ମଧ୍ୟପ୍ରଦେଶରେ ଶିବରାଜଙ୍କ ବାବା ରାଜନୀତି

୫ ବାବାଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟା

ଭୋପାଳ: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ୍‌ ରାଜ୍ୟର କିଛି ପ୍ରତିଷ୍ଠିତ ଆତ୍ମଘୋଷିତ ‘ବାବା’ଙ୍କୁ ରାଷ୍ଟ୍ରମନ୍ତ୍ରୀ  ମର୍ଯ୍ୟାଦା ପ୍ରଦାନ କରିବା ପରେ ରାଜ୍ୟ ରାଜନୀତି ସରଗରମ ହୋଇଉଠିଛି। ମୁଖ୍ୟମନ୍ତ୍ରୀ ଶିବରାଜଙ୍କ ଏହି ବାବା ରାଜନୀତି ଗୋଟିଏ ଗୁଳିରେ ଦୁଇଟି ଶିକାର ବୋଲି ଚର୍ଚ୍ଚା ହେଉଛି। ରାଜ୍ୟର ବିଭିନ୍ନ ସ୍ଥାନରେ ବିଜେପି ସରକାରଙ୍କ କାର୍ଯ୍ୟରେ କ୍ଷୁବ୍ଧ ଥିବା ବାବାମାନଙ୍କୁ ଶାନ୍ତି କରିବା ସହ ସେମାନଙ୍କର ସମର୍ଥକଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରିବା ପାଇଁ ଏଭଳି ବ୍ୟବସ୍ଥା କରାଯାଇଥିବା ଜଣାପଡ଼ିଛି। ମନ୍ତ୍ରୀ ପାହ୍ୟା ପାଇଥିବା ଏହିସବୁ ବାବାଙ୍କୁ ମନ୍ତ୍ରୀମାନଙ୍କ ଭଳି ଦରମା, ୧୫ ହଜାର ଟଙ୍କା ଘରଭଡ଼ା, ସରକାରୀ ଗାଡ଼ି, ମାଗଣା ଇନ୍ଧନ ଆଦି ଅନେକ ସୁବିଧା ସୁଯୋଗ ମିଳିବ । ମନ୍ତ୍ରୀ ପାହ୍ୟା ପାଇଥିବା କମ୍ପ୍ୟୁଟର ବାବା ନର୍ମଦାନନ୍ଦ ମହାରାଜ, ହରିହରନନ୍ଦ ମହାରାଜ, ଭୟ୍ୟୁ ମହାରାଜ ଓ ପଣ୍ଡିତ ଯୋଗେନ୍ଦ୍ର ମହନ୍ତ ଏବେ ମୁଖ୍ୟମନ୍ତ୍ରୀ ଶିବରାଜଙ୍କ ଗୁଣଗାନ କରିବା ଆରମ୍ଭ କରିଛନ୍ତି। ବାବାମାନଙ୍କୁ ସରକାରୀ ସୁବିଧା ପ୍ରାପ୍ତ ହେବାପରେ ୪୫ଟି ଜିଲ୍ଲାର  ସାଧୁସନ୍ଥ ଓ ସେମାନଙ୍କ ସମର୍ଥକମାନେ ମଧ୍ୟ ଆଭିମୁଖ୍ୟରେ ପରିବର୍ତ୍ତନ ଆଣ ଶିବରାଜ ସରକାରଙ୍କ ଅହରହ ପ୍ରଶଂସାରେ ମାତିଛନ୍ତି। ବରିଷ୍ଠ  କଂଗ୍ରେସ ନେତା ଦିଗ୍‌ବିଜୟ ସିଂହ ପୂର୍ବରୁ ଏହି ବାବାଙ୍କ ସମର୍ଥନ ହାସଲ କରି  ଶିବରାଜ ସରକାରଙ୍କୁ ଟାର୍ଗେଟ କରୁଥିଲେ। କିନ୍ତୁ ଏବେ  ଶିବରାଜଙ୍କ ଏହି ମାଷ୍ଟରଷ୍ଟ୍ରୋକ୍‌ କଂଗ୍ରେସକୁ ବଡ଼ ଝଟ୍‌୍‌କା ଦେଇଛି।

କମ୍ପ୍ୟୁଟର ବାବା: ସବୁବେଳେ ସାଙ୍ଗରେ ଏକ ଲାପ୍‌ଟପ୍‌ ନେଇ ବୁଲୁଥିବା ୫୪ ବର୍ଷୀୟ ଦାଢ଼ିଆ ନାମଦେଓ ଦାସ୍‌ ତ୍ୟାଗୀ  କମ୍ପ୍ୟୁଟର ବାବା ଭାବେ ପରିଚିତ। କେବଳ ଯେ ସେ ଲାପ୍‌ଟପ ନେଇ ବୁଲନ୍ତି ତାହା ନୁହେଁ ବରଂ ତାଙ୍କ ମସ୍ତିଷ୍କ ମଧ୍ୟ କମ୍ପ୍ୟୁଟର ଭଳି କାର୍ଯ୍ୟ କରୁଥିବାରୁ ତାଙ୍କୁ ଏଭଳି ନାମ ଦିଆଯାଇଥିବା ଜଣାପଡ଼ିଛି। କିଛି ଦିନ ପୂର୍ବେ  ବିଜେପି ବିରୋଧରେ ବିଷ ଉଦ୍‌୍‌ଗାର କରୁଥିବା ଏହି କମ୍ପ୍ୟୁଟର ବାବା ମନ୍ତ୍ରୀ ପାହ୍ୟା ପାଇବା ପରେ ନିଜ ହାର୍ଡଡିକ୍ସ ବଦଳାଇ  ବିଜେପିର ପ୍ରଶଂସାରେ ଶତମୁଖ ହୋଇଉଠିଛନ୍ତି। ନିଜକୁ ଇନ୍ଦୋର  ବାସିନ୍ଦା କହୁଥିବା କମ୍ପ୍ୟୁଟର ବାବା ୨୦୧୪ ମସିହାରେ ଆପ୍‌ ଟିକଟରେ ନିର୍ବାଚନ ଲଢିବାକୁ ଇଚ୍ଛା କରିଥିଲେ। ସେହି ସମୟରେ ବିଜେପି ଓ ଆର୍‌ଏସ୍‌ଏସ୍‌ର ଆଦର୍ଶକୁ ଘୃଣା କରୁଥିବା କମ୍ପ୍ୟୁଟର ବାବା ଏବେ ବିଜେପି ହିଁ ଦେଶର ଭବିଷ୍ୟତ ବୋଲି କହିଛନ୍ତି।

ପଣ୍ଡିତ ଯୋଗେନ୍ଦ୍ର ମହନ୍ତ: ରାଜ୍ୟ ସରକାରଙ୍କ ନର୍ମଦା ଦୁର୍ନୀତିର ପର୍ଦ୍ଦାଫାସ୍‌ ପାଇଁ ସୋସିଆଲ ମିଡିଆରେ ଉଦ୍ୟମ ଆରମ୍ଭ କରିଥିବା ପଣ୍ଡିତ ଯୋଗେନ୍ଦ୍ର ମହନ୍ତ ଏବେ ବିଜେପିରେ ମିଶିବା ପରେ ନିଜ ଆଭିମୁଖ୍ୟ ବଦଳାଇ ଦେଇଛନ୍ତି। ଗଙ୍ଗା ନଦୀ କୂଳରେ ଆଶ୍ରମ କରି ଯୋଗ ଶିକ୍ଷା ଦେଉଥିବା ଯୋଗେନ୍ଦ୍ର ମହନ୍ତ ୨୦୧୪ ମସିହାରୁ ହିଁ ବିଜେପି ସରକାର ବିରୋଧରେ ବିଭିନ୍ନ ସମୟରେ ନିଜର ଅଭଯାନ ଚଳାଇ ଆସିଥିଲେ।   ମଧ୍ୟପ୍ରଦେଶରେ ଚାଲିଥିବା ନର୍ମଦା ଯାତ୍ରାର ମୁଖ୍ୟ ଆବାହକ ଥିବା ପଣ୍ଡିତ ଯୋଗେନ୍ଦ୍ର ଶିବରାଜଙ୍କ ବିରୋଧରେ ବୟାନ ଦେଇ କିଛିଦିନ ତଳେ ଚର୍ଚ୍ଚାକୁ ଆସିଥିଲେ।

ଭୟ୍ୟୁ ମହାରାଜ: ଜଣେ ଜମିଦାର ଘରର ପୁଅ ତଥା ରାଜ୍ୟରେ ଚାଷୀଙ୍କ ପାଇଁ ରୋଲ ମଡେଲ ସାଜିଥିବା ଭୟ୍ୟୁ ମହାରାଜ ନିଜର ବିଳାସପୂର୍ଣ୍ଣ ଜୀବନଯାବନ ପାଇଁ ସବୁବେଳେ ଚର୍ଚ୍ଚାରେ ଥା’ନ୍ତି। ଇନ୍ଦୋରରେ ଆଶ୍ରମ କରିଥିବା ଏହି ଭୟ୍ୟୁ ମହାରାଜଙ୍କ ପ୍ରକୃତ ନାମ ହେଉଛି ଉଦୟସିଂହ ଦେଶମୁଖ୍‌। ମର୍ସିଡିଜ୍‌ ଏସ୍‌ୟୁଭିରେ ସବୁବେଳେ ବୁଲୁଥିବା ଏହି ଆତ୍ମଘୋଷିତ ବାବା ଇନ୍ଦୋରର ଜଣେ ଡାକ୍ତରଙ୍କୁ ବିବାହ କରିଛନ୍ତି। ୨୦୧୧ ମସିହାରେ ଆନ୍ନାଙ୍କ  ଆନ୍ଦୋଳନ ସମୟରେ ସେ  ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ତା ପରଠାରୁ ସବୁବେଳେ ବିଜେପି ବିରୋଧରେ ବିଷୋଦ୍‌୍‌ଗାର କରୁଥିବା ଏହି ସାଧୁ ଏବେ ବିଜେପି ସରକାରକୁ ସବୁଠୁ ଉତ୍ତମ ସରକାର ବୋଲି ଆଖ୍ୟା ଦେଇଛନ୍ତି।

ହରିହରନନ୍ଦ ମହାରାଜ: ୨୦୧୬ ମସିହା ଡିସେମ୍ବର ୧୧ ତାରିଖରୁ ଆରମ୍ଭ ହୋଇଥିବା ‘ନମାମୀ ଦେବୀ ନର୍ମଦେ ସେବା ଯାତ୍ରା’ ଯାହାକି ବିଶ୍ୱର ସର୍ବବୃହତ୍‌ ନଦୀ ସୁରକ୍ଷା ଯାତ୍ରା ଥିଲା, ସେଥିରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ମଧ୍ୟ ପ୍ରଦେଶର ଏହି ହରିହରନନ୍ଦ ମହାରାଜ। ଅମରକଣ୍ଟକରୁ ସୋଣ୍ଡଓ୍ଵା ଦୀର୍ଘ ୧୪୪ ଦିନର ପଦଯାତ୍ରା କରି ବାବା ହରିହରନନ୍ଦ ଲୋକଙ୍କୁ ଆଧ୍ୟାତ୍ମ ଚେତନା ସାଙ୍ଗକୁ ପରିବେଶ ସଂରକ୍ଷଣ ଓ ସୁରକ୍ଷା ସମ୍ପର୍କରେ ମଧ୍ୟ ଜ୍ଞାନ ଦେଇ ବେଶ୍‌ ଚର୍ଚ୍ଚାକୁ ଆସିଥିଲେ।

ନର୍ମଦାନନ୍ଦ ମହାରାଜ: ଇନ୍ଦୋରର ନର୍ମଦାନନ୍ଦ ମହାରାଜ କିଛି ବର୍ଷ ପୂର୍ବରୁ ରାଜନୀତି ସହ ପରୋକ୍ଷ ଭାବେ ଜଡିତ।  ି ଲୋକଙ୍କୁ ସେମାନଙ୍କ  ହକ୍‌ ପାଇଁ ଲଢ଼େଇ କରିବାକୁ ପ୍ରବର୍ତ୍ତାଉଥିବା ନର୍ମଦାନନ୍ଦ ମହାରାଜଙ୍କର ରାଜ୍ୟର ବିଭିନ୍ନ ରାଜନୈତିକ ଦଳ ଓ ମୁଷ୍ଟିମେୟ ଲୋକଙ୍କ ସହ ଉତ୍ତମ ସମ୍ପର୍କ ରହିଛି। ସନାତନ ଧର୍ମ ମହାସଭା, ହନୁମାନ ଜନ୍ମୋତ୍ସବ ସମିତି ଭଳି ଅନେକ ସଂଗଠନ ତିଆରି କରି ବାବା ନର୍ମଦା ନନ୍ଦ ଅନେକ ସମର୍ଥନ ଜୁଟାଇ ପାରିଛନ୍ତି।

ସମ୍ବନ୍ଧିତ ଖବର