ବରିଷ୍ଠ ସାମ୍ବାଦିକ ସୁଜାତ ବୁଖାରୀଙ୍କ ହତ୍ୟା ଘଟଣାରେ ସଂପୃକ୍ତ ପାକିସ୍ତାନୀ ଅାତଙ୍କବାଦୀଙ୍କୁ ଚିହ୍ନଟ କଲା ପୁଲିସ୍

ଶ୍ରୀନଗର: ଜମ୍ମୁ- କଶ୍ମୀରରୁ ପ୍ରକାଶିତ ସମ୍ବାଦପତ୍ର ‘ରାଇଜିଂ କଶ୍ମୀର’ର ମୁଖ୍ୟସଂପାଦକ ସୁଜାତ ବୁଖାରୀଙ୍କ ହତ୍ୟା ଘଟଣାରେ ଦୁଇ ଜଣ କଶ୍ମୀରୀଙ୍କ ସମେତ ଜଣେ ପାକିସ୍ତାନୀ ସଂପୃକ୍ତ ବୋଲି ଆଜି ଜମ୍ମୁ-କଶ୍ମୀରର ଜଣେ ବରିଷ୍ଠ ପୁଲିସ୍‌ ଅଧିକାରୀ ଆଜି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ ‘ରାଇଜିଂ କଶ୍ମୀର’ର ମୁଖ୍ୟ ସଂପାଦକ ସୁଜାତ ବୁଖାରୀ ଗତ ୧୪ ତାରିଖରେ ତାଙ୍କ କାର୍ଯ୍ୟାଳୟରୁ ନିଜ ଗାଡ଼ିରେ ଦୁଇ ଜଣ ସୁରକ୍ଷା କର୍ମୀଙ୍କ ଗହଣରେ ଯାଉଥିବା ବେଳେ ତିନିଜଣ ଅଜ୍ଞାତ ଆତତାୟୀ ଗୋଟିଏ ମୋଟର ସାଇକେଲରେ ଆସି ତାଙ୍କ ଗାଡ଼ି ଉପରକୁ ଆଖିବୁଜା ଗୁଳି ଚଳାଇଥିଲେ। ଏହି ଘଟଣାରେ ସଂପାଦକ ସୁଜାତ ବୁଖାରୀଙ୍କ ସମେତ ତାଙ୍କ ସହ ଥିବା ଦୁଇ ସୁରକ୍ଷା କର୍ମୀଙ୍କର ମଧ୍ୟ ମୁତ୍ୟୁ ଘଟିଥିଲା। ଏହି ଘଟଣାରେ ସଂପୃକ୍ତ ଆତତାୟୀମାନଙ୍କୁ ଖୋଜି ବାହାର କରିବା ପାଇଁ ଜମ୍ମୁ ଡିଆଇଜିଙ୍କ ନେତୃତ୍ୱରେ ଗୋଟିଏ ସ୍ୱତନ୍ତ୍ର ଟିମ୍‌ ଗଠିତ ହୋଇଥିଲା। ଏହି ଟିମ୍‌ ବ୍ୟାପକ ତଦନ୍ତ ପରେ ଘଟଣାରେ ସଂପୃକ୍ତ ତିନ ଆତତାୟୀଙ୍କୁ ଚିହ୍ନଟ କରିଛି। ଏମାନଙ୍କ ମଧ୍ୟରୁ ଦୁଇ ଜଣ କଶ୍ମୀରୀ ହୋଇଥିବା ବେଳେ ଅନ୍ୟ ଜଣେ ପାକିସ୍ତାନୀ। ଏବଂ ଅଭିଯୁକ୍ତ ପାକିସ୍ତାନୀ ହତ୍ୟାକାରୀର ନାମ ନାଭେଦ୍‌ ଜୁତ୍‌। ଏମାନଙ୍କୁ ଗିରଫ କରିବା ପାଇଁ ଜମ୍ମୁ- କଶ୍ମୀର ପୁଲିସ୍‌ ପକ୍ଷରୁ ବ୍ୟାପକ ତଲାସୀ ଅଭିଯାନ ଆରମ୍ଭ ହୋଇଛି।

ସମ୍ବନ୍ଧିତ ଖବର