ପାକ୍‌ ସେନା ମୁଖ୍ୟଙ୍କୁ ଆଲିଙ୍ଗନ ପ୍ରସଙ୍ଗ: ସିଦ୍ଧୁଙ୍କୁ ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ଭର୍ତ୍ସନା

ବାଜ୍‌ଓ୍ଵାଙ୍କୁ ଆଲିଙ୍ଗନ ଗ୍ରହଣୀୟ ନୁହେଁ, ଓ୍ଵାଘା-ଅଟ୍ଟାରୀ ସୀମାରେ ସିଦ୍ଧୁଙ୍କୁ ବିରୋଧ

ନୂଆଦିଲ୍ଲୀ: ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବାକୁ ଯାଇ ପାକ୍‌ ସେନା ମୁଖ୍ୟ କମର୍‌ ଜାଭେଦ ବାଜ୍‌ଓ୍ଵାଙ୍କୁ ଆଲିଙ୍ଗନ କରିବା ନବ୍‌ଜୋତ୍‌ ସିଂହ ସିଦ୍ଧୁଙ୍କୁ ମହଙ୍ଗା ପଡ଼ିଛି। କଂଗ୍ରେସର ବରିଷ୍ଠ ନେତା ତଥା ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ରବିବାର ସିଦ୍ଧୁଙ୍କୁ ତୀବ୍ର ଭର୍ତ୍ସନା କରିଛନ୍ତି। ବାଜ୍‌ଓ୍ଵାଙ୍କୁ ଆଲିଙ୍ଗନ କରିବା ଉଚିତ ନଥିଲା ବୋଲି ଅମରିନ୍ଦର କହିଛନ୍ତି। ଅମରିନ୍ଦର କହିଛନ୍ତି, ପ୍ରତିଦିନ ସୀମାରେ ଅସ୍ତ୍ରବିରତି ଉଲ୍ଲଂଘନ କରି ପାକ୍‌ ସେନା କିଛିନା କିଛି କାଣ୍ଡ ଘଟାଉଛି। ପ୍ରତିଦିନ ଆମ ଯବାନ ସହିଦ ହେଉଛନ୍ତି। ବାଜ୍‌ଓ୍ଵାଙ୍କ ନିର୍ଦ୍ଦେଶରେ ହିଁ ଏଭଳି ପଦକ୍ଷେପ ନେଉଛି ପାକ୍‌ ସେନା। ଏହା ସତ୍ତ୍ୱେ ତାଙ୍କ ସହ ଏତେ ବନ୍ଧୁତ୍ୱପୂର୍ଣ୍ଣ ଭାବ ପ୍ରକଟ କରି ଆଲିଙ୍ଗନ କରିବା ନିହାତି ପରିତାପର ବିଷୟ। ମୁଁ ଏହାକୁ ତୀବ୍ର ବିରୋଧ କରୁଛି। ଆଲିଙ୍ଗନ ପୂର୍ବରୁ ଅନ୍ତତଃ ଥରୁଟେ ଭାବିବାର ଥିଲା ବୋଲି ସେ କହିଛନ୍ତି। କୌଣସି ଭାରତୀୟଙ୍କ ପାଇଁ ଏହା ଆଦୌ ସମୀଚୀନ ନୁହେଁ। ଅପରପକ୍ଷରେ ଇମ୍ରାନ୍‌ଙ୍କ ଶପଥ ଗ୍ରହଣ ଉତ୍ସବରେ ସିଦ୍ଧୁଙ୍କ ଯୋଗଦାନ ପ୍ରସଙ୍ଗରେ ଅମରିନ୍ଦର କହିଛନ୍ତି, ଏହା ତାଙ୍କର ବ୍ୟକ୍ତିଗତ ବ୍ୟାପାର। ଉତ୍ସବରୁ ସିଦ୍ଧୁ ଫେରିବା ବେଳେ ଓ୍ଵାଘା-ଅଟ୍ଟାରୀ ସୀମାରେ ପ୍ରବଳ ବିରୋଧ କରାଯାଇଥିଲା। ବିଭିନ୍ନ ସ୍ଥାନରେ ଲୋକେ ସିଦ୍ଧୁଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।

ସମ୍ବନ୍ଧିତ ଖବର