ବାଥ୍‌ଟବ୍‌ରେ ଅଚେତ ଅବସ୍ଥାରେ ଆବିଷ୍କାର କରିଥିବା ସ୍ୱାମୀ ବୋନି କପୁରଙ୍କୁ ଜେରା କରି ତାଙ୍କ ମତାମତ ରେକର୍ଡ କରିଥିଲା। ତେବେ ଆଜି ଦୁବାଇ ଅଦାଲତଙ୍କ ପକ୍ଷରୁ ଏହି ମାମଲାରେ ଯାବତୀୟ ନିୟମିତ ପ୍ରଣାଳୀ ଅନୁସରଣ କରାଯାଇ ଶ୍ରୀଦେବୀଙ୍କ ମୃତ୍ୟୁ ଦୁର୍ଘଟଣାବଶତଃ ହୋଇଛି ବୋଲି ବ୍ୟବଚ୍ଛେଦ ରିପୋର୍ଟକୁ ଦୋହରାଇବା ସହ ଏହି ମାମଲାର ଅଦାଲତୀ ପ୍ରକ୍ରିୟାରେ ଅନ୍ତ ଆଣିଥିଲେ। ତଦନ୍ତରେ କୌଣସି ପ୍ରକାର ହେର୍‌ଫେର୍‌ କରାଯାଇନାହିଁ ବୋଲି ଅଦାଲତ ଅନୁଭବ କରି ପରିବାର ଲୋକଙ୍କୁ ମରଶରୀର ହସ୍ତାନ୍ତର ପାଇଁ ନିର୍ଦ୍ଦେଶ କରିଥିଲେ। ଉଲ୍ଲେଖଯୋଗ୍ୟ, ନିଜ ଭଣଜା ମୋହିତ୍‌ ମାରଓ୍ଵାଙ୍କର ବିବାହ ଉତ୍ସବରେ ଯୋଗଦେବାକୁ ଗତ ସପ୍ତାହରେ ସ୍ୱାମୀ ବୋନି କପୁର ଏବଂ ସାନ ଝିଅ ଖୁସି କପୁର ସହ ଦୁବାଇ ଯାଇଥିବା ୫୪ ବର୍ଷୀୟା ଶ୍ରୀଦେବୀ ସେଠାରେ ଜୁମୈରା ଏମିରେଟ୍‌ସ ଟାଓ୍ଵାର ହୋଟେଲର ୨୨୦୧ ନମ୍ବର ପ୍ରକୋଷ୍ଠରେ ରହୁଥିଲେ। ବଡ଼ ଝିଅ ଜାହ୍ନବୀ ସିନେମା ସୁଟିଂ ପାଇଁ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଥିବାରୁ ସେ ମୁମ୍ବାଇରେ ରହିଥିଲେ। ଏଣେ ବୋନି କପୁର ଭଣଜାର ବାହାଘର ସାରି ଝିଅ ଖୁସିକୁ ଧରି ମୁମ୍ବାଇ ଫେରି ଆସିଥିବା ବେଳେ ଉକ୍ତ ହୋଟେଲରେ ଶ୍ରୀଦେବୀ ଏକାକୀ ରହୁଥିଲେ। ତେବେ ଏକ ବିଶାଳ ସମ୍ଭ୍ରାନ୍ତ ରାତ୍ରିଭୋଜନର ପ୍ରସ୍ତାବ ଦେଇ ଶ୍ରୀଦେବୀଙ୍କୁ ଚକିତ କରିଦେବା ଲାଗି ସ୍ୱାମୀ ବୋନି କପୁର ପୁଣି ୨୪ ତାରିଖରେ ଦୁବାଇ ଯାଇଥିଲେ। ସେଦିନ ସନ୍ଧ୍ୟାରେ ଶ୍ରୀଦେବୀ ଗାଧୁଆ ଘରକୁ ଯାଇ ଦୀର୍ଘ ସମୟ ଧରି ନଫେରିବାରୁ ବୋନି ଗାଧୁଆ ଘର କବାଟ ବାଡ଼େଇଥିଲେ। ଉତ୍ତର ନମିଳିବାରୁ ସେ ଧକ୍କା ମାରି କବାଟ ଭାଙ୍ଗି ଦେଖିଲା ବେଳକୁ ଶ୍ରୀଦେବୀ ପାଣିଭରା ବାଥ୍‌ଟବରେ ଅଚେତ ଅବସ୍ଥାରେ ପଡ଼ିରହିଛନ୍ତି। ତେବେ ଚେତା ଫେରାଇବା ପାଇଁ ଚେଷ୍ଟା କରି ବିଫଳ ହେବା ପରେ ବୋନି ଜଣେ ଅନ୍ତରଙ୍ଗ ବନ୍ଧୁଙ୍କୁ ଡାକିବା ସହ ରାତି ୯ଟା ବେଳକୁ ସ୍ଥାନୀୟ ପୁଲିସକୁ ଖବର ଦେଇଥିଲେ। ପରେ ପରେ ଡାକ୍ତରୀ ଦଳ ଓ ପୁଲିସ ସେଠାରେ ପହଞ୍ଚିଥିଲା ବେଳେ ଶ୍ରୀଦେବୀଙ୍କୁ ମୃତ ଘୋଷଣା କରାଯାଇଥିଲା।

ସମ୍ବନ୍ଧିତ ଖବର