ବାୟୋପିକ୍‌ ‘କରନ୍‌ଜିତ୍‌ କୌର: ଦ ଅନ୍‌ଟୋଲ୍ଡ ଷ୍ଟୋରି ଅଫ୍‌ ସନ୍ନି ଲିଓନ୍‌’ ଟାଇଟଲ୍‌କୁ ନେଇ ବିବାଦ; ‘କୌର’ ଶବ୍ଦ ଉଠାଇବାକୁ ଦାବି କଲା ଶିଖ୍‌ ସଂପ୍ରଦାୟ

ନୂଆଦିଲ୍ଲୀ: ତମାମ୍‌ ବିଶ୍ୱରେ ବେଶ ଚର୍ଚ୍ଚିତ ଓ ବେଶ ‘କୁଖ୍ୟାତ’ ପର୍ଣ୍ଣଷ୍ଟାର ସନ୍ନି ଲିଓନ୍‌ଙ୍କ ବାୟୋପିକ୍‌ର ଟ୍ରେଲର୍‌ ରିଲିଜ୍‌ ହେବା ପରେ ଏହା ସମସ୍ତଙ୍କୁ ହତଚକିତ କରିଦେଇଛି। ଆଉ ଏହାର ମୁଖ୍ୟ ଓ ପ୍ରମୁଖ କାରଣ ହେଲା, ଏହି ବାୟୋପିକ୍‌ର ମୁଖ୍ୟ ଭୂମିକାରେ ଅନ୍ୟ କେହି ନୁହେଁ; ବରଂ ପର୍ଣ୍ଣ ସେନ୍‌ସେସନ୍‌ ସନ୍ନି ଲିଓନ ନିଜେ ଅଭିନୟ କରିବା ସହ ନିଜ କାହାଣୀକୁ ନିଜେ ବଖାଣିଛନ୍ତି ଦର୍ଶକମାନଙ୍କ ଆଗରେ। ତେଣୁ, ଖୋଲାଖୋଲି ଭାବେ ବାହାରକୁ ପ୍ରକାଶ କରିପାରୁ ନ ଥିଲେ ମଧ୍ୟ ସମସ୍ତେ କିନ୍ତୁ ଭିତରେ ଭିତରେ ଅପେକ୍ଷା କରି ରହିଛନ୍ତି ଏହି ବାୟୋପିକ୍‌ର ରିଲିଜ୍‌କୁ ଏବଂ ରିଲିଜ୍‌ ତାରିଖକୁ ନେଇ ମଧ୍ୟ ଦିନ ଗଣିବା ଆରମ୍ଭ କରି ଦେଇଛନ୍ତି।

ହେଲେ, ଏହି ବାୟୋପିକ୍‌ର ଟାଇଟିଲ୍‌କୁ ନେଇ ଏବେ ଏକ ବିବାଦର ସୂତ୍ରପାତ ହୋଇଛି। ହସ୍ତଗତ ହୋଇଥିବା ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ପର୍ଣ୍ଣଷ୍ଟାର ସନ୍ନି ଲିଓନ୍‌ଙ୍କ ବାୟୋପିକ୍‌ର ଟାଇଟଲ୍‌ ରହିଛି, ‘କରନ୍‌ଜିତ୍‌ କୌର: ଦ ଅନ୍‌ଟୋଲ୍ଡ ଷ୍ଟୋରି ଅଫ୍‌ ସନ୍ନି ଲିଓନ୍‌’। ବାୟୋପିକ୍‌ର ଟାଇଟଲ୍‌ରେ ରହିଥିବା ‘କୌର’ ଶବ୍ଦକୁ ନେଇ ଆପତ୍ତି ଓ ପ୍ରତିବାଦ ଉଠାଇଛନ୍ତି ଶିଖ୍‌ ସଂପ୍ରଦାୟ।

ଶିରୋମଣି ଗୁରୁଦ୍ୱାରା ପ୍ରବନ୍ଧକ କମିଟିର ପ୍ରବକ୍ତା ଦଲଜିତ୍‌ ସିଂହ ବେଦୀ କହିଛନ୍ତି ଯେ ସନ୍ନି ଲିଓନ୍‌ ତାଙ୍କ ଧର୍ମ ପରିବର୍ତ୍ତନ କରିଥିବାରୁ ଏବେ ଆଉ ନାମ ସହ କୌର ଲାଗି ପାରିବ ନାହିଁ। କାରଣ ଶିଖ୍‌ ମହିଳାମାନଙ୍କ ନାମ ପଛରେ ଲାଗୁଥିବା ଶବ୍ଦ ଶିଖ୍‌ମାନଙ୍କ ଦ୍ୱାରା ସେମାନଙ୍କୁ ପ୍ରଦାନ କରାଯାଇଥାଏ। ଏ ପରିପ୍ରେକ୍ଷୀରେ ସେ ବର୍ତ୍ତମାନ ଆଉ ଶିଖ୍‌ ଧର୍ମାବଲମ୍ବୀ ରହି ନଥିବା କାରଣରୁ ତାଙ୍କ ନାମ ପଛରେ କୌର ଲାଗିପାରିବ ନାହିଁ। ଏହା ସତ୍ତ୍ୱେ ସେ ତାଙ୍କ ନାମ ପଛରେ କୌର ବ୍ୟବହାର କରିଥିବାରୁ ଏଥିପାଇଁ ସେ ସର୍ବ ସାଧାରଣରେ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ଦାବି କରିଛନ୍ତି ଶ୍ରୀ ବେଦୀ। ସେହିପରି ଅକାଳୀ ଦଳ ମହିଳା ଶାଖା ମୁଖ୍ୟ ଜାଗିର୍‌ କୌର କହିଛନ୍ତି ଯେ ସନ୍ନିଙ୍କ ଏ ପ୍ରକାରର କାର୍ଯ୍ୟ ଶିଖ୍‌ମାନଙ୍କର ଧାର୍ମିକ ଭାବାବେଗ ଉପରେ ଗଭୀର ଆଘାତ ପହଞ୍ଚାଇଛି। ବ୍ୟବସାୟିକ ସଫଳତା ହାସଲ ଉଦ୍ଦେଶ୍ୟରେ ସେ ଟାଇଟଲ୍‌ରେ କୌର ଶବ୍ଦର ବ୍ୟବହାର କରିଛନ୍ତି। ତେଣୁ ସେ ତାଙ୍କର ବାୟୋପିକ୍‌ର ଟାଇଟିଲ୍‌ରୁ କୌର ଶବ୍ଦକୁ ଉଠାନ୍ତୁ।

ସମ୍ବନ୍ଧିତ ଖବର